ଉନ୍ନତି ପଥରେ ଜନଜାତିଙ୍କ ବିକାଶ 

 ଢେଙ୍କାନାଳ : ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହାଅଭିଯାନ(ପିଏମ-ଜନମନ) ଯୋଜନାରେ ଢେଙ୍କାନାଳ ଜିଲ୍ଲାର ୭ଗୋଟି ବ୍ଲକର ୧୧୨ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି । ଉକ୍ତ ଯୋଜନାରେ ସ୍ୱତନ୍ତ୍ର ଦୁର୍ବଳ ଜନଜାତି ସମ୍ପ୍ରଦାୟର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ୧୧ଟି ମନ୍ତ୍ରାଳୟର କାର୍ଯ୍ୟକ୍ରମକୁ ଅନ୍ତର୍ଭୁକ୍ତ କରାଯାଇଛି । ଜିଲ୍ଲାର ଜୁଆଙ୍ଗ ସମ୍ପ୍ରଦାୟର ଜନଜାତିମାନେ ଏହି ଯୋଜନାରେ ଉପକୃତ ହେଉଛନ୍ତି ।
ଜିଲ୍ଲାର ଜୁଆଙ୍ଗ ସମ୍ପ୍ରଦାୟର ୧୧୨୬ଜଣ ହିତାଧିକାରୀଙ୍କ ଘର କାର୍ଯ୍ୟ ସାରିଥିବାବେଳେ ୨୭୭୬ଜଣ ହିତାଧିକାରୀଙ୍କୁ ଘର ଅନୁମୋଦନ କରାଯାଇଛି । ସମସ୍ତ ଜନବସତିରେ ଶିବିର କରାଯାଇ ଆଧାର ପଞ୍ଜିକରଣ କରାଯାଇଛି । ଏଥିରେ ୫୦୮ଜଣ ହିତାଧିକାରୀ ଉପକୃତ ହୋଇଛନ୍ତି । ସେହିପରି ୧୩୨୨ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଅଧିକାର ଶିରୋନାମା ପ୍ରଦାନ କରାଯାଇଛି । ଏହାସହିତ ଏ ସଂକ୍ରାନ୍ତରେ ୧୫୪ଟି ନୂତନ ଦରଖାସ୍ତ ଗ୍ରହଣ କରାଯାଇଛି । ବିଦୁ୍ୟତ୍ ସଂଯୋଗ କ୍ଷେତ୍ରରେ ୮୩ଜଣ ହିତାଧିକାରୀଙ୍କ ଘରକୁ ବିଦୁ୍ୟତ୍ ସଂଯୋଗ ମିଳିଥିବାବେଳେ ୧୨୮ ଜଣ ହିତାଧିକାରୀଙ୍କୁ ଅନୁମୋଦନ ମିଳିଛି । ସମସ୍ତ ଜୁଆଙ୍ଗ ଗ୍ରାମରେ ଅଙ୍ଗନବାଡି କେନ୍ଦ୍ର ମଧ୍ୟ ଚାଲୁରହିଛି । ଏଥିସହିତ ସମସ୍ତ ଗ୍ରାମକୁ ରାସ୍ତା ସଂଯୋଗୀକରଣ ହୋଇଥିବାବେଳେ ୧୪ ଟି ଗ୍ରାମର ୩୬. ୬୯୯ କିଲୋମିଟର ରାସ୍ତା ନିର୍ମାଣ ଓ ମରାମତି ପାଇଁ ସରକାରଙ୍କ ତରଫରୁ ଅନୁମୋଦନ ପ୍ରେରଣ କରାଯାଇଛି । ଏହି କାର୍ଯ୍ୟକ୍ରମ ପ୍ରରିପ୍ରେକ୍ଷୀରେ ଜିଲ୍ଲାର ୫ଟି ଗ୍ରାମକୁ ମଡେଲ ଗ୍ରାମରେ ଅନ୍ତର୍ଭୁକ୍ତ କରାଯାଇଛି । ସେଗୁଡିକ ହେଲା କଙ୍କଡ଼ାହାଡ଼ ବ୍ଲକର ଜରଡ଼ା, ଭାଲୁମୁଣ୍ଡା, ହଳଦିକୁଣ୍ଡି, ବାଘବସା, ବାଘୁଆ ଗ୍ରାମ । ସରକାରଙ୍କ ଦ୍ୱାରା ଏକ ନୂତନ ଯୋଜନା ଧରତୀ ଆବା ଜନାଜାତିୟ ଗ୍ରାମ୍ୟ ଉନ୍ନତ ଅଭିୟାନ (ଡିଏ-ଜେଜିୟୁଏ) ପ୍ରଚଳିତ ହୋଇଛି । ଉକ୍ତ ସ୍କିମରେ ଢେଙ୍କାନାଳ ଜିଲ୍ଲାରେ ୬ ଗୋଟି ବ୍ଲକର ୧୨୭ ଗୋଟି ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି । ସେଥିମଧ୍ୟରୁ ଢେଙ୍କାନାଳ ସଦର ବ୍ଲକର ୩ଟି, ଗାଁଦିଆର ୭ଟି, କାମାକ୍ଷାନଗରର ୫ଟି, କଙ୍କଡାହାଡର ୧୧୦ଟି, ଓଡାପଡାର ୧ଟି ଓ ପରଜଙ୍ଗର ୧ ଟି ଗ୍ରାମକୁ ଅନ୍ତର୍ଭୁକ୍ତ କରାଯାଇଛି । ଧରତୀ ଆବା ଜନଜାତିୟ ଗ୍ରାମ୍ୟ ଉନ୍ନତ ଅଭିଯାନରେ ୧୭ଗୋଟି ମନ୍ତ୍ରଣାଳୟର ୨୫ ଗୋଟି କାର୍ଯକ୍ରମକୁ ଅନ୍ତର୍ଭୁକ୍ତ କରାଯାଇଛି ।  ଗତ ଜୁନ୍୧୫ ତାରିଖରୁ ଜୁନ ୩୦ ରିଖ ପର୍ଯ୍ୟନ୍ତ ଏହି ଯୋଜନାର ସଫଳ ରୂପାୟନ ନିମନ୍ତେ ଗ୍ରାମ୍ୟସ୍ତରରୁ ବ୍ଲକସ୍ତର ଓ ଜିଲ୍ଲାସ୍ତର ପର୍ଯ୍ୟନ୍ତ ବ୍ୟାପକ ସୂଚନା-ଶିକ୍ଷା -ଯୋଗାଯୋଗ କାର୍ଯ୍ୟକ୍ରମ ଶିବିର ମାଧ୍ୟମରେ ଅନୁଷ୍ଠିତ ହେବ । ଏହି ପ୍ରରିପ୍ରେକ୍ଷୀରେ ଢେଙ୍କାନାଳ ଜିଲ୍ଲାପାଳ  ସୋମେଶ କୁମାର ଉପାଧ୍ୟାୟ କହିଛନ୍ତି ଯେ, ପିଏମ - ଜନମନ ଯୋଜନା ଓ ଧରତୀ ଆବା ଜନଜାତୀୟ ଗ୍ରାମ୍ୟ ଉନ୍ନତ ଅଭିଯାନ, ଏହି ଦୁଇଟି ଯୋଜନା ଜନଜାତିଙ୍କ ବିକାଶର ମେରୁଦଣ୍ଡକୁ ସୁଦୃଢ କରିଛି । ତା’ ସହିତ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିପାରିଛି ।