ଉପଖଣ୍ଡ ଚିକିତ୍ସାଳୟ ପାଲଟିଛି ରେଫରାଲ ସେଣ୍ଟର

ଗୁଣୁପୁରରୁ ବଳରାମ ପଣ୍ଡା : ରାଜନୈତିକ ଇଚ୍ଚାଶକ୍ତି ହେଉ କିମ୍ବା ପ୍ରଶାସନିକ ଉଦାସୀନତା ଯୋଗୁଁ ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ବର୍ଷ ଧରି ଡାକ୍ତର ଅଭାବ ସମସ୍ୟା ଲାଗି ରହିଛି । ଏହି ଉପଖଣ୍ଡ ଚିକିତ୍ସାଳୟରେ ଖାଲି ଯେ ଡାକ୍ତର ଅଭାବ ତାହା ନୁହେଁ, ବିଶେଷଜ୍ଞ ଡାକ୍ତର  ସହ ଅନ୍ୟାନ୍ୟ କର୍ମଚାରୀଙ୍କ ମଧ୍ୟ ଘୋର ଅଭାବ ଯୋଗୁଁ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡିଛି । ଫଳରେ ରୋଗୀ ତଥା ସ୍ଥାନୀୟ ବାସିନ୍ଦାଙ୍କୁ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବାବେଳେ ଉପଖଣ୍ଡ ଚିକିତ୍ସାଳୟ ପାଲଟିଛି ରେଫରାଲ ସେଣ୍ଟର । 
ରାୟଗଡା ଜିଲ୍ଲାର ଦ୍ୱିତୀୟ ବୃହତମ ସହର ଗୁଣୁପୁର । ଶିଳ୍ପ ବିହୀନ ଓ ଆଦିବାସୀ ବହୁଳ ଅଞ୍ଚଳ ଗୁଣୁପୁର ସହରରେ ଶିକ୍ଷା ଓ ବାଣିଜ୍ୟ ଓ ଗମନାଗମନ କ୍ଷେତ୍ରରେ ଟିକିଏ ସୁଧାର ଆସିଥିବା ବେଳେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଢେର ପଛରେ ରହିଥିବା ସ୍ପଷ୍ଟ ଅନୁମେୟ । ଓଡିଶା ଓ ଆନ୍ଧ୍ର ସୀମାନ୍ତରେ ଥିବା ଏହି ବ୍ଲକର ଗୁରୁତ୍ୱକୁ ଉପଲବ୍ଧ କରି ୧୯୫୯ ମସିହାରେ ୨୦ଗୋଟି ଶଯ୍ୟାକୁ ନେଇ ଆରମ୍ଭ ହୋଇଥିଲା ଗୁଣୁପୁର ସ୍ୱାସ୍ଥ୍ୟକେନ୍ଦ୍ର । ୧୯୮୯ମସିହାରେ ଏହା ୩୦ ଗୋଟି ଶଯ୍ୟାରେ ପରିଣତ ହୋଇ କମୁ୍ୟନିଟି ହେଲଥ୍ ସେଣ୍ଟର ମାନ୍ୟତା ପାଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ଅଧିକ ରୋଗୀ ସଂଖ୍ୟା ଦେଖି ତତ୍କାଳୀନ ରାଜ୍ୟ ସରକାର ୨୧-୦୫-୨୦୦୨ ମସିହାରେ ଏହି ଚିକିତ୍ସାଳୟକୁ ୭୦ ଶଯ୍ୟାକୁ ଉନ୍ନିତ କରି ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ପ୍ରଦାନ କରିଥିଲେ । ‘ଆମ ହସ୍ପିଟାଲ ଯୋଜନା’ରେ ରୂପାନ୍ତରୀକରଣ ହୋଇ ବାହାରୁ ଚକା ଚକ ଦିଶୁଥିବା ଏହି ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ସେବା ବିପର୍ଯ୍ୟସ୍ତ ହୋଇପଡିଛି । ୨୦୦୨ ମସିହାରେ ଉପଖଣ୍ଡର ମାନ୍ୟତା ପାଇଥିବା ଏହି ଚିକିତ୍ସାଳୟରେ ଡାକ୍ତର ଓ ବିଶେଷଜ୍ଞ ସଂଖ୍ୟା ବୃଦ୍ଧି ପାଇ ୪୯ ଓ ଚିକିତ୍ସାଳୟର ଅନ୍ୟାନ୍ୟ କର୍ମଚାରୀଙ୍କ ସଂଖ୍ୟା ବୃଦ୍ଧି ପାଇ ୮୩ ହେଲା । କିନ୍ତୁ ପରିତାପର ବିଷୟ ସରକାରଙ୍କ ଏହି ଘୋଷଣା କାଗଜ ପତ୍ରରେ ସୀମିତ ରହିଗଲା । ଏହି ଉପଖଣ୍ଡ ଚିକିତ୍ସାଳୟରେ ୪୯ ଡାକ୍ତର ଆବଶ୍ୟକ ରହିଥିବାବେଳେ ମାତ୍ର ୧୬ଜଣ ଡାକ୍ତରଙ୍କୁ ନେଇ ଚାଲିଛି ରୋଗୀ ସେବା ।  ବିଶେଷଜ୍ଞ  ଡାକ୍ତର କଥା ନ କହିବା ଭଲ । ସେହି ଭଳି ମ୍ୟାନେଜମେଣ୍ଟ ଷ୍ଟାଫର ମଧ୍ୟ ଘୋର ଅଭାବ । ୮୩ ସ୍ଥାନରେ ରହିଛନ୍ତି ମାତ୍ର ୩୧ ଜଣ । ଉପଖଣ୍ଡ ଚିକିତ୍ସାଳୟରେ ୫ ଗୋଟି ବ୍ଲକର ଲୋକ ତଥା  ଆନ୍ଧ୍ର ଓଡିଶା ସୀମାନ୍ତବର୍ତ୍ତୀ ଅଞ୍ଚଳର ଲୋକେ ନିର୍ଭର କରିଥାଆନ୍ତି । ପ୍ରତ୍ୟେକ ଦିନ ୩୦୦ରୁ ଊଦ୍ଧ୍ୱର୍ ରୋଗୀ ଏହି ଚିକିତ୍ସାଳୟକୁ ଚିକିତ୍ସା ହେବା ପାଇଁ ଆସିଥାନ୍ତି, କିନ୍ତୁ ଆବଶ୍ୟକ ଡାକ୍ତର ଓ ବିଶେଷଜ୍ଞ ଡାକ୍ତର ଅଭାବ ଯୋଗୁଁ ରୋଗୀ ବ୍ରହ୍ମପୁର, କଟକ, ଭୁବନେଶ୍ୱର, ଆନ୍ଧ୍ରପ୍ରଦେଶର ବିଶାଖପାଟଣା ଓ ଶ୍ରୀକାକୁଲମ ଉପରେ ନିର୍ଭର ହେବା ସହ ଅଯଥା ଖର୍ଚ୍ଚନ୍ତା ହେବାକୁ ପଢୁଥିବା କହୁଛନ୍ତି ସ୍ଥାନୀୟ ବାସିନ୍ଦା । ଗୁଣୁପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଅଭାବ ସହ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଅବଗତ ଅଛି, ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀଙ୍କ ସହ ଆଲୋଚନା କରି ଯଥା ଶୀଘ୍ର ସମସ୍ୟାର ସମାଧାନ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ଗୁଣୁପୁର ବିଧାୟକ ସତ୍ୟଜିତ ଗମାଙ୍ଗ । ନାହିଁ ନାହିଁରେ ଚାଲିଥିବା ଏହି ଉପଖଣ୍ଡ ଚିକିତ୍ସାଳୟର ସମସ୍ୟା ଦିଗରେ ଜିଲ୍ଲା ପ୍ରଶାସନ କିମ୍ବା  ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବା ନିହାରୀ ଜରୁରୀ ହୋଇପଡିଛି ।