ଇସ୍ରାଏଲର ଏୟାର ଷ୍ଟ୍ରାଇକ ହମାସ ମୁଖ୍ୟ ସିନୱାର ସଫା

ାା ଏଜେନ୍ସି ।ା ନୂଆଦିଲ୍ଲୀ:  ଗାଜା ଷ୍ଟ୍ରିପରେ ଏୟାର ଷ୍ଟ୍ରାଇକ କରୁଥିବା ଇସ୍ରାଏଲ ପକ୍ଷରୁ ବଡ ଦାବି କରାଯାଇଛି । ଇସ୍ରାଏଲ ପକ୍ଷରୁ ଗାଜାରେ କରାଯାଇଥିବା ଏୟାର ଷ୍ଟ୍ରାଇକରେ ହମାସ ମୁଖ୍ୟ ୟାହୟା ସିନୱାର ପ୍ରାଣ ହରାଇଥିବା କୁହାଯାଉଛି । ଇସ୍ରାଏଲ ସେନା ବର୍ତ୍ତମାନ ଏହି ଖବରକୁ ନିଶ୍ଚିତ କରିବା ପାଇଁ ଉଦ୍ୟମ କରୁଛି । ତଥାପି ଏୟାର ଷ୍ଟ୍ରାଇକରେ ସିନୱାର ପ୍ରାଣ ହରାଇଥିବା ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଦାବି କରାଯାଇଛି । ଇସ୍ରାଏଲ ସେନା ପକ୍ଷରୁ କୁହାଯାଇଛି ଯେ ଏୟାର ଷ୍ଟ୍ରାଇକରେ ଏକାଧିକ ଆତଙ୍କବାଦୀ ନିହତ ହୋଇଛନ୍ତି । ବର୍ତ୍ତମାନ ସ୍ଥିତିରେ ଆତଙ୍କବାଦୀଙ୍କ ପରିଚୟ ଜାଣିବା ସମ୍ଭବ ନୁହେଁ । ଯେଉଁ ବିଲଡିଂ ଉପରେ ଆକ୍ରମଣ କରାଯାଇଥିଲା, ସେଠାରେ କୌଣସି ସାଧାରଣ ଲୋକ କିମ୍ବା ପଣବନ୍ଦୀଙ୍କ ଉପସ୍ଥିତି ସମ୍ପର୍କରେ ଜଣାପଡୁନାହିଁ । ଏଠାରେ ୩ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ସିନୱାର ଭଳି ଲାଗୁଛି । ତଥାପି ଏହାର ଯାଞ୍ଚ କରାଯାଉଛି । ଇସ୍ରାଏଲ ଜେଲରେ ଥିବା ବେଳେ ସିନୱାରର ଡିଏନଏ ସଂଗ୍ରହ କରାଯାଇଥିଲା । ଏବେ ମୃତ ୩ ଆତଙ୍କବାଦୀଙ୍କ ଡିଏନଏକୁ ଏଥିରେ ମେଳ କରାଯାଇ ପୂରା ଘଟଣାର ସତ୍ୟତା ଜାଣିବାକୁ ଚେଷ୍ଟା କରାଯିବ ବୋଲି ଇସ୍ରାଏଲ ସେନା କହିଛି ।
ତେବେ ଏ ସମ୍ପର୍କରେ ହମାସ ପକ୍ଷରୁ ଏଯାଏ କୌଣସି ପ୍ରକାରର ପ୍ରତିକ୍ରିୟା ପ୍ରକାଶ ପାଇନାହିଁ । ଯଦି ଏୟାର ଷ୍ଟ୍ରାଇକରେ ସିନୱାର ସତରେ ପ୍ରାଣ ହରାଇଥିବ, ତା’ହେଲେ ଏହା ଇସ୍ରାଏଲ ସେନା ଓ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ପାଇଁ ବଡ ସଫଳତା ଭାବେ ଉଭା ହେବ । କାରଣ ପୂର୍ବରୁ ଇସ୍ରାଏଲ ସେନା ଇରାନରେ ପଶି ହମାସର ମୁଖ୍ୟ ଇସମାଇଲ ହାନିୟେଙ୍କୁ ହତ୍ୟା କରିଥିଲା । ଏହାପରେ ସିନୱାର ହମାସ ମୁଖ୍ୟ ହୋଇଥିଲା । ଏବେ ତାକୁ ମଧ୍ୟ ଇସ୍ରାଏଲ ଖତମ କରିଥିବା କୁହାଯାଉଛି । ୨୦୨୩ ମସିହା ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମାସ କରିଥିବା ଅତର୍କିତ ଆକ୍ରମଣର ମୁଖ୍ୟ ସୂତ୍ର ଧର ଥିଲା ସିନୱାର । ତା’ ତତ୍ତ୍ୱାବଧାନରେ ହମାସର ସଦସ୍ୟମାନେ ଆକ୍ରମଣ କରିଥିଲେ ।