ପରଲୋକରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟର
ନୂଆଦିଲ୍ଲୀ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜିମି କାର୍ଟରଙ୍କ ପରଲୋକ ହୋଇଛି । ୧୦୦ ବର୍ଷ ବୟସରେ ସେ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଆମେରିକା ଇତିହାସରେ ସବୁଠୁ ଅଧିକ ବର୍ଷ ଯାଏ ଜୀବିତ ଥିବା ରାଷ୍ଟ୍ରପତି ଥିଲେ ଜିମି କାର୍ଟର । ମାତ୍ର ଦୀର୍ଘ ଦିନ ହେଲା ସେ ବୟସାଧିକ ରୋଗ ସମେତ ମାରାତ୍ମକ ସ୍କିନ୍ କ୍ୟାନସର ରୋଗରେ ପୀଡିତ ଥିଲେ ।
ଗତ ଅକ୍ଟୋବରରେ ଜିମିଙ୍କ ୧୦୦ତମ ଜନ୍ମ ଦିବସ ପାଳନ କରାଯାଇଥିଲା । ସାରା ଦୁନିଆରେ ଗଣତନ୍ତ୍ର ଏବଂ ମାନବାଧିକାର ପାଇଁ ସ୍ୱର ଉଠାଉଥିବା କାର୍ଟର ସେଣ୍ଟର ଏହି ଦୁଃଖଦ ଖବର ଦେଇଛି । ରବିବାର ଅପରାହ୍ନରେ ଜର୍ଜିଆସ୍ଥିତ ନିଜ ବାସଭବନରେ ଜିମିଙ୍କ ନିଧନ ହୋଇଥିବା ସଂସ୍ଥା ସୂଚନା ଦେଇଛି ।ଉଲ୍ଲେଖଯୋଗ୍ୟ ଯେ ଜିମି କାର୍ଟର ୧୯୭୭ ମସିହାରେ ଜେରାଲ୍ଡ.ଫୋର୍ଡଙ୍କୁ ହରାଇ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ । ଆମେରିକାର ୩୯ତମ ରାଷ୍ଟ୍ରପତି ଭାବେ ଜିମିଙ୍କ କାର୍ଯ୍ୟକାଳ ୧୯୭୭ରୁ ୧୯୮୧ ଯାଏ ଥିଲା । ନିଜ ଶାସନ କାଳରେ ଜିମି ମଧ୍ୟ ପ୍ରାଚ୍ୟ ସହ ଆମେରିକାର ସମ୍ପର୍କକୁ ଦୃଢ କରିବାକୁ ପ୍ରାଥମିକତା ଦେଇଥିଲେ । ଅନ୍ତଃରାଷ୍ଟ୍ରୀୟ ଶାନ୍ତିକୁ ପ୍ରୋସôାହିତ କରିବା ସହ ଲୋକତନ୍ତ୍ର ଓ ମାନବାଧିକାରକୁ ଗୁରୁତ୍ୱ ଦେବା ନିମନ୍ତେ ତାଙ୍କୁ ୨୦୦୨ ମସିହାରେ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
୧୯୨୪ ମସିହା ଅକ୍ଟୋବର ୧ ତାରିଖରେ ଜିମି କାର୍ଟରଙ୍କ ଜନ୍ମ ଏକ କୃଷକ ପରିବାରରେ ହୋଇଥିଲା । ପ୍ରଥମେ ନୌସେନା କାମ କରିବା ପରେ ୧୯୬୦ରେ ସେ ରାଜନୀତିରେ ପାଦ ରଖିଥିଲେ । ୧୯୭୧ ମସିହାରେ ସେ ଜର୍ଜିଆର ଗଭର୍ଣ୍ଣର ହୋଇଥିଲେ ଏବଂ ଏହାର ୬ ବର୍ଷ ପରେ ରିପବ୍ଲିକାନ ପାର୍ଟି ତାଙ୍କୁ ନିଜର ରାଷ୍ଟ୍ରପତି ପ୍ରାର୍ଥୀ କରିଥିଲା । ରାଷ୍ଟ୍ରପତି ଭାବେ କାର୍ଯ୍ୟକାଳ ଶେଷ ହେବାର ଗୋଟିଏ ବର୍ଷ ପରେ ୧୯୮୨ ମସିହାରେ ସେ କାର୍ଟର ସେଣ୍ଟର ନାମକ ଏକ ଚାରିଟି ଅନୁଷ୍ଠାନ ସ୍ଥାପନ କରିଥିଲେ । ଏହି ସଂସ୍ଥା ନିର୍ବାଚନରେ ପାରଦର୍ଶିତା ଆଣିବା, ମାନାବାଧିକାରର ସମର୍ଥନ କରିବା ଏବଂ ସ୍ୱାସ୍ଥ୍ୟ ସେବାକୁ ମଜଭୁତ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । କାର୍ଟର ନିଜ ଜୀବନକାଳରେ ପ୍ରାୟ ୩୦ ପୁସ୍ତକ ରଚନା କରିଛନ୍ତି । ଜିମି କାର୍ଟରଙ୍କ ମୃତୁ୍ୟରେ ରାଷ୍ଟ୍ରପତି ଜୋ ବିଡେନ ଟ୍ୱିଟରରେ ଲେଖିଛନ୍ତି ଯେ ଆମେରିକା ଏବଂ ବିଶ୍ୱ ଜଣେ ଅସାଧାରଣ ନେତାଙ୍କୁ ହରାଇଛନ୍ତି । ସେହିପରି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପୋଷ୍ଟରେ ଜିମି କାର୍ଟରଙ୍କ ମୃତୁ୍ୟ ବିଷୟରେ ଲେଖିଛନ୍ତି ଯେ ମୁଁ ରାଷ୍ଟ୍ରପତି ଜିମି କାର୍ଟରଙ୍କ ମୃତୁ୍ୟ ଖବର ଶୁଣିଛି । ରାଷ୍ଟ୍ରପତି ଭାବରେ ଜିମି ସମ୍ମୁଖୀନ ହୋଇଥିବା ଚ୍ୟାଲେଞ୍ଜଗୁଡିକ ଆମ ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଆସିଥିଲା । ସମସ୍ତ ଆମେରିକୀୟଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ ସେ ସବୁକିଛି କରିଥିଲେ । ଆମେ ସମସ୍ତେ ତାଙ୍କ ପାଇଁ କୃତଜ୍ଞ । କାର୍ଟର ସେଣ୍ଟର ଅନୁଯାୟୀ, ୧୯୭୮ ମସିହା ଜାନୁଆରି ୩ ତାରିଖରେ କାର୍ଟର ଏବଂ ପ୍ରଥମ ଲେଡି ରୋଜାଲିନ୍ କାର୍ଟର ନୂଆଦିଲ୍ଲୀଠାରୁ ଏକ ଘଣ୍ଟା ଦୂରରେ ହରିୟାଣାର ଦୌଲାତପୁର-ନାସିରାବାଦ ପରିଦର୍ଶନ କରିଥିଲେ । ଏହି ଗସ୍ତ ଏତେ ସଫଳ ହୋଇଥିଲା ଯେ କିଛି ସମୟ ପରେ ଗାଁର ବାସିନ୍ଦା ଏହି ଅଞ୍ଚଳର ନାମ ‘କାର୍ଟରପୁରୀ' ରଖିଥିଲେ । ରାଷ୍ଟ୍ରପତି କାର୍ଟରଙ୍କ କାର୍ଯ୍ୟକାଳ ସମୟରେ ହ୍ୱାଇଟ ହାଉସ ସହ ଯୋଗାଯୋଗରେ ରହିଥିଲେ । ୨୦୨୨ରେ ଯେତେବେଳେ ରାଷ୍ଟ୍ରପତି କାର୍ଟର ନୋବେଲ ଶାନ୍ତି ପୁରସ୍କାର ଗ୍ରହଣ କରିଥିଲେ, ସେତେବେଳେ ଏହି ଗାଁରେ ମଧ୍ୟ ଉସôବ ପାଳନ କରାଯାଇଥିଲା । ସେ ଭାରତ ଗସ୍ତରେ ଆସିଥିବା ତୃତୀୟ ଆମେରିକୀୟ ରାଷ୍ଟ୍ରପତି ଏବଂ ଏକମାତ୍ର ଯିଏକି ଭାରତ ସହିତ ବ୍ୟକ୍ତିଗତ ସମ୍ପର୍କ ରଖିଥିଲେ । ତାଙ୍କ ମାଆ ଲିଲିୟାନ୍ ୧୯୬୦ ଦଶକରେ ଶାନ୍ତି ନିଗମ ସହିତ ଭାରତରେ ସ୍ୱେଚ୍ଛାସେବୀ ଭାବରେ କାର୍ଯ୍ୟ କରିଥିଲେ ।