ଉପଡାକ ଘରୁ ଚୋରି

 ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ମ.ରାମପୁର ଉପଡାକଘରୁ ଗତକାଲି ରାତିରେ ଚୋରି ହୋଇଥିବା ଦେଖାଯାଇଛି । କବାଟରେ ଲାଗିଥିବା ଦୁଇଟି ତାଲା ଭାଙ୍ଗି ଚୋର ଡାକଘର ଭିତରକୁ ପଶି ଚୋରି କରିଛି ।  ଶନିବାର ସକାଳୁ କାର୍ଯ୍ୟାଳୟକୁ ଆସିବାବେଳେ ତାଲା ଭଙ୍ଗା ଯାଇଥିବା କର୍ମଚାରୀମାନେ ଦେଖିବାକୁ ପାଇଥିଲେ । ପରେ ମ.ରାମପୁର ଥାନା ପୋଲିସକୁ ଖବର ଦେବା ପରେ ପୋଲିସ ଡାକଘର କାର୍ଯ୍ୟାଳୟକୁ ଆସି ତଦନ୍ତ ଚଳାଇଛି  । ଚୋରି ଘଟଣା ପରେ ଆଜି ଡାକଘର ସାମ୍ନାରେ ବିଭିନ୍ନ କାମ ପାଇଁ ଆସିଥିବା ଲୋକଙ୍କୁ ଆଜି କୌଣସି କାମ ହେବନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି  । ତେବେ ଡ୍ରରରେ ନଗଦ ଏକ ହଜାର ଟଙ୍କା ଚୋରି ହୋଇଥିବା ବେଳେ ଲକର ଭାଙ୍ଗିବାକୁ ଚୋର ଚେଷ୍ଟା କରି ବିଫଳ ହୋଇଥିବା ପୋଷ୍ଟ ମାଷ୍ଟର ପ୍ରକାଶ କରିଛନ୍ତିି । ଚଳିତ ମାସ ୧୩ତାରିଖରେ ମଧ୍ୟ ଅନୁରୂପ ପଛପଟେ ଥିବା କବାଟ ତାଲା ଭାଙ୍ଗି ଯିବାକୁ ଚେଷ୍ଟା କରିଥିଲେ ହେଁ ଭିତରପଟୁ ତାଲା ଭାଙ୍ଗି ପାରିନଥିଲେ । ସେହିପରି ଗତ  ୧୦ ତାରିଖ ରେ ମଧ୍ୟ ଡାକ ଘର ନିକଟ ରେ ଏକ ଦୋକାନରୁ ଚୋରି ହୋଇଥିବା ବେଳେ ତାହାର ସିସିଟିଭି ଫୁଟେଜ ମଧ୍ୟ ସୋସିଆଲ ମିଡିଆରେ ଘୁରି ବୁଲୁଥିଲା  । ତେବେ ମ.ରାମପୁରରେ ଦିନକୁ ଦିନ ଚୋରି ଘଟଣା ବଢୁଥିବା ବେଳେ ରାତ୍ରିକାଳୀନ ପୋଲିସ ପେଟ୍ରୋଲିଂକୁ କଡାକଡି କରିବାକୁ ଦାବି ହେଉଛି ।