ଉପବାଚସ୍ପତି ଲେଖିଲେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଉପବାଚସ୍ପତି ଲେଖିଲେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ବର୍ତ୍ତମାନ ସମୟରେ ଓଡ଼ିଶାର ସୁନ୍ଦରଗଡ ଜିଲା ହେମଗିର ବ୍ଲକ ଓ କୋଇଡା ଅଞ୍ଚଳରେ ବ୍ୟାପକ ଭାବେ ଅବୈଧ କୋଇଲା, ଆଇରନ ଏବଂ ମାଙ୍ଗାନିଜ ଖନନ ଚାଲିଛି। ଉପରୋକ୍ତ ଜଙ୍ଗଲ ଅଞ୍ଚଳରେ ଏହି କାର୍ଯ୍ୟକଳାପ ହେଉଥିବାରୁ ପରିବେଶ, ଜନଜୀବନ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ପ୍ରତି ମହାବିପଦ ସୃଷ୍ଟି ହୋଇଛି। ଖଣି ମାଫିଆମାନେ ଭାରି ଯନ୍ତ୍ରପାତି ସହିତ ଅବୈଧ ଖନନ କରୁଛନ୍ତି। ରାଜ୍ୟର ବିଭିନ୍ନ ଅଞ୍ଚଳ ସହ ପଡ଼ୋଶୀ ରାଜ୍ୟକୁ ମଧ୍ୟ ଚୋରା ଚାଲଣ ହେଉଛି। ବହୁ ସ୍ଥାନରେ ଜିଲା ପ୍ରଶାସନ, ଜଙ୍ଗଲ ବିଭାଗ, ଜିଲା ଖଣି ଅଧିକାରୀ ଦାୟିତ୍ୱରେ ଥିବା ବିଭାଗର ଅନ୍ୟ କର୍ମଚାରୀଙ୍କ ଅଭିଜ୍ଞତାର ଅଭାବ କିମ୍ବା ସହଯୋଗ ହୀନତା ଦେଖିବାକୁ ମିଳୁଛି ବୋଲି ରାଜ୍ୟ ବିଧାନସଭାର ଉପବାଚସ୍ପତି ଭବାନୀ ଶଙ୍କର ଭୋଇ କହିଛନ୍ତି।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଗତ ୮ ତାରିଖରେ ଉପବାଚସ୍ପତି ଏନେଇ ଏକ ଚିଠି ଲେଖି ସେଥିରେ ଉଲ୍ଲେଖ କରିଛନ୍ତି, ବଣାଇ ଉପଖଣ୍ଡର ମୂଷାପୋଷ ପଥର ଖଣି ମଧ୍ୟ ଲୁଟ ହେଉଛି। ଏହିସବୁ ଘଟଣା ଜିଲା ପ୍ରଶାସନର ଦୁର୍ବଳତା ଦର୍ଶାଉଛି। ଅବୈଧ ଖଣି ଖନନ ବିରୋଧରେ ତୁରନ୍ତ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରାଯାଉ। ଅଭିଯୁକ୍ତ ମାଫିଆ ଓ ସହୟୋଗ କରୁଥିବା କର୍ମଚାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଅବୈଧ ଖଣି ଖନନ ରୋକିବାକୁ ଏକ ବିଶେଷ ଟାକ୍ସଫୋର୍ସ ଗଠନ କରାଯାଉ। ଜଙ୍ଗଲ ଓ ପରିବେଶ ସୁରକ୍ଷା ପାଇଁ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗ ଜନସଚେତନତା ଅଭିଯାନ ଆରମ୍ଭ ହେଉ। ରାଜ୍ୟର ସମସ୍ତ ବର୍ଡର ଅଞ୍ଚଳରେ ଜୋର୍‌ଦାର ଚେକିଂ କରାଯାଉ। ଏହା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆଶା କରୁଥିବା ଉପବାଚସ୍ପତି ତାଙ୍କ ଚିଠିରେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି।