ଉଚ୍ଚଶିକ୍ଷା ପାଇଁ ସଂଯୁକ୍ତାଙ୍କୁ ସହଯୋଗ କଲେ ସମାଜସେବୀ 

ଖଣ୍ଡପଡା:  ଖଣ୍ଡପଡ଼ା ବ୍ଲକ ଅଧିନ ବେଣାଗାଡିଆ ଗ୍ରାମର ପଞ୍ଚାନନ ନାୟକଙ୍କ ଝିଅ ସଂଯୁକ୍ତା ଗତ ୨୦୨୪ ଫେବୃଆରୀରେ ୧୪ ବର୍ଷ ବୟସରେ ବାଲ୍ୟବିବାହର ଶିକାର ହୋଇଥିଲା । ସମାଜସେବୀ ସୁଦୀପ୍ତ କୁମାର ସାହୁଙ୍କ ଉଦ୍ୟମକ୍ରମେ ସେହି ସମୟରେ ନାବାଳିକାକୁ ଉଦ୍ଧାର କରାଯିବା ସହ ତା ପାଇଁ ପାଠପଢାର ବ୍ୟବସ୍ଥା କରାଯାଇଥିଲା । ସଂଯୁକ୍ତା ପାଠପଢି ଦଶମ ପରୀକ୍ଷାରେ ୪୯ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଥିଲା । ମାତ୍ର ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ଯୋଗୁଁ ଛାତ୍ରୀ ସଂଯୁକ୍ତା ଉଚ୍ଚଶିକ୍ଷା ପାଇବାରୁ ବଞ୍ଚିତ ହେବାକୁ ଯାଉଥିବା ନେଇ ସମାଜସେବୀକା ସ୍ନିଗ୍ଧା ସ୍ନେହଦର୍ଶିନୀ ଅବଗତ ହେବା ପରେ ତାଙ୍କୁ ସହଯୋଗର ହାତ ବଢାଇଥିବା ଜଣାଯାଇଛି । ସ୍ନିଗ୍ଧାଙ୍କ ଆର୍ଥିକ ସହଯୋଗରେ ଛାତ୍ରୀ ସଂଯୁକ୍ତା ଖଣ୍ଡପଡା ମହିଳା କଲେଜର +୨ ପ୍ରଥମ ବର୍ଷ କଳା ଶ୍ରେଣୀରେ ନାମ ଲେଖାଇ ପାଠ ପଢିବାର ସୁଯୋଗ  ପାଇଥିବାରୁ ସଂଯୁକ୍ତାଙ୍କ ପରିବାରବର୍ଗ ଆନନ୍ଦ ପ୍ରକାଶ କରିଛନ୍ତି ।ସମାଜସେବିକା ସ୍ନିଗ୍ଧା ଗରିବ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରି ସମାଜରେ ଅନ୍ୟମାନଙ୍କ ପାଇଁଁ ଉଦାହରଣ ପାଲଟିଛନ୍ତି ।