ଶିଳ୍ପାଞ୍ଚଳ ଜିଲ୍ଲାର ସ୍ୱତନ୍ତ୍ର ପରିଚୟ ପାଇବ ଢେଙ୍କାନାଳ
ଭୁବନେଶ୍ୱର : ଢେଙ୍କାନାଳ ଗୁଡ଼ନାଇଟ୍ କ୍ଲବ ପକ୍ଷରୁ ରବିବାର ୧୦ମ ବୈଶାଖୀ ମହୋତ୍ସବ ଉଦ୍ୟାପିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ ଯୋଗଦେଇ କହିଛନ୍ତି, ଢେଙ୍କାନାଳର କଳା ସଂସ୍କୃତି ଢେଙ୍କାନାଳରୁ ରାଜ୍ୟ ଓ ଦେଶରେ ଏକ ସ୍ୱତନ୍ତ୍ର ପରିଚୟ ଆଣିଦେଇଛି । ଜିଲ୍ଲାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଜାରି ରହିଛି । ଆଗାମୀ ଦିନରେ ଢେଙ୍କାନାଳ ଜିଲ୍ଲା ଏକ ବଡ଼ ଶିଳ୍ପାଞ୍ଚଳ ଜିଲ୍ଲା ଭାବରେ ସମଗ୍ର ରାଜ୍ୟରେ ପରିଚୟ ହେବାକୁ ଯାଉଛି । ଏଥିପାଇଁ ସେ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ସମ୍ମାନିତ ଅତିଥି ଭାବେ ଜିଲାପରିଷଦ ସଭାପତି ଅର୍ଚ୍ଚନା ପୁହାଣ, ଏସ୍ପି ଅଭିନବ ସୋନକର, ରାଜ୍ୟ ଉଚ୍ଚ ନ୍ୟାୟାଳୟର ଆଇନ୍ଜୀବୀ ଲଳିତେନ୍ଦୁ ମିଶ୍ର, ଯୁବ ସମାଜସେବୀ ଜଗଦିଶ ସାମଲ ପ୍ରମୁଖ ଯୋଗଦେଇ ଗୁଡ଼ନାଇଟ୍ କ୍ଲବ କଳା ସଂସ୍କୃତିକୁ ପ୍ରୋସାହିତ କରିବା ସହିତ ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟ କରି ନିଜସ୍ୱ ଏକ ପରିଚୟ ସୃଷ୍ଟି କରିଛି ବୋଲି ମତବ୍ୟକ୍ତ କରିଥିଲେ । ଉତ୍ସବରେ ସୁକାନ୍ତ କୁମାର ମିଶ୍ର ସଭାପତିତ୍ୱ କରିଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଅପରେସନ ସିନ୍ଦୂରରେ ଶହୀଦ ହୋଇଥିବା ସେନା ଅଧିକାରୀ, ଯବାନ ଓ ପହେଲଗାଁଓ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ପର୍ଯ୍ୟଟକଙ୍କ ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଦେବାଶିଷ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅରବିନ୍ଦ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ଲକ୍ଷ୍ମୀକାନ୍ତ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବିନୋଦ ମହାନ୍ତି, ଅମ୍ବିକା ପ୍ରସାଦ ପଟ୍ଟନାୟକ, ମାନସ ସାହୁ, ସୌରଭ ବିଶ୍ୱାଳ, ଗଙ୍ଗାଧର ରାଉତ, ଆଲୋକ ଦାସ, ସର୍ବେଶ୍ୱର ବ୍ରହ୍ମ, ଶ୍ରୀନିବାସ ଦାସ, ବାବୁଲି ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏହି ଅବସରରେ ଓଡ଼ିଶାର ପ୍ରସିଦ୍ଧ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢ଼ୀ ଓ ସାଥି ସଂଗୀତ ପରିବେଷଣ କରିଥିଲେ ।