ପିତୃପକ୍ଷର ମହତ୍ତ୍ୱ 

ଡା.ଉମେଶ ଚନ୍ଦ୍ର ପାତ୍ର:
ପିତୃପୁରୁଷଙ୍କ ପ୍ରତି ଶ୍ରଦ୍ଧା ବ୍ୟକ୍ତ କରିବା ଏବଂ ପିତୃଋଣରୁ ମୁକ୍ତି ପାଇବାର ପର୍ବ ପିତୃପକ୍ଷ ବର୍ତ୍ତମାନ ·ଲିଛି  । ପୂର୍ଣ୍ଣିମା ଦିନଠାରୁ ହିଁ ମହାଳୟା ଶ୍ରାଦ୍ଧକର୍ମ ଆରମ୍ଭ ହୋଇଛି  । ବର୍ଷର ଯେ କୌଣସି ପୂର୍ଣ୍ଣମୀ ତିଥିରେ ଦେହାନ୍ତ ହୋଇଥିବା ପିତୃପୁରୁଷଙ୍କ ଶ୍ରାଦ୍ଧ ଭାଦ୍ରବ ମାସ ପୂର୍ଣ୍ଣମୀରେ ହିଁ କରାଯାଏ  । କାରଣ ଆଶ୍ୱିନ ମାସ କୃଷ୍ଣପକ୍ଷରେ ପଡ଼ୁଥିବା ପିତୃପକ୍ଷରେ ପୂର୍ଣ୍ଣିମା ତିଥି ନଥାଏ  । ତେବେ ଧର୍ମସିନ୍ଧୁର ସିଦ୍ଧାନ୍ତ ଅନୁଯାୟୀା ପିତୃପକ୍ଷର ପୂର୍ଣ୍ଣିମା ଶ୍ରାଦ୍ଧ ପିତୃ ବିସର୍ଜନୀ ଅମାବାସ୍ୟାରେ ମଧ୍ୟ କରାଯାଇପାରେ  । ଏଥର ଅମାବାସ୍ୟା ଅକ୍ଟୋବର ୪ ତାରିଖରେ ପଡ଼ୁଛି  । ବିଦ୍ୱାନମାନଙ୍କ ମତରେ ପ୍ରତ୍ୟେକ ମଣିଷ ପାଇଁ ତିନିପ୍ରକାର ଋଣ ଥାଏ - ଦେବ, ଋଷି ଏବଂ ପିତୃ  । ଏ ମଧ୍ୟରୁ ଶ୍ରାଦ୍ଧ ଦ୍ୱାରା ପିତୃଋଣ ପରିଶୋଧ କରାଯାଏ  । ଯେଉଁ ବ୍ୟକ୍ତିଙ୍କର ଯେଉଁ ତିଥିରେ ମୃତୁ୍ୟ ଘଟିଥିଲା ତାଙ୍କୁ ସେହି ତିଥିରେ ଶ୍ରାଦ୍ଧ ଦେବା ନିମନ୍ତେ ଶାସ୍ତ୍ରରେ ନିଦେ୍ର୍ଦଶ ରହିଛି  । ପୁରାଣର କାହାଣୀ ଅନୁଯାୟୀ ମନୁସ୍ମୃତି ବ୍ରହ୍ମ ବୈବର୍ତ୍ତ ପୁରାଣ ଓ ଗରୁଡ଼ ପୁରାଣ ପରି ପ୍ରମୁଖ ଶାସ୍ତ୍ର ଅନୁଯାୟୀ ପରଲୋକଗତ ବ୍ୟକ୍ତିଙ୍କ ପରିବାରରେ ଜ୍ୟେଷ୍ଠପୁତ୍ର ବା କନିଷ୍ଠପୁତ୍ର ଶ୍ରାଦ୍ଧ ଦେଇପାରିବେ  । ପୁତ୍ର ନଥିଲେ ଭଣଜା, ପୁତୁରା, ନାତି ବା ଶିଷ୍ୟ ତିଳତର୍ପଣ ଓ ପିଣ୍ଡ ଦାନ କରିପାରିବେ  । ଏପରି ଅନେକ ବ୍ୟକ୍ତି ଯେଉଁମାନେ ସନ୍ତାନହୀନ ଥାଆନ୍ତି ସେପରି ପୂର୍ବଜଙ୍କ ପାଇଁ ଭାଇ, ଭଣଜା, ପୁତୁରା ବା ପରିବାରର ପୁରୁଷ ସଦସ୍ୟ ପିତୃପକ୍ଷରେ ବ୍ରତ ରଖି ପିଣ୍ଡଦାନ କରିପାରିବେ  । ଧର୍ମସିନ୍ଧୁ ସମେତ ମନୁସ୍ମୃତି ବା ଗରୁଡ଼ ପୁରାଣରେ ମହିଳାମାନେ ପିଣ୍ଡ ଦାନ କରିପାରିବେ ବୋଲି କୁହାଯାଇଛି, ମାତ୍ର ଏହା ଅନ୍ତିମ ବିକଳ୍ପ  । ବିଧବା ପତ୍ନୀ ସନ୍ତାନହୀନ ଥିଲେ ପତିଙ୍କ ନାମରେ ଶ୍ରାଦ୍ଧ ସଂକଳ୍ପ ରଖି ବ୍ରାହ୍ମଣଙ୍କ ଦ୍ୱାରା ପିଣ୍ଡଦାନ କରାଇପାରିବେ  । ସେମିତି ଯେଉଁ ପୂର୍ବଜଙ୍କ ବଂଶରେ କେବଳ ଝିଅ ଅଛନ୍ତି ସେମାନେ ମଧ୍ୟ ସଂକଳ୍ପ କରି ବ୍ରାହ୍ମଣ ଦ୍ୱାରା ପିଣ୍ଡଦାନ କରାଇପାରିବେ  ।  ଧର୍ମଶାସ୍ତ୍ରରେ କୁହାଯାଇଛି, ପିତୃପୁରୁଷକୁ ପିଣ୍ଡଦାନ କରୁଥିବା ପୁରୁଷ ଦୀର୍ଘାୟୁ ହେବା ସହ ସନ୍ତାନ, ଯଶ, ଶାନ୍ତି, ବଳ, ଲକ୍ଷ୍ମୀ, ଗୋଧନ ଆଦି ପ୍ରାପ୍ତି କରନ୍ତି  । ପିତୃପୁରୁଷଙ୍କ ଆଶାଥାଏ ଆମର ପୁଅ ନାତି ଆମକୁ ପିଣ୍ଡଦାନ କରି ସନ୍ତୁଷ୍ଟ କରିବେ  । ଏହି ଆଶାରେ ସେମାନେ ପିତୃଲୋକରୁ ପୃଥିବୀଲୋକକୁ ଆସନ୍ତି  । ତେଣୁ ପ୍ରତ୍ୟେକ ହିନ୍ଦୁ ଗୃହସ୍ଥ ପିତୃପକ୍ଷରେ ଶ୍ରାଦ୍ଧ କରନ୍ତି  । ପ୍ରତ୍ୟେକ ଧର୍ମର ଆଧାର ଶ୍ରଦ୍ଧା  । ପ୍ରତି ଧର୍ମରେ ପିତୃପୁରୁଷଙ୍କ ପ୍ରତି ସମ୍ମାନ ଏବଂ ଶ୍ରଦ୍ଧାକୁ ଗୁରୁତ୍ୱ ଦିଆଯାଏ  । ସନାତନ ଧର୍ମରେ ଶ୍ରଦ୍ଧା ପ୍ରକଟ କରିବାର ଧାର୍ମିକ କର୍ମ ଶ୍ରାଦ୍ଧ  । ଶ୍ରାଦ୍ଧକୁ ପିତୃଯଜ୍ଞ ମଧ୍ୟ କୁହାଯାଏ  । ଶାସ୍ତ୍ରରେ ଆଶ୍ୱିନ ମାସ ପ୍ରତିପଦା ଠାରୁ ଆରମ୍ଭ କରି ଅମାବାସ୍ୟା ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଦିନରେ ପିଣ୍ଡଦାନ କରିବାର ଭିନ୍ନ ଭିନ୍ନ ଫଳ ମିଳିଥାଏ  । ଏହାକୁ ମହାଳୟା ଶ୍ରାଦ୍ଧ ମଧ୍ୟ କୁହାଯାଏ  । "ମହ'ର ଅର୍ଥ ଉତ୍ସବର ଦିନ ଏବଂ "ଆଳୟ'ର ଅର୍ଥ ନିବାସ, ଅର୍ଥାତ କୃଷ୍ଣପକ୍ଷ ହିଁ ପୂର୍ବଜଙ୍କ ନିବାସ  । ତେଣୁ ସେମାନଙ୍କ ତୃପ୍ତି ପାଇଁ ଶ୍ରାଦ୍ଧ କରାଯାଏ  । 
ପିତୃପୁରୁଷଙ୍କ ଉଦେ୍ଦଶ୍ୟରେ ତେଲ, କୁଶ ତଥା ଜଳ ଅର୍ପଣ ସହ ଦାନ ଧର୍ମକୁ ପୁରାଣ କଥାରେ ଶ୍ରାଦ୍ଧ କୁହାଯାଏ  । କଥା ହେଉଛି ପିତୃପୁରୁଷଙ୍କ ପ୍ରତି ଶ୍ରଦ୍ଧା ହିଁ ଶ୍ରାଦ୍ଧର ମୁଖ୍ୟଭାବ  । ଅର୍ଥାତ୍ ଶ୍ରାଦ୍ଧ ହେଉଛି ନିଜ ପୂର୍ବପୁରୁଷଙ୍କ ପ୍ରତି ଶ୍ରଦ୍ଧା ସୃଷ୍ଟି କରିବା  । ଏହି ପିତୃପକ୍ଷ ସମୟରେ କୌଣସି ମାଙ୍ଗଳିକ କାର୍ଯ୍ୟର ବିଧାନ ନଥାଏ  । ଏପରିକି ଏହି ସମୟରେ ନୂଆ ଆସବାସ ପତ୍ର ସହ କୌଣସି ସ୍ଥାବର ଓ ଅସ୍ଥାବର ସମ୍ପତ୍ତି କିଣନ୍ତି ନାହିଁ  । ଲୋକବିଶ୍ୱାସ ରହିଛି ଯେ ଏହା ହେଉଛି ଏକ ଶୋକର ସମୟ ବା ଅଶୁଭ ସମୟ  । କିନ୍ତୁ ବିଦ୍ୱାନ ମାନଙ୍କ ମତ ଭିନ୍ନ  । ସେମାନଙ୍କ କହିବା ଅନୁଯାୟୀ ପିତୃପକ୍ଷରେ ଅନ୍ୟ ଶୁଭ ଦିନ ପରି ସବୁ କାମ କରିହେବ ବରଂ ପିତୃପକ୍ଷରେ ନିଜର ପରଲୋକଗତ ବଂଶଜଙ୍କ ଦିବ୍ୟାଶୀର୍ବାଦ ରହୁଥିବାରୁ ଏହି ଦିନ ଅନ୍ୟ ଦିନ ତୁଳନାରେ ଅଧିକ ଶୁଭ  । ଶାସ୍ତ୍ର ବିଧାନକୁ ଉଲ୍ଲେଖ କରି ସେମାନେ କୁହନ୍ତି ଯେ ଯଦି ସଠିକ୍ ଭାବରେ ଅର୍ପଣ, ତର୍ପଣ ସହ ପୂଜା ନୈବେଦ୍ୟ ସମର୍ପିତ ହୋଇଥାଏ ତେବେ ଏହାର ଫଳ ମିଳିଥାଏ  । ଶ୍ରାଦ୍ଧର ମହତ୍ତ୍ୱକୁ ବୁଝିବା ପାଇଁ ଆମ୍ଭମାନଙ୍କୁ ଭାରତୀୟ ଉତ୍ସବର ପ୍ରାଚୀନ ପରମ୍ପରାକୁ ବୁଝିବାକୁ ହୋଇଥାଏ  । ଶ୍ରାଦ୍ଧ ପାଇଁ ଆମ ସାମାଜିକ ଜନଜୀବନର ଏକ ଉତ୍ସବ ଶୃଙ୍ଖଳା ଭାବେ ଏହାକୁ ବିଚାର କରାଯାଏ  । ଦେବଶୟନୀ ଏକାଦଶୀରୁ ଆରମ୍ଭ ହୋଇଥିବା ଭାରତୀୟ ମନିଷୀମାନଙ୍କ ପ୍ରଣୀତ ଏହି ଶୃଙ୍ଖଳର ଉତ୍ସବ  । ଯାହାକି ଶେଷ ହୁଏ ଦେବପ୍ରମୋଦିନୀ ଏକାଦଶୀରେ  । ଏହି ଚାରିମାସକୁ ନିଷ୍ଠା, ପବିତ୍ରତା, ସଂକଳ୍ପ ଓ ଭକ୍ତିର ଉତ୍ସବର ଦିବ୍ୟ ମୁହୂର୍ତ୍ତ ଭାବେ ବିଚାର କରାଯାଏ  । ବର୍ଷାର ଏହି ଚାରିମାସକୁ ଚର୍ତୁମାସ କୁହାଯାଇଥାଏ  । ଏହି ସମୟରେ ଚାଷବାସ ହୋଇନଥାଏ, ଉତ୍ସବର ମୁହୂର୍ତ୍ତ ହୋଇଥିବାରୁ ସବୁ କାମ ବନ୍ଦ ହୋଇଥାଏ  । ଏହି ପୂଜାରେ ସର୍ବପ୍ରଥମେ ଗଣେଶଙ୍କୁ ଆବାହନ କରାଯାଏ  । ଯାହାକି ଏହି ଉତ୍ସବର ଦ୍ୱିତୀୟ ପର୍ବରେ ଗଣେଶ ପୂଜା ପଡ଼ିଥାଏ  । ଗଣେଶଙ୍କ ପରେ ଯଜ୍ଞରେ ପିତୃପୁରୁଷଙ୍କୁ ଆବାହାନ କରାଯାଏ ଏହାପରେ ପଡ଼ିଥାଏ ପିତୃପକ୍ଷ  । ବିଚାର କରାଯାଏ ପିତୃପକ୍ଷରେ ନିଜ ପୂର୍ବଜଙ୍କ ସ୍ମରଣ କରାଯାଉଥିବାରୁ ତେଣୁ ଦୁଖାବିବୃତ୍ତ ମୁହୂର୍ତ୍ତ ଓ ତାଙ୍କ ଅନୁପସ୍ଥିତି ପାଇଁ କୌଣସି ଶୁଭକାର୍ଯ୍ୟ କରାଯାଏ ନାହିଁ  । ଆଉ ଯେଉଁମାନେ ପୂର୍ବଜଙ୍କୁ ସଂପୂର୍ଣ୍ଣ ଶ୍ରଦ୍ଧାର ସହ ପବିତ୍ର ଓ ସମର୍ପିତ ହୃଦୟରେ ପିଣ୍ଡ ପ୍ରଦାନ କରିଥାନ୍ତି ବା ଶ୍ରାଦ୍ଧ, ତର୍ପଣ ଓ ଧାନଧର୍ମ କରିଥାନ୍ତି ସେମାନଙ୍କ ସହିତ ପିତୃପୁରୁଷଙ୍କ ଆଶୀର୍ବାଦ ରହିଥାଏ  । 
ମୋ: ୯୪୩୭୦୫୧୯୫୭'