ଉଗ୍ର ହେଉଛି ଧର୍ମଶାଳା ବିଜେପି ଗୋଷ୍ଠୀ କନ୍ଦଳ... ପହିଙ୍କ ଟାର୍ଗେଟରେ ଲିକୁ; ରୁପେଶ ମୋହରା
ାା ଯାଜପୁରରୁ ଶରତ ପଥାଳ ।ା
ଧର୍ମଶାଳା ବ୍ଲକ ହରିଦାସରପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ମୃତୁ୍ୟ ଫାଇଲ ଖୋଲିବ କି ନାହିଁ, ତାହାତ ସମୟ କହିବ, କିନ୍ତୁ ପାଞ୍ଚ ବର୍ଷ ତଳର ସ୍ମିତାରାଣୀ ମୃତୁ୍ୟ ଘଟଣା ଧର୍ମଶାଳା ବିଜେପି ଗୋଷ୍ଠୀ କନ୍ଦଳକୁ ଉଗ୍ର କରିଛି । କ୍ୟାଡ଼ର ଭିତ୍ତିକ ଦଳ ଭାବେ ବିବେଚିତ ହେଉଥିବା ବିଜେପି ଦୁଇଭାଗରେ ବିଭକ୍ତ ହୋଇପଡ଼ିଛି । ଗୋଟିଏ ଗୋଷ୍ଠୀର ନେତୃତ୍ୱ ବିଧାନସଭା ନିର୍ବାଚନରେ ଶୋଚନୀୟ ପରାଜୟ ବରଣ କରିଥିବା ସ୍ମୃତିରେଖା ପହି ନେଉଥିବା ବେଳେ ଆଉ ଗୋଟିଏ ଗୋଷ୍ଠୀ ନେତୃତ୍ୱ ସ୍ୱାଧୀନ ଭାବେ ନିର୍ବାଚିତ ହୋଇ ବିଜେପିର ସହଯୋଗୀ ସଦସ୍ୟ ରହିଥିବା ହିମାଂଶୁ ଶେଖର ସାହୁ ନେଉଛନ୍ତି । ସ୍ୱାଧୀନ ଭାବେ ଲଢି ବାଜିମାତ କରିଥିବା ହିମାଂଶୁ ବା ଲିକୁଙ୍କୁ ହଜମ କରିପାରୁନଥିବା ପହି ଏବଂ ସହଯୋଗୀ ଧର୍ମଶାଳା ରାଜନୀତିରେ ଝଡ଼ ସୃଷ୍ଟି କରିବାକୁ ସ୍ମିତାରାଣୀ ବିଶ୍ୱାଳ ମୃତୁ୍ୟ ମାମଲାକୁ ଅସ୍ତ୍ର କରିଛନ୍ତି । ସ୍ମିତାରାଣୀ ମୃତୁ୍ୟ ମାମଲାରେ ଗିରଫ ହୋଇ ଜେଲ ଯାଇଥିବା ରୁପେଶ ଭଦ୍ରଙ୍କୁ ମୋହରା କରିଛନ୍ତି । ଗଣମାଧ୍ୟମକୁ ଆସି ପହି ଏବଂ ତାଙ୍କ ସମର୍ଥକ ରୁପେଶ ଭଦ୍ର ରାମ୍କୋ କମ୍ପାନୀରେ କେମିତି ଠିକାଦାରୀ କରୁଛନ୍ତି । କାହା ପ୍ରଭାବରେ ରୁପେଶ ଏବେ ବି ଶକ୍ତିଶାଳୀ ରହିଛନ୍ତି, ସେନେଇ ପ୍ରଶ୍ନ ଉଠାଇ ବିଧାୟକ ଲିକୁଙ୍କ ନାଁ ନନେଇ ସଂକେତ କରିଛନ୍ତି । ସ୍ମିତାରାଣୀ ପ୍ରସଙ୍ଗରେ ବିଜେପି କାର୍ଯ୍ୟକର୍ତ୍ତା ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ଭେଟି ସିବିଆଇ ତଦନ୍ତ ଦାବିରେ ଦାବିପତ୍ର ଦେବା ପଛର ପ୍ରଚ୍ଛଦପଟ୍ଟରେ ପହି ରହିଥିବା କଥା ଯେଉଁ ଆଲୋଚନା ହେଉଥିଲା, ତାହାକୁ ସେ ମଙ୍ଗଳବାର ଦଳୀୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ କରି ସ୍ପଷ୍ଟ କରିଦେଇଛନ୍ତି । ପହି ସାମ୍ବାଦିକ ସମ୍ମିଳନୀରେ କହିଥିଲେ କି ସ୍ମିତାରାଣୀ ଘଟଣାର ସିବିଆଇ ତଦନ୍ତ ଦାବି କରି ଦଳର ଏକ ପ୍ରତିନିଧି ଦଳ ଆଇନମନ୍ତ୍ରୀଙ୍କୁ ଭେଟି ଦାବି ପତ୍ର ଦେଇଛନ୍ତି । ସିବିଆଇ ତଦନ୍ତ ହେଲେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିବ । ସ୍ମିତାରାଣୀଙ୍କ ପରିବାରକୁ ସହାୟତା ମିଳନଥିବା କଥା ରଖିବା ରୁପେଶ ଭଦ୍ର ରାମକୋ କମ୍ପାନୀରେ କେମିତି ଠିକାଦାରୀ କରୁଛନ୍ତି କାହା ପ୍ରଭାବରେ ସେ ଏବେ ବି ଶକ୍ତିଶାଳୀ ତାକୁ ନେଇ ପ୍ରଶ୍ନ ଉଠାଇଥିଲେ । ଆଗାମୀ ଦିନରେ ଦଳ ମୁଖ୍ୟମନ୍ତ୍ରୀ ପାଖକୁ ଯାଇ ଆଲୋଚନା କରିବ ବୋଲି ପହି କହିଥିଲେ । ପହି ପ୍ରଚ୍ଛଦପଟରେ ନୁହେଁ ଆଗକୁ ଆସି ରୁପେଶ ଭଦ୍ରଙ୍କୁ ମୋହରା କରି ବିଧାୟକ ଲିକୁଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିବେ ଏକଥା ଏକ ପ୍ରକାର ସ୍ପଷ୍ଟ କରି ଦେଇଛନ୍ତି । ରୁପେଶଙ୍କୁ ମୋହରା କରି ବିଧାୟକ ଲିକୁଙ୍କୁ ଟାର୍ଗେଟ କରିବା ପଛର କାରଣ କ’ଣ ଥାଇପାରେ? ଯାହା ଖବର ଅଛି, ରୁପେଶ ଲିକୁଙ୍କ ଜଣେ ସମର୍ଥକ ହୋଇପଡ଼ିଥିବା ଏବଂ ବିଧାୟକଙ୍କ ସହ ବିଭିନ୍ନ ସଭାସମିତିରେ ସାମିଲ ହେବାର ଫଟୋ ପହି ପାଇଯିବା ପରେ ଏହାକୁ ଏକ ବଡ଼ ଅସ୍ତ୍ର କରିଛନ୍ତି । ସ୍ମିତାରାଣୀ ବିଶ୍ୱାଳ ମୃତୁ୍ୟ ଘଟଣାକୁ ସେସମୟରେ ବିଜେପି ଗମ୍ଭିରତାର ସହ ନେଇ ରାଜରାସ୍ତାକୁ ଓହ୍ଲାଇଥିଲା । ଏବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଠାରୁ ବଡ଼ବଡ଼ ନେତା-ନେତ୍ରୀ ଧର୍ମଶାଳାରେ ପହଞ୍ଚି ଶାସକ ଦଳ ବିଜେଡ଼ି ବିରୁଦ୍ଧରେ ଗର୍ଜନ-ତର୍ଜନ କରିଥିଲେ । ଯେତେ ବେଳେ ବିଜେପି ସ୍ମିତାରାଣୀ ମୃତୁ୍ୟ ମାମଲାକୁ ଏକ ପ୍ରସଙ୍ଗ କରି ରାଜ୍ୟଯାକରେ ଆନେ୍ଦାଳନକୁ ଓହ୍ଲାଇଥିଲା, ସେସମୟରେ ଏବର ବିଜେପି ନେତ୍ରୀ ପହି କଂଗ୍ରେସ ଦଳର ଧର୍ମଶାଳା ନେତ୍ରୀ ରହିଥିଲେ । ୨୦୨୧ମସିହାରେ ହାତ ମୋହଛାଡ଼ି ପଦ୍ମଧରିଥିଲେ । ବିଜେପି ନେତ୍ରୀ ପହି ଚଳିତ ନିର୍ବାଚନରେ ପଦ୍ମଦଳରୁ ନିର୍ବାଚନ ଲଢି ଅନ୍ୟତମ ଦଳୀୟ ପ୍ରତିଦ୍ୱନ୍ଦି ଲିକୁଙ୍କ ଠାରୁ ହାରିଯିବା ପରେ ଏକ ପ୍ରକାର ବାଉଳି ହୋଇ ଚାଲିଛନ୍ତି । ନିର୍ବାଚନ ପରବର୍ତ୍ତୀ ସମୟରେ ଧର୍ମଶାଳା ହେଉ କି ଜିଲାସ୍ତରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପହି ଅଲୋଡ଼ା ହେଉଥିବା ବେଳେ ଲିକୁ ଲୋଡ଼ା ପଡ଼ୁଛନ୍ତି । ଯାହାକୁ ହଜମ କରିବା ସହଜ ବ୍ୟାପାର ନୁହେଁ । ଏଣୁ ବିଜେପି ନେତ୍ରୀ ପହି ସରକାର ଗଠନ ପରେ ପରେ ଅର୍ଥାତ ଜୁଲାଇ ମାସରେ ଚାନ୍ଦା ନେବା ପରେ କ୍ରସର ଚଲାଇବାକୁ ଅନୁମତି ମିଳୁଥିବାର ସାଂଘାତିକ ଅଭିଯୋଗ ଖଣି ଅଧିକାରୀଙ୍କୁ ଭେଟି କରିଥିଲେ । ପହି ଖଣି ଅଧିକାରୀଙ୍କୁ କରିଥିବା ଅଭିଯୋଗରେ ବିଧାୟକ ଲିକୁଙ୍କ ନାଁ ଧରି ନଥିଲେ ହେଁ ପ୍ରୋସôାହିତ କରୁଥିବାରୁ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ପହିଙ୍କ ଉକ୍ତ ଅଭିଯୋଗ ଧର୍ମଶାଳା ରାଜନୀତିରେ ହଠାତ କମ୍ପନ ସୃଷ୍ଠି କରିଥିଲା । ବିଧାୟକ ମଧ୍ୟ ପହିଙ୍କ ଅଭିଯୋଗକୁ ନେଇ ଚିହିଁକି ଉଠି ସେ ଖଣି ବିଭାଗକୁ ବେଆଇନ ଭାବେ ଚାଲୁଥିବା ଏବଂ ବେଆଇନ ଭାବେ ଗଚ୍ଛିତ ରଖିଥିବା କ୍ରସର ଉପରେ ଅଙ୍କୁଶ ଲଗାଇବାକୁ ଖଣି ବିଭାଗକୁ ପତ୍ର ଲେଖି ଦାବି ରଖିଥିବା କଥା ସୂଚାଇଥିଲେ । ତେବେ ପହି କିଛିଦିନ ନିରବ ରହିବା ପରେ ସ୍ମିତାରାଣୀ ମୃତୁ୍ୟ ମାମଲାକୁ ନେଇ ଚେଇଁ ଉଠିଛନ୍ତି । ଗତମାସ ୨୧ତାରିଖରେ ପହିଙ୍କ ସମର୍ଥକ ସ୍ମିତାରାଣୀ ପ୍ରସଙ୍ଗ ଉଠାଇ ରୁପେଶ ଭଦ୍ରଙ୍କୁ ଟାର୍ଗେଟ କରିଥିଲେ । ଯାହା ପଛର ବଡ଼ କାରଣ ଥିଲା ରୁପେଶ ବିଜେପିର କିଛି କାର୍ଯ୍ୟକର୍ତ୍ତାଙ୍କ ନାଁରେ ଧର୍ମଶାଳା ଥାନାରେ ତାଙ୍କୁ ବନ୍ଧୁକ ଦେଖାଇ ଜୀବନରୁ ମାରିଦେବାକୁ ଏତଲା କରିଥିଲେ । ଉକ୍ତ ଏତଲା ଉପରେ ପୁଲିସ ପକ୍ଷରୁ ଏଯାବଦ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ବେଳେ ସ୍ମିତାରାଣୀ ପ୍ରସଙ୍ଗ ଉଠାଇଥିବା ବିଜେପି କାର୍ଯ୍ୟକର୍ତ୍ତା ରୁପେଶଙ୍କୁ ରାମକୋ କାରଖାନାରୁ ନିର୍ବାସିତ କରିବାକୁ ସ୍ୱର ଉଠାଇଥିଲେ । ଅଧୁନା ରୁପେଶ ରାମକୋରେ ଠିକାଦାରୀ କରୁଥିବା ବେଳେ ନିକଟପାଖରେ ବିଧାୟକ ଲିକୁଙ୍କ ସହ ତାଙ୍କ ଫଟୋ ଘୁରିବୁଲିବା ପରେ ପହି ସମର୍ଥକଙ୍କ ପାଇଁ ଏହାଏକ ବଡ଼ଅସ୍ତ୍ର ଭାବେ ଧରିନେଇଥିଲେ । ଧର୍ମଶାଳାରେ ସ୍ମିତାରାଣୀ ଏବଂ ରୁପେଶଙ୍କ କଥା ଉଠାଉଥିବା ପହିଙ୍କ ସମର୍ଥକ ରାଜଧାନୀରେ ପହଁଚି ଆଇନମନ୍ତ୍ରୀଙ୍କ ଦ୍ୱାରସ୍ଥ ହେବା ଘଟଣା ପଛରେ ବିଧାୟକ ଲିକୁଙ୍କୁ ଟାଣି ବିଜେପି ରାଜ୍ୟ ନେତୃତ୍ୱଙ୍କ ଦୃଷ୍ଟି ଆକର୍ଷଣ କରିବା ହିଁ ପ୍ରମୁଖ କାରଣ ବୋଲି ଧର୍ମଶାଳା ରାଜନୀତି ଉପରେ ନଜର ରଖୁଥିବା ମହଲରେ ଆଲୋଚନା ହେଉଛି । ତେବେ ଏନେଇ ରୁପେଶ ଭଦ୍ରଙ୍କ ମତାମତ ନେବାକୁ ଚେଷ୍ଟା କରାଯାଇଥିଲେ ହେଁ ବ୍ୟସ୍ତ ଅଛି ପରେ କଥା ହେବି ବୋଲି କହି ମତଦେବାରୁ ଦୂରେଇ ରହିଥିଲେ । କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଧର୍ମଶାଳା ବିଜେପିର ଗୋଷ୍ଠୀ କନ୍ଦଳ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଛି । ଏଭଳି ସ୍ଥିତିରେ ବିଜେପି ରାଜ୍ୟ ଏବଂ ଜିଲା ନେତୃତ୍ୱଙ୍କ ନିରବତା କର୍ମୀ ମହଲକୁ କେବଳ ଦ୍ୱନ୍ଦରେ ପକାଇନି କିଏ ଅସଲି ଆଉ କିଏ ନକଲି ତାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ।