ଆରାବଳୀରେ କୋହଳ ଦିଆଯାଇନି
ନୂଆଦିଲ୍ଲୀ : କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଆଜି ଆରାବଳୀ ପର୍ବତମାଳାକୁ ନେଇ ଚାଲିଥିବା ବିତର୍କ ଏବଂ ଦ୍ୱନ୍ଦ୍ୱକୁ ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ଆରାବଳୀ ପର୍ବତମାଳା ଅଞ୍ଚଳରେ କୌଣସି କୋହଳ କରାଯାଇନାହିଁ । ସରକାର ସୁପ୍ରିମକୋର୍ଟଙ୍କ ପରାମର୍ଶ ଓ ନିୟମକୁ ସମର୍ଥନ କରିଛନ୍ତି । କଠୋର ଖଣିଜ ଖନନ ଆଇନକୁ ବଳବତ୍ତର ରଖାଯାଇଥିବା ସେ ସୂଚନା ଦେଇଛନ୍ତି ।
ଗଲା କିଛିଦିନ ହେଲା କିଛି ୟୁଟ୍ୟୁବ୍ ଚ୍ୟାନେଲରେ ପ୍ରକାଶ ପାଇଥିବା ବିବାଦୀୟ ରିପୋର୍ଟକୁ ତର୍ଜମା କରି ଶ୍ରୀ ସିଂହ ଏହା କହିଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ଯାଦବ କହିଛନ୍ତିଯେ, ଆରାବଳି ପର୍ବତମାଳାର ସୀମା ଚାରିଟି ଭାରତୀୟ ରାଜ୍ୟ: ଦିଲ୍ଲୀ, ରାଜସ୍ଥାନ, ହରିୟାଣା ଏବଂ ଗୁଜରାଟକୁ ବ୍ୟାପ୍ତ ରହିଛି । ଏହି ୪ ରାଜ୍ୟର ୩୯ ଜିଲ୍ଲାରେ ସମ୍ପୂର୍ଣ୍ଣ ଆରାବଳୀ ବିସ୍ତୃତ । ଆରାବଳୀ ପର୍ବତମାଳାର ସୁରକ୍ଷା ଲାଗି ସମାନ ପରିଭାଷା ନିରୂପଣ କରିବାକୁ ସୁପ୍ରିମକୋର୍ଟଙ୍କ ପରାମର୍ଶ ରହିଛି । ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ବ୍ୟାଖ୍ୟା ଉପରେ ଆଧାରିତ ନିୟମାବଳୀର ଉଲ୍ଲଂଘନକୁ ରୋକିବା ପାଇଁ ସୁପ୍ରିମକୋର୍ଟ ସମସ୍ତ ୪ ରାଜ୍ୟକୁ ଆରାବଳିର ଏକ ସମାନ ପରିଭାଷା ସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଦିଗରେ, ସରକାର ମଧ୍ୟ ଏକ ସ୍ପଷ୍ଟ ଏବଂ ବୈଜ୍ଞାନିକ ପରିଭାଷା ସ୍ଥାପନ କରିଛନ୍ତି । ଏହି ପରିଭାଷା ଅନୁସାରେ ପାହାଡ଼ର ମୂଳ ଅର୍ଥାତ୍ ଭୂତଳର ଉତ୍ପତ୍ତିଠାରୁ ୧୦୦ ମିଟର ଯାଏ ଖନନ ବାରଣ କରାଯାଇଛି । କିନ୍ତୁ କିଛି ଲୋକ ମିଥ୍ୟା ପ୍ରଚାର କରୁଛନ୍ତି ।
ସେ କହିଛନ୍ତି, ୧୦୦ ମିଟର ସୁରକ୍ଷା କ୍ଷେତ୍ର ପାହାଡ଼ ତଳ ଭାଗରୁ ଆରମ୍ଭ ହୁଏ, ଅର୍ଥାତ୍ ପାହାଡ଼ ତଳ ଭାଗରୁ ୧୦୦ ମିଟର ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳକୁ ସୁରକ୍ଷିତ ରଖାଯିବ । ସେଠାରେ କୌଣସି ଖନନ କିମ୍ବା କାର୍ଯ୍ୟକଳାପକୁ ଅନୁମତି ଦିଆଯିବ ନାହିଁ । ଆରାବଳୀ ପର୍ବତମାଳାର ଦୁଇଟି ପାହାଡ଼ ମଧ୍ୟରେ ଯଦି ଦୂରତା ୫୦୦ ମିଟର ଥାଏ ତେବେ ସମ୍ପୂର୍ଣ୍ଣ ଅଞ୍ଚଳକୁ ଆରାବଳି ପର୍ବତମାଳାର ଅଂଶ ଭାବରେ ବିବେଚନା କରାଯିବ । ଏହି ଅଞ୍ଚଳ ମଧ୍ୟ ସଂରକ୍ଷିତ ରହିବ ।
Samir Kumar Rout