ଉନ୍ନୟନ କମିଶନର ଦାୟିତ୍ୱ ନେଲେ ଦେଓରଞ୍ଜନ
ଭୁବନେଶ୍ୱର : ନୂଆବର୍ଷରେ ରାଜ୍ୟ ସରକାର ଆଇଏଏସ୍ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି । ଲୋକସେବା ଭବନରୁ ହଟିଛନ୍ତି ୧୯୯୧ ବ୍ୟାଚର ବରିଷ୍ଠ ଆଇଏଏସ ଅଧିକାରୀ ସତ୍ୟବ୍ରତ ସାହୁ। ତାଙ୍କୁ ରାଜସ୍ୱ ପର୍ଷଦ ସଭ୍ୟଭାବେ ନିଯୁକ୍ତି ମିଳିଛି । ଅପରପକ୍ଷରେ ୧୯୯୩ ବ୍ୟାଚ୍ ଆଇଏଏସ ଦେଓରଞ୍ଜନ କୁମାର ସିଂହଙ୍କୁ ଉନ୍ନୟନ କମିଶନର ଭାବେ ନିଯୁକ୍ତି ଦିଆଯାଇଛି । ତାଙ୍କୁ ଯୋଜନା ଓ ସଂଯୋଜନା ବିଭାଗ ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏସିଏସ ଭାବେ ଦାୟିତ୍ୱ ମଧ୍ୟ ଦିଆଯାଇଛି । ପୂର୍ବରୁ ସତ୍ୟବ୍ରତଙ୍କ ହାତରେ ଗୃହ ବିଭାଗ ରହିଥିଲା । ଏବେ ସେହି ବିଭାଗ ବରିଷ୍ଠ ଆଇଏଏସ ହେମନ୍ତ ଶର୍ମାଙ୍କୁ ଦିଆଯାଇଛି । ଏତଦ୍ବ୍ୟତୀତ ପୂର୍ବଭଳି ସେ ଶିଳ୍ପ, ସୂଚନା ଓ ଲୋକସମ୍ପର୍କ ବିଭାଗର ଏସିଏସ ଭାବେ ବି ଦାୟିତ୍ୱ ତୁଲାଇବେ । ବରିଷ୍ଠ ଆଇଏଏସ ଶୁଭା ଶର୍ମା ପୂର୍ବଭଳି ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ସହ ଜଳସମ୍ପଦ ବିଭାଗର ଏସିଏସ ଭାବେ ଅତିରିକ୍ତ ଦାୟିତ୍ୱ ନିର୍ବାହ କରିବେ ।
ବରିଷ୍ଠ ଆଇଏଏସ ଭାସ୍କର ଜ୍ୟୋତି ଶର୍ମାଙ୍କୁ ନିଜ ଦାୟିତ୍ୱ ସହ ଅତିରିକ୍ତ ଭାବେ ଜଙ୍ଗଲ ଓ ପରିବେଶ ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି । ଅପରପକ୍ଷରେ ରାଜେଶ ପ୍ରଭାକର ପାଟିଲଙ୍କୁ ପୂର୍ବ ଦାୟିତ୍ୱ ସହ ଅତିରିକ୍ତ ଭାବେ ସ୍ୱତନ୍ତ୍ର ରିଲିଫ୍ କମିଶନର ଓ ଓସଡ଼ମାର ପରିଚାଳନା ନିର୍ଦ୍ଦେଶକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ମଧୁମିତା ରଥଙ୍କୁ ନୟାଗଡ଼ର ଜିଲ୍ଲାପାଳ ଭାବେ ଓ ନୟାଗଡ଼ ଜିଲ୍ଳାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲଙ୍କୁ ଗଜପତି ଜିଲ୍ଲାପାଳ ଭାବେ ନିଯୁକ୍ତି ଦିଆଯାଇଛି ।
Samir Kumar Rout