ଜନ୍ମ ମୃତୁ୍ୟ ପ୍ରମାଣପତ୍ର ପ୍ରଦାନରେ ବ୍ୟତିକ୍ରମ
ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରେ ଜନ୍ମ ମୃତୁ୍ୟ ପ୍ରମାଣ ପତ୍ର ପାଇବା ପାଇଁ ବ୍ଲକବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏ ନେଇ ବିଭିନ୍ନ ସମୟରେ ପ୍ରଶାସନ ପାଖରେ ଅଭିଯୋଗ ହେଉଥିଲେ ମଧ୍ୟ ସମସ୍ୟା ସୁଧୁରିବାର ନାଁ ନେଉନାହିଁ । ଘଟଣାରୁ ପ୍ରକାଶ ଯେ, ଗନ୍ଦିଆ ବ୍ଲକରେ ଥିବା ଏକ ମାତ୍ର ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନ୍ମ ମୃତୁ୍ୟ ପ୍ରମାଣ ପତ୍ର ମିଳିଥାଏ । କିନ୍ତୁ ଏହି ପ୍ରମାଣ ପତ୍ର ପାଇବାରେ ବର୍ତ୍ତମାନ ଏକ ବ୍ୟତିକ୍ରମ ଦେଖିବାକୁ ମିଳୁଛି । ଏହାର ପ୍ରମୁଖ କାରଣ ହେଉଛି ଏହି ବ୍ଲକରେ ପିଲା ଜନ୍ମ ହେଉ କିମ୍ବା କାହାର ମୃତୁ୍ୟ ହେଉ ଯଦି ସେମାନଙ୍କର ନାମ ସଠିକ୍ ସମୟରେ ଉକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଞ୍ଜିକରଣ ହୋଇ ନଥାଏ, ତେବେ ଉକ୍ତ ପ୍ରମାଣ ପତ୍ର ପାଇବା ପାଇଁ ପ୍ରଥମେ ଆବେଦନକାରୀ ଏକ ସତ୍ୟପାଠ ଜରିଆରେ ଜନ୍ମ ଓ ମୃତୁ୍ୟ ସମୟ ଓ ସ୍ଥାନକୁ ଲିପିବଦ୍ଧ ମାଧ୍ୟମରେ ଜମା କରିବାକୁ ପଡିଥାଏ । ପରେ ଉକ୍ତ ଆବେଦନ କାରିକୁ ଏକ ଏନଏସି ପ୍ରଦାନ କରାଯାଇଥାଏ । ଏହାକୁ ନେଇ ଆବେଦନକାରୀ ଢେଙ୍କାନାଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ମିସ୍ କେସ କରିଥାଏ ଓ ତାକୁ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ନେଇ ଜମା କରି ପ୍ରମାଣପତ୍ର ପାଇଥାଏ । କିନ୍ତୁ ଉକ୍ତ ମିସ୍ କେସ ପାଇଁ ଉକ୍ତ ବ୍ଲକର ସୀମାନ୍ତ ଅଞ୍ଚଳ ଗୁଡିକରେ ଥିବା ଗ୍ରାମ ଗୁଡିକର ଜନସାଧାରଣ ବିଶେଷ ଭାବରେ ପ୍ରଭାବିତ ହୋଇଥାନ୍ତି । ଉକ୍ତ ବ୍ଲକର ଦୂରତ୍ୱ ଢେଙ୍କାନାଳ ସହର ଠାରୁ ୩୦କିମି ହୋଇଥିବା ସ୍ଥଳେ ସୀମାନ୍ତରେ ଅବସ୍ଥିତ ଗ୍ରାମ ଗୁଡିକର ଦୂରତ୍ୱ ୭୦ରୂ ୮୦କିମି ହୋଇଥାଏ । କାର୍ଯ୍ୟାଳୟକୁ ଆବେଦନ କରି ଦୁଇ ଥର ଯିବାକୁ ପଡିଥାଏ । ଯଦି ଅନ୍ୟ କୌଣସି ଅସୁବିଧା ହୁଏ, ତାହେଲେ ଅଧିକ ଥର ଯିବାକୁ ପଡିଥାଏ, ତତ୍ସହିତ ସେଥିନିମନ୍ତେ ଅର୍ଥ ଖର୍ଚ୍ଚ କରିବାକୁ ପଡିଥାଏ । ଏହା ଫଳରେ ଦାରିଦ୍ର ସୀମାରେଖା ତଳେ ଥିବା ପରିବାର ଗୁଡିକ ପାଇଁ ପ୍ରତିବନ୍ଧକ ଦେଖିବାକୁ ମିଳିଥାଏ । ଏହାଦ୍ୱାରା ଉକ୍ତ ପରିବାର ଗୁଡିକ ଜନ୍ମ ଓ ମୃତୁ୍ୟ ପ୍ରମାଣପତ୍ର ଟିଏ ପାଇବା ତାଙ୍କ ପକ୍ଷରେ ଅନେକ ସମୟରେ ସମ୍ଭବପର ହୋଇନଥାଏ । ତେବେ ଉକ୍ତ ସମସ୍ୟାର ସମାଧାନ ପାଇଁ ଗଁଦିଆ ପ୍ରେସ କ୍ଲବ ଓ ଗଁଦିଆ ବାର ପକ୍ଷରୁ ଢେଙ୍କାନାଳ ଉପ ଜିଲ୍ଲାପାଳଙ୍କ ଠାରେ ଲିଖିତ ଭାବରେ ଘଟଣା ସମ୍ପର୍କରେ ଲିଖିତ ଭାବରେ ଅବଗତ କରାଯିବା ପରେ ଉକ୍ତ କାର୍ଯ୍ୟାଳୟ ପକ୍ଷରୁ ଗଁଦିଆ ତହସିଲରେ ଏହି ଜନ୍ମ ମୃତୁ୍ୟ ପ୍ରମାଣ ପତ୍ରର ମିସ କେସ କରିବାକୁ ଏକ ପତ୍ର ମାଧ୍ୟମରେ ଅବଗତ କରାଯାଇଛି । କିନ୍ତୁ ତାହା ସତ୍ତ୍ୱେ ଉକ୍ତ ଗଁଦିଆ ତହସିଲ କାର୍ଯ୍ୟାଳୟରେ ତାହା ଆଜି ସୁଦ୍ଧା କାର୍ଯ୍ୟ କରି ହୋଇ ନଥିବାରୁ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ଦେଖାଦେଇଛି । ଉକ୍ତ ଘଟଣା ସମ୍ପର୍କରେ ସ୍ଥାନୀୟ ତହସିଲଦାର ସତ୍ୟଜିତ ମହାପାତ୍ର ଙ୍କୁ ଯୋଗାଯୋଗ କରିବାରୁ ସେ କୁହନ୍ତି ଏଠାରେ ଉକ୍ତ ମିସ କେସ ଆରମ୍ଭ କରାଯିବ ବୋଲି ପ୍ରକାଶ । କିନ୍ତୁ କେବେ ଉକ୍ତ କାର୍ଯ୍ୟାଳୟରେ ଏହି ମିସ କେସ ଆରମ୍ଭ ହେବ, ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।