ହଉଥି ଆତଙ୍କୀଙ୍କ ଅସ୍ତ୍ରାଗାର ଧ୍ୱଂସ କଲା ଆମେରିକା

ାା ଏଜେନ୍ସି ।ା ନୂଆଦିଲ୍ଲୀ:  ୟେମେନରେ ଆଡ୍ଡା ଜମାଇଥିବା ହଉଥି ଆତଙ୍କୀଙ୍କ ଅସ୍ତ୍ରାଗାରକୁ ଧ୍ୱଂସ କରିଛି ଆମେରିକା । ଏହି ଅସ୍ତ୍ରାଗାର ଭୂପୃଷ୍ଠ ମଧ୍ୟରେ କଂକ୍ରିଟ ବଙ୍କର ଭିତରେ ରହିଥିଲା । ବୋମାମାଡ଼ କରି ଆମେରିକା ଏହାକୁ ବରବାଦ କରିଦେଇଛି । ହଉଥି ଆତଙ୍କୀମାନେ ଏହି ଅସ୍ତ୍ରାଗାର ବଳରେ ରେଡ୍ ସି(ଲୋହିତ ସାଗର) ବାବ ଅଲ-ମାନଦେବ ଉପକୂଳ ଏବଂ ଅଦନ ଉପକୂଳରେ ଅନ୍ତର୍ଜାତୀୟ ଜାହାଜଗୁଡ଼ିକୁ ଟାର୍ଗେଟ କରିବା ସହିତ କ୍ଷେପଣାସ୍ତ୍ର, ରକେଟ ଏବଂ ଡ୍ରୋନ ଜରିଆରେ ଆକ୍ରମଣ କରୁଥିଲେ । ତେଣୁ ଅସ୍ତ୍ରାଗାର ଧ୍ୱଂସ କରିଦେବା ଫଳରେ ହଉଥି ବିଦ୍ରୋହୀ ଅନେକ ମାତ୍ରାରେ ଦୁର୍ବଳ ହୋଇପଡ଼ିବା ଆଶା କରାଯାଉଛି । ଅନ୍ୟପଟେ ଅନେକ ବର୍ଷ ପରେ ଆମେରିକା ପରମାଣୁ ଅସ୍ତ୍ର ବହନ କରୁଥିବା ଷ୍ଟିଲ୍ଥ ବମ୍ବର(ନୁ୍ୟକ୍ଲିୟର ଷ୍ଟିଲ୍ଥ ବମ୍ବର) ବି-୨ ସ୍ପିରିଟର ବ୍ୟବହାର କରିଛି । ଏହା ଆମେରିକାର ସବୁଠୁ ମହଙ୍ଗା ଅସ୍ତ୍ରଶସ୍ତ୍ର ମଧ୍ୟରୁ ଗୋଟିଏ । ମଧ୍ୟପ୍ରାଚ୍ୟରେ ବର୍ତ୍ତମାନ ଯୁଦ୍ଧ ଚାଲିଥିବାବେଳେ ଇସ୍ରାଏଲ ଉପରେ ଚାରି ପଟୁ ଆକ୍ରମଣ ଚାଲିଛି । ହମାସ, ହେଜବୋଲ୍ଲା, ଇରାନ ଏବଂ ହଉଥି ମିଳିତ ଭାବେ ଇସ୍ରାଏଲ ଉପରେ ଆକ୍ରମଣ ଜାରି ରଖିଛନ୍ତି । ଏଭଳି ପରିସ୍ଥିତିରେ ଆମେରିକାର ଆକ୍ରମଣ ସମସ୍ତଙ୍କ ଉପରେ ଚାପ ପକାଇବ ବୋଲି କୁହାଯାଉଛି ।