ଆସିବ ୩୨ ଫୋରେନସିକ୍ ଭ୍ୟାନ୍: ଇ-ଏଫଆଇଆର୍, ଇ-ସମନ୍, ଇ-ସାକ୍ଷ୍ୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

 ଭୁବନେଶ୍ୱର : ଭିଡ ହିଂସା, ଉଗ୍ରବାଦୀ କାର୍ଯ୍ୟକଳାପ ଏବଂ ସଂଗଠିତ ଅପରାଧ କ୍ଷେତ୍ରରେ ଏସ୍ପିଙ୍କ ତଳ ର୍ୟାଙ୍କର କୌଣସି ଅଧିକାରୀ ତଦାରଖ କରିବେ ନାହିଁ  । ତଦନ୍ତ ପ୍ରକ୍ରିୟାକୁ ସହଜ କରିବା ପାଇଁ ୩୨ଟି ଫୋରେନସିକ ଭ୍ୟାନ୍ ଆସିବ  । ଇ-ଏଫଆଇଆର୍, ଇ-ସମନ୍, ଇ-ସାକ୍ଷ୍ୟ ଉପରେ ଗୁରୁତ୍ୱ ଦିଆଯିବ  । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆ ଅପରାଧିକ ଆଇନ୍ର ଫଳପ୍ରଦ କାର୍ଯ୍ୟକାରୀତା ସମ୍ପର୍କରେ ସମୀକ୍ଷା କରି ଏହା କହିଛନ୍ତି  ।
ଏହି ସମୀକ୍ଷାରେ ମୁଖ୍ୟମନ୍ତ୍ରୀ ଜିରୋ ଏଫଆଇଆର୍ ଉପରେ ଗୁରୁତ୍ୱାରୋପ କରିବା ସହ ଇ-ଏଫଆଇଆର୍, ଇ-ସମନ୍, ଇ-ସାକ୍ଷ୍ୟ ପ୍ରଦାନ ଆଦି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ପରାମର୍ଶ ଦେଇଥିଲେ  । ଏହାଦ୍ୱାରା ନ୍ୟାୟ ପ୍ରଦାନ ବ୍ୟବସ୍ଥା ସହଜ, ସରଳ ହେବା ସହିତ ତ୍ୱରିତ ବେଗରେ କାର୍ଯ୍ୟକାରୀ କରାଯାଇପାରିବ  । ଏଥିପାଇଁ ଜେଲ୍, ହସ୍ପିଟାଲ, ଫରେନସିକ୍ ଲ୍ୟାବ, କୋର୍ଟ ଇତ୍ୟାଦିକୁ ଭିଡିଓ କନ୍ଫରେନ୍ସ ଜରିଆରେ ଯୋଡିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ  । ଏହାଦ୍ୱାରା ସାକ୍ଷୀମାନେ ଯେଉଁ ସ୍ଥାନରେ ଥିବେ, ସେହି ସ୍ଥାନରୁ ହିଁ ସାକ୍ଷ୍ୟ ପ୍ରଦାନ କରିପାରିବେ  । ତଦନ୍ତ ଓ ନ୍ୟାୟ ପ୍ରଦାନ ବ୍ୟବସ୍ଥା ଯେତେଦୂର ସମ୍ଭବ ଇଲେକ୍ଟ୍ରୋନିକ୍ ମୋଡ୍ରେ କରିବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । 
ଫରେନ୍ସିକ୍ ବ୍ୟବସ୍ଥାର ଉନ୍ନତି ପାଇଁ ଅତ୍ୟାଧୁନିକ ମୋବାଇଲ ଫରେନସିକ୍ ଭ୍ୟାନ ନିୟୋଜିତ କରିବାକୁ ମୁଖ୍ୟମନ୍ତ୍ରୀ କହିଥିଲେ  । ବୈଠକରୁ ଜଣାଯାଇଛିଯେ, ରାଜ୍ୟରେ ଖୁବଶୀଘ୍ର ୩୨ଟି ମୋବାଇଲ ଫରେନସିକ୍ ଭ୍ୟାନ ନିୟୋଜିତ କରାଯିବ ।
ମୁଖ୍ୟମନ୍ତ୍ରୀ କହିଥିଲେଯେ, ଭିଡ ହିଂସା, ଉଗ୍ରବାଦୀ କାର୍ଯ୍ୟକଳାପ ଏବଂ ସଂଗଠିତ ଅପରାଧ କ୍ଷେତ୍ରରେ ଏସ୍ପିଙ୍କ ତଳ ର୍ୟାଙ୍କର କୌଣସି ଅଧିକାରୀ ତଦାରଖ ନକରିବାକୁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଥିଲେ । ବୈଠକରେ ନୂଆ ଆଇନ୍ର ଫଳପ୍ରଦ କାର୍ଯ୍ୟକାରୀତା ପାଇଁ ପୋଲିସ, ଜେଲ୍, ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ବିଚାର ବିଭାଗୀୟ ବ୍ୟବସ୍ଥାର ସୁଦୃଢୀକରଣ ଉପରେ ଗୁରୁତ୍ୱାରୋପ କରାଯାଇଥିଲା  ।
ବୈଠକର ସୂଚନା ଅନୁଯାୟୀ ନୂଆ ଅପରାଧିକ ଆଇନ ସଂପର୍କରେ ୯୮ ପ୍ରତିଶତରୁ ଅଧିକ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବା ସହିତ ଦକ୍ଷ ତଦନ୍ତ ପ୍ରକ୍ରିୟା ପାଇଁ ଆଧୁନିକ ଜ୍ଞାନକୌଶଳର ଉପଯୋଗ ପାଇଁ ପଦକ୍ଷେପ ନିଆଯାଉଛି  । ଫରେନ୍ସିକ ଲ୍ୟାବଗୁଡିକର ଉନ୍ନତିକରଣ କରାଯାଉଛି ଏବଂ ଫରେନ୍ସିକ ଓ ସାଇବର ଫରେନ୍ସିକ ବିଶେଷଜ୍ଞମାନଙ୍କ ପାଇଁ ୨୪୭ଟି ଅତିରିକ୍ତ ପଦବୀ ସୃଷ୍ଟି କରାଯାଇଛି  ।
ଜେଲ୍ ବିଭାଗର ଶତ ପ୍ରତିଶତ କର୍ମଚାରୀମାନଙ୍କୁ ନୂଆ ଆଇନ ସଂପର୍କରେ ପ୍ରଶିକ୍ଷଣ ଦିଆଯାଇଛି  । ଜେଲ୍ରେ ଭିଡିଓ କନ୍ଫରେନ୍ସିଂ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି  । ସେହିପରି ପ୍ରୋସିକୁ୍ୟସନ କ୍ୟାଡରରେ ମଧ୍ୟ ୨୬୭ ଅତିରିକ୍ତ ପଦବୀ ସୃଷ୍ଟି କରାଯିବା ସହିତ ବିଏନଏସଏସ ଆଇନ ଅନୁଯାୟୀ ଓଡିଶା ପ୍ରୋସିକୁ୍ୟସନ ନିୟମାବଳୀରେ ମଧ୍ୟ ପରିବର୍ତ୍ତନ କରାଯିବ ବୋଲି ଜଣାଯାଇଛି ।
ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ଜଡିତ ସମସ୍ତ ସଂସ୍ଥାଗୁଡିକ ଦକ୍ଷ ହେଲେ, ନ୍ୟାୟ ପ୍ରଦାନ ବ୍ୟବସ୍ଥା ତ୍ୱରିତ ହେବ ଏବଂ ସମସ୍ତଙ୍କୁ ନ୍ୟାୟ ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  । ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡଃ ମୁକେଶ ମହାଲିଙ୍ଗ, ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୋଲିସ ମହାନିଦେ୍ର୍ଦଶକ ୱାଇବି ଖୁରାନିଆ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ  ।