ଉଚ୍ଛେଦକୁ ବିରୋଧ : ଧାରଣାରେ ବସିଲେ ଦୋକାନୀ
ନବରଙ୍ଗପୁର : ମହାରାଣୀ କ୍ଳବ ଜମିରେ ବହୁ ବର୍ଷ ହେବ ସ୍ଥାନୀୟ ୧୩ ଜଣ ଦୋକାନ କରି ଆସୁଛନ୍ତି । ସେମାନଙ୍କୁ କ୍ଳବ ପକ୍ଷରୁ ଉଠିଯିବାକୁ କୁହାଯାଇଥିଲା । ତେବେ ଦୋକାନୀମାନେ କ୍ଳବକୁ ଭଡା ମଧ୍ୟ ଦେଇ ଆସୁଛନ୍ତି । ଏନେଇ ୧୩ ଜଣ ଦୋକାନୀ ହାଇକୋର୍ଟରୁ ସ୍ଥଗିତାଦେଶ ୪ ତାରିଖରେ ଆଣିଥିଲେ ମଧ୍ୟ ଜବରଦସ୍ତ ଭାବେ ଉଚ୍ଛେଦ କରିବାକୁ ସୋମବାର ମେସିନ ଲଗାଯାଇଥିବା ପ୍ରତିବାଦରେ ଦୋକାନୀ ଓ ସ୍ଥାନୀୟ ଲୋକେ ସରକାରୀ ବସ ଷ୍ଟାଣ୍ଡ ଛକରେ ୨୬ ନମ୍ବର ଜାତୀୟ ରାଜପଥ ଉପରେ ଧାରଣାରେ ବସି ରାସ୍ତାରୋକୋ କରିଛନ୍ତି । ନବରଙ୍ଗପୁର ଥାନା ଅଧିକାରୀ ସମ୍ବିତ ବେହେରା ଆନେ୍ଦାଳନକାରୀଙ୍କୁ ବୁଝାସୁଝା କରିଥିଲେ । ସାମାଜିକ କର୍ମୀ ଶିତେଶ ପଟ୍ଟନାୟକଙ୍କ ନେତୃତ୍ୱରେ ୧୩ ଜଣ ଦୋକାନୀ ରାସ୍ତାରୋକୋ କରି ଉପଜିଲାପାଳ ଓ ଅତିରିକ୍ତ ଜିଲାପାଳ ଆସି ସମସ୍ୟାର ସମାଧାନ କରନ୍ତୁ । ତାହା ନ ହେଲେ କେହି ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଜିଦରେ ଅଟଳ ରହିଛନ୍ତି । ତେବେ ପୁଲିସ ପହଁଞ୍ଚି ରାସ୍ତାରେ ଗାଡି ଚଳାଚଳ ସ୍ୱାଭାବିକ କରିଥିଲା । ରାସ୍ତା ରୋକୋରୁ ଦୋକାନୀ ହଟିଥିବା ବେଳେ ଆସନ୍ତା କାଲି ଆଲୋଚନା ହେବ । ସେପର୍ଯ୍ୟନ୍ତ ଉଛେଦ ପ୍ରକ୍ରିୟା ବନ୍ଦ ଥିବା ଜଣା ପଡ଼ିଛି ।