ଋଣଯନ୍ତାରେ ପ୍ରାଦେଶିକ ସରକାର
ସୌଭାଗ୍ୟ ରଂଜନ ମହାନ୍ତି : ଭାରତର କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ନିକଟରେ ପ୍ରକାଶ କରିଥିବା ଏକ ରିପୋର୍ଟରେ ଦେଶର ସମସ୍ତ ୨୮ଟି ରାଜ୍ୟର ବର୍ତ୍ତମାନର ଆର୍ଥୀକ ଅବସ୍ଥା ନେଇ ଯେଉଁ ତଥ୍ୟ ପ୍ରଦାନ କରିଛନ୍ତି, ତାହା ଅତ୍ୟନ୍ତ ଉଦ୍ବେଗଜନକ ବୋଲି କୁହାଯାଇପାରିବ । ରିପୋର୍ଟରେ ଦର୍ଶାଯାଇଛି ଯେ, ଗତ ୧୦ବର୍ଷ ମଧ୍ୟରେ ରାଜ୍ୟଗୁଡିକର ଋଣବୋଝ ଏବଂ ମୋଟ ଘରୋଇ ଉତ୍ପାଦର ଅନୁପାତ ତିନିଗୁଣରୁ ଅଧିକ ହୋଇଛି । ୨୦୧୩-୧୪ ଆର୍ଥୀକ ବର୍ଷରେ ଋଣବୋଝ ୧୭.୫୭ ଲକ୍ଷ କୋଟି ଥିବାବେଳେ ୨୦୨୨-୨୩ରେ ତାହା ୫୯.୩୦ଲକ୍ଷ କୋଟିରେ ପହଁଚିଛି । କେବଳ ଏତିକି ନୁହେଁ, କେତେକ ରାଜ୍ୟରେ ଏହି ଅନୁପାତ ସମ୍ପୂର୍ଣ୍ଣ ଉଚ୍ଚ ରହିଛି । ପଞ୍ଜାବରେ ସର୍ବୋଚ୍ଚ ଅନୁପାତ ୪୦.୩୫ ପ୍ରତିଶତ ଥିବାବେଳେ ରାଜ୍ୟଗୁଡିକ ମଧ୍ୟରେ ପ୍ରଥମ ସ୍ଥାନରେ ରହିଛି ।
ସେହିପରି ଦେଶର ଅନ୍ୟତମ ବୃହତ ରାଜ୍ୟଭାବେ ଜଣାଶୁଣା ପଶ୍ଚିମବଙ୍ଗରେ ଏହି ଅନୁପାତ ୩୩.୭୦ ପ୍ରତିଶତ ରହିଛି । ରାଜ୍ୟଗୁଡିକର ଋଣ ଭାର ମଧ୍ୟ ପ୍ରତି ବର୍ଷ ବଢିଚାଲିଛି । ତେବେ ରାଜ୍ୟଗୁଡିକ ଏହି ଋଣ ବା କରଜ କରୁଛନ୍ତି କ୍ୟାପିଟାଲ ପୁଞ୍ଜି ପ୍ରସ୍ତୁତ କରିବା ପାଇଁ ନୁହେଁ, ଚଳିତ ରାଜସ୍ୱ ବ୍ୟୟଭାର ତୁଲାଇବା ପାଇଁ । ସେହିପରି ଋଣ ଅର୍ଥ ଉତ୍ପାଦିକ ସାମର୍ଥ୍ୟକୁ ବଢାଇବା ପାଇଁ ବ୍ୟବହୃତ ହେଉନାହିଁ । ପରିସ୍ଥିତି ଏପରି ହେବାକୁ ଯାଉଛି ଯେ,ପରିଶୋଧ ପାଇଁ ଭବିଷ୍ୟତରେ ରାଜ୍ୟଗୁଡିକ ଋଣ ପରିଶୋଧ କରିବା ସାମର୍ଥ୍ୟ ହରାଇବାର ଆଶଙ୍କା ସୃଷ୍ଟି କରୁଛି । ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟଗୁଡିକ ଏବେ ଜନସାଧାରଣଙ୍କ ଆର୍ôଥକ ସ୍ଥିତିରେ ଉନ୍ନତି ବା ଆର୍ଥୀକ ବିକାଶ ଲାଗି ବିଭିନ୍ନ କଲ୍ୟାଣମୂଳକ ତଥା ଜନହିତକର ଯୋଜନା ଏବଂ ସାମାଜିକ କାର୍ଯ୍ୟକ୍ରମରେ ବ୍ୟୟ କରୁଛନ୍ତି ତାହାର କୌଣସି ଉତ୍ପାଦିକା ଶକ୍ତି ନାହିଁ । ଯଦି ଏହି ବ୍ୟୟକୁ ଆୟରେ ରୂପାନ୍ତରିତ କରାନଯାଏ ତେବେ ରାଜ୍ୟଗୁଡିକର ଋଣ ଭାର କେବଳ ବଢିବ ନାହିଁ, ଭବିଷ୍ୟତରେ ଅର୍ଥନୀତି ପ୍ରତି ଗୁରୁତର ସଂକଟ ସୃଷ୍ଟି କରିବାର ସମ୍ଭାବନାକୁ ଏଡାଇ ଦିଆଯାଇନପାରେ ବୋଲି ଅର୍ଥନୀତି ବିଶାରଦମାନେ ସତର୍କବାଣୀ ଶୁଣାଇ ସାରିଲେଣି । ଏପରିକି କେତେକ ରାଜ୍ୟରେ ଜନହିତକର ଯୋଜନା ବ୍ୟୟ ଜନସାଧାରଣଙ୍କ ଆର୍ଥକ ବିକାଶରେ କୌଣସି ଉନ୍ନତି ମଧ୍ୟ ଆଣିପାରିନାହିଁ । ଆହୁରି ବ୍ୟାପକ ଅର୍ଥ ବାଟମାରଣା ଓ ତ୍ରୁଟିପୂର୍ଣ୍ଣ ପରିଚାଳନାରେ ବ୍ୟୟ ହେଉଛି । ଯଦି ଋଣକୁ ନିୟନ୍ତ୍ରଣ କରାନଯାଏ, ତେବେ ସମୟ ଆସିବ ରାଜ୍ୟଗୁଡିକ ସୁଧ ପରିଶୋଧ କରିବା ପାଇଁ ଋଣ କରିବାକୁ ବାଧ୍ୟ ହେବେ । ଏପରି ସ୍ଥିତି ଲାଗି ରହିଲେ ରାଜ୍ୟଗୁଡିକ ଋଣଯନ୍ତାରେ ପଡିବା ନିଶ୍ଚିତ ବୋଲି ସିଏଜି ଦର୍ଶାଇଛନ୍ତି ।
କହିବା ବାହୁଲ୍ୟ ଯେ, ଓଡିଶାର ଋଣ ବୋଝ କିଛି କମ ନୁହେଁ । ଚଳିତ ଆର୍ଥୀକ ବର୍ଷ ସୁଦ୍ଧା ରାଜ୍ୟର ଋଣବୋଝ ୧ଲକ୍ଷ ୩୪ହଜାର କୋଟି ଟଙ୍କାକୁ ଟପିବା ଆଶଙ୍କା କରାଯାଏ । ୨୦୧୩-୧୪ ଆର୍ଥୀକ ବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣ ଭାର ୩୮,୬୬୬ କୋଟି ଟଙ୍କା ଥିବାବେଳେ ଗତ ୧୦ବର୍ଷ ମଧ୍ୟରେ ଅର୍ଥାତ ୨୦୨୩-୨୪ ଆର୍ଥୀକ ବର୍ଷ ଶେଷ ସୁଦ୍ଧା ଋଣ ପରିମାଣ ୯୬ହଜାର ୩୧୦ କୋଟି ୪୦ଲକ୍ଷ ଟଙ୍କା ହୋଇଥିଲା । ଚଳିତ ଆର୍ଥକ ବର୍ଷ ୨୦୨୫-୨୬ ଶେଷ ସୁଦ୍ଧା ରାଜ୍ୟର ଋଣ ଭାର ୧ଲକ୍ଷ ୩୪ହଜାର ୯୧୩ କୋଟି ୮୪ଲକ୍ଷ ଟଙ୍କା ହେବା ଆକଳନ କରାଯାଏ । ଏବେ ରାଜ୍ୟର ଋଣ ବୋଝ ଯେଉଁ ହାରରେ ବୃଦ୍ଧି ପାଉଛି ତାହା ଅବ୍ୟାହତ ରହିଲେ ଦୁଇ ବର୍ଷ ଭିତରେ ଋଣ ପରିମାଣ ଦେଢଲକ୍ଷ କୋଟିକୁ ଟପିପାରେ । ତେବେ ସୁଖର କଥା ଏଫଆରବିଏମ୍ ଆଇନରେ ଜିଡିପି ଅନୁପାତରେ ଋଣର ପରିମାଣ ଯାହା ରହିବା କଥା, ଅନ୍ୟ ରାଜ୍ୟ ତୁଳନାରେ ଓଡିଶା କ୍ଷେତ୍ରରେ ତାହା ଢେର କମ ରହିଛି । କିନ୍ତୁ ଏହା ସତ୍ୟ ଯେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯେତେ ଋଣ କରିଛନ୍ତି ତାହାକୁ ହିସାବକୁ ନେଲେ, ରାଜ୍ୟବାସୀଙ୍କ ମୁଣ୍ଡପିଛା ହାରାହାରି ଋଣ ପରିମାଣ ଉଦ୍ବେଗଜନକ ଭାବେ ବଢିଚାଲିଛି । ଏହା ନିଃସନ୍ଦେହ ଯେ, ଶାସକ ଦଳ କ୍ଷମତାରେ ରହିବା ପାଇଁ ନିଜସ୍ୱ ଭୋଟବ୍ୟାଙ୍କ ସୃଷ୍ଟି ଉଦ୍ଦେଶ୍ୟରେ ଏବେ ଯେପରି ଲଗାମହୀନ ମାଗଣା ଯୋଜନା ଏବଂ ଟଙ୍କା ବଂଟନ ଯୋଜନାମାନ କରୁଛନ୍ତି, ଏଥିରେ ଋଣଭାର ବଢିବା ନିଶ୍ଚିତ ଯାହାକି ଦେଶର ଅର୍ଥନୀତି ପାଇଁ ଆଦୌ ଶୁଭଙ୍କର ନୁହେଁ ।
ମୋ:୭୯୭୮୬୬୬୪୦୩