ଇମ୍ଫା ବିରୁଦ୍ଧରେ ତାତିଲେ ଶ୍ରମିକ: ଥାନା-ଗେଷ୍ଟ ହାଉସ ଘେରିଲେ
କାଳିଆପାଣି : ହରଡ ଘଣାରେ ଇମ୍ଫା କମ୍ପାନୀ । ଦୁଇ ଦଫା ଦାବିରେ ଗତ ମାସ ୧୭ ତାରିଖରୁ ଲୋଡ଼ିଂ ଶ୍ରମିକ ଧାରଣାରେ ବସିଥିବା କମ୍ପାନୀ ‘ନୋ ୱାର୍କ ନୋ ପେ’ଲାଗୁ କରିବା ଜଟିଳ ପରିସ୍ଥିତି ସୃଷ୍ଟି କରିଛି । ‘ନୋ ୱାର୍କ ନୋ ପେ’କୁ ବିରୋଧ କରି ସୁକିନ୍ଦା ରିଜିଅନ କ୍ରୋମାଇଟ ଖାଦାନ ମଜଦୁର ସଙ୍ଘ କାଳିଆପାଣି ଥାନା ସହ ଇମ୍ଫାର ଗେଷ୍ଟ ହାଉସ ଘେରିଥିଲେ । ମଙ୍ଗଳବାର ପ୍ରାୟ ୫ଶହ ଇମ୍ଫା ଖଣିଶ୍ରମିକ ପ୍ରଥମେ କାଳିଆପାଣି ଥାନାରେ ଏହାର ବିରୋଧ ପ୍ରଦର୍ଶନ କରି ଧାରଣାରେ ବସିଥିଲେ । ପରେ ଇମ୍ଫା କମ୍ପାନୀ ଗେଷ୍ଟ ହାଉସକୁ ଘେରାଉ କରିଥିଲେ । ଶ୍ରମିକ ସଂଗଠନର ସାଧାରଣ ସମ୍ପାଦକ ଭରତ ଚନ୍ଦ୍ର ମହାନ୍ତ, ଯୁଗ୍ମ ସମ୍ପାଦକ ପ୍ରଭାତ କୁମାର ପ୍ରଧାନ, ବୈକୁଣ୍ଠ ମହାନ୍ତ ପ୍ରମୁଖ ଶ୍ରମିକ ମାନଙ୍କ ନେତୃତ୍ୱରେ ଶ୍ରମିକ ମେଳି ଆୟୋଜିତ ହୋଇଥିବା ବେଳେ ଶ୍ରମିକ ମାନଙ୍କ ଦାବିଥିଲା । ଆମକୁ କାମ କରିବାକୁ ଅନୁମତି ଦିଆଯାଉ ନଚେତ ନୋ ୱାର୍କ ନୋ ପେ ନୋଟିସ ପ୍ରତ୍ୟାହାର କରାଯାଇ ସମ୍ପୂର୍ଣ ମଜୁରୀ ପ୍ରଦାନ କରାଯାଉ । ଶ୍ରମିକ ମାନଙ୍କ ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ କମ୍ପାନୀର ବରିଷ୍ଠ ଅଧିକାରୀ ତଥା ଖଣି ମୁଖ୍ୟ ବାପୁରାଓ ନାରାଡେ ଆଜି ରାତିରେ କିମ୍ବା ଆସନ୍ତାକାଲି ସୁଦ୍ଧା ଆପଣ ମାନଙ୍କୁ ଡିଉଟି ଦେବାର ବନେ୍ଦାବସ୍ତ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ତେବେ ଅନ୍ୟପଟେ ଓଡିଶା ମାଇନିଂ ୱାର୍କର୍ସ ୟୁନିଅନ କମ୍ପାନୀର ଗେଟ ବନ୍ଦ କରି ରଖିଥିବା ବେଳେ ଆସନ୍ତାକାଲି ଅନ୍ୟ ଶ୍ରମିକ ମାନଙ୍କୁ କମ୍ପାନୀ ପକ୍ଷରୁ କିପରି ଖଣି ଭିତରକୁ ପ୍ରବେଶ କରିବାର ବ୍ୟବସ୍ଥା କରାଯିବ ତାହା ଏକ ଅଡ଼ୁଆ ପ୍ରଶ୍ନ ସୃଷ୍ଟି କରିଛି ।