ଗାଧୋଇବା ବେଳେ ଖସିଲା ପଥର : ଛାତ୍ର ମୃତ
ବ୍ରହ୍ମପୁର: ଏମିତି ବି ମୃତୁ୍ୟ ଆସେ । ପାହାଡ଼ ଉପରେ ଥିବା ଝଟଣାରେ ଗାଧୋଉଥିଲେ ଛାତ୍ର । ହେଲେ ପଥରରେ ଛକି ରହିଥିଲା ମୃତୁ୍ୟ । ଗାଧୋଉଥିବାବେଳେ ପଥର ଖସିଯିବାରୁ ଚାପି ହୋଇ ଜଣେ ଛାତ୍ରଙ୍କର ମୃତୁ୍ୟ ହୋଇଛି । ଅପରପକ୍ଷରେ ଶବ ବ୍ୟବଚ୍ଛେଦ ପାଇଁ ସାଙ୍ଗି ଭାରରେ ପ୍ରାୟ ୨ କିଲୋମିଟର ଶବକୁ ବୋହିନେବାକୁ ପଡ଼ିଥିଲା ।
ମୃତ ଛାତ୍ର ଜଣକ ହେଉଛନ୍ତି ତୁମ୍ବା ପଞ୍ଚାୟତ କଦଳୀ ଗାଁରୁ ଆସି ମାଙ୍କାଡ଼ାଇରେ ରହୁଥିବା ଶଙ୍କର ଶବର । ଆଜି ଶଙ୍କର ତିନି ସାଙ୍ଗଙ୍କ ସହିତ ଗ୍ରାମ ନିକଟରେ ଥିବା ଏକ ଝରଣାକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ସେ ଝରଣା ମଧ୍ୟରେ ଥିବା ଏକ ପଥର ଉପରେ ଛିଡ଼ା ହୋଇଥିବାବେଳେ ଏକ ବଡ ପଥର ଖସି ଆସିବାରୁ ଦୁଇଟି ପଥର ମଧ୍ୟରେ ଚାପି ହୋଇ ଯାଇଥିଲେ । ପାଖରେ ଥିବା ସାଙ୍ଗମାନେ ଏହାଦେଖି ଗ୍ରାମରେ ଖବର ଦେଇଥିଲେ । ଖବର ଶୁଣି ତୁରନ୍ତ ଗ୍ରାମରୁ କିଛି ଲୋକ ପହଞ୍ଚି ତାଙ୍କୁ ଉଦ୍ଧାର ନିମନ୍ତେ ଚେଷ୍ଟା କରୁଥିବା ବେଳେ ତାଙ୍କର ମୃତୁ୍ୟ ଘଟିଥିଲା । ଗ୍ରାମରୁ ଶବ ପ୍ରାୟ ଦୁଇ କିଲୋମିଟର ବୋହି ଆଣିବା ପରେ ବ୍ରହ୍ମପୁର ପଠାଯାଇଛି । ସେ ଅଣ୍ଡରସିଙ୍ଗି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ପଢୁଥିଲେ । ଜରଡ଼ା ପୋଲିସ ଏକ ଅପମୃତୁ୍ୟ ମାମଲା ରୁଜୁ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ପଠାଇ ଦେଇଥିବାନେଇ ପୁଲିସ୍ ସୂଚନା ଦେଇଛି ।