ମହାବାତ୍ୟାର ଅଭୁଲା ସ୍ମୃତି
ହିମାଂଶୁ ଶେଖର ଆଚାର୍ଯ୍ୟ : ଭାରତ ଇତିହାସରେ ସବୁଠାରୁ ପ୍ରଳୟଙ୍କରୀ ବାତ୍ୟା ଆସିଥିଲା ୧୯୯୯ ମସିହାରେ । ଆଣ୍ଡାମାନ ସାଗରରେ ୨୫ ଅକ୍ଟୋବରରେ ସୃଷ୍ଟି ହୋଇ ଏହା ଧୀରେ ଧୀରେ ଶକ୍ତିଶାଳୀ ହୋଇ ମହାବାତ୍ୟା ରୂପ ନେଇଥିଲା ।ଜଗତସିଂହପୁର ଜିଲ୍ଲାରେ ଅକ୍ଟୋବର ୨୯ ତାରିଖରେ ଏହା ସ୍ଥଳଭାଗ ଅତିକ୍ରମ କରିଥିଲା । ବାତ୍ୟା ସ୍ଥଳଭାଗରେ ମାଡ ସମୟରେ ଘଣ୍ଟା ପ୍ରତି ୨୬୦ କି.ମି ବେଗରେ ପବନ ବହିଥିଲା । ଫଳରେ ଜଗତସିଂହପୁର ଜିଲ୍ଲା ସମେତ ଉପକୂଳିଆ ଜିଲ୍ଲାଗୁଡିକ ଛାରଖାର ହୋଇଯାଇଥିଲା । ବାତ୍ୟା ମାଡ ହେବା ପରେ ସମୁଦ୍ରରେ ୧୫ରୁ ୨୦ ଫୁଟ ଉଚ୍ଚର ଜୁଆର ଉଠିବା ସହିତ ପ୍ରାୟ ୩୫ କି.ମି ପର୍ଯ୍ୟନ୍ତ ସମୁଦ୍ର ପାଣି ମାଡି ଆସିଥିଲା । ଏହି ବାତ୍ୟାରେ ସରକାରୀ ଭାବେ ରାଜ୍ୟରେ ପ୍ରାୟ ୧୦ ହଜାର ଲୋକ ପ୍ରାଣ ହରାଇଥିବା ବେଳେ ୧ କୋଟି ୨୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ । ୧୮ଲକ୍ଷରୁ ଅଧିକ ଘର ମାଟିରେ ମିଶିଥିଲା । ଅଦ୍ୟାବଧି ଏହାକୁ ଭାରତର ସବୁଠାରୁ ବଡ ବାତ୍ୟା ଭାବେ ବେବେଚନା କରାଯାଉଛି । ଏହି ବାତ୍ୟା ଏବେ ୨୬ବର୍ଷ ଅତିକ୍ରମ କରିଛି । ହେଲେ ମହାବାତ୍ୟାର କରାଳ ରୂପ ଓ ତାର ଭୟାବହତା ଏବେବି ଲୋକମାନଙ୍କ ମନରେ ଅଭୁଲା ସ୍ମୃତି ହୋଇ ରହିଛି । ଏବେ ବି ଅକ୍ଟୋବର ଆସିଲେ ବାତ୍ୟାର ଭୟ ଆସେ । ଏବେ ପୁଣି ବାତ୍ୟା ‘ମାନ୍ଥା’ର ପ୍ରଭାବ ପଡିବା ଆରମ୍ଭ ହୋଇଛି । ୨୮ ତାରିଖ ଅପରାହ୍ନ ୪ଟାରୁ ରାତି ୧୧ଟା ମଧ୍ୟରେ ହେବ ଦକ୍ଷିଣ ଓଡିଶା ଦେଇ ଛତଶଗଡ ମୁହାଁଇବ । ଓଡିଶା ଉପରେ ସେପରି ବଡଧରଣର ପ୍ରଭାବ ନ ପଡିଲେବି ତଥାପି ୧୧ଟି ଜିଲାରେ ରେଡ୍ ଓ ଅରେଞ୍ଜ ଓା୍ୱର୍ଣ୍ଣିଂ ଦିଆଯାଇଛି । ବାତ୍ୟା ପାଇଁ ଭୟଭୀତ ନହେବାକୁ ରାଜସ୍ୱମନ୍ତ୍ରୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ।
ପ୍ରାକୃତିକ ବିପର୍ଯ୍ୟୟର ଚିରସହଚର ହୋଇଛି ଓଡ଼ିଶା । ଏକ ତଥ୍ୟ ମୁତାବକ ୧୮୯୧ରୁ ୧୯୦୦ ମସିହା ମଧ୍ୟରେ ୨୦ଟି ବାତ୍ୟା ସୃଷ୍ଟି ହୋଇଥିବା ବେଳେ ପରବର୍ତ୍ତୀ ଦଶନ୍ଧିରେ ଏହି ବାତ୍ୟା ସଂଖ୍ୟା ୯ ଥିଲା । ୧୯୧୧ରୁ ୧୯୨୦ ମଧ୍ୟରେ ୧୨ଟି, ୧୯୪୧ରୁ ୧୯୫୦ ମଧ୍ୟରେ ୧୦ଟି ବାତ୍ୟ ସାମ୍ନା କରିଛି ଓଡିଶା । ଏ ପ୍ରସଙ୍ଗରେ ଜଣାପଡିଛି ଯେ, ୧୯୯୯ ମହାବାତ୍ୟା ପରେ ୧୦ ବର୍ଷ ଧରି ରାଜ୍ୟ ଆଦୌ ବାତ୍ୟା ସାମ୍ନା କରିନଥିଲା । ଅଥଚ ୨୦୧୧ରୁ ୨୦୨୦ ମଧ୍ୟରେ ୩ଟି ବଡ ବାତ୍ୟା ସହ ୭ଟି ବାତ୍ୟା ଓଡିଶା ଉପକୂଳ ଦେଇ ଯାଇଛି । ନିକଟରେ ‘ୟସ’କୁ ମିଶାଇଲେ ଏହି ସଂଖ୍ୟା ୪ ହେବ । ଆଉ ଏକ ରିପୋର୍ଟରୁ ଜଣାପଡିଛି ଭାରତବର୍ଷର ୯୬ଟି ଜିଲ୍ଲା ବାତ୍ୟା ପ୍ରବଣ । ତନ୍ମଧ୍ୟରୁ ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକଓ ଆନ୍ଧ୍ରର ମଛଲିପଟନ ଆଦି ବାତ୍ୟା ଦୃଷ୍ଟିରୁ ଅତି ସମ୍ବେଦନଶୀଳ ବୋଲି କୁହାଯାଉଛି । ଗବେଷଣାରୁ ଜଣାପଡିଛି ମୌସୁମୀ ପରବର୍ତ୍ତୀ ସମୟରେ ଅଧିକ ବାତ୍ୟା ଆସୁଛି ।ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ ଯଦିଓ ରାଜ୍ୟ ସରକାର ଅନେକାଂଶରେ ସକ୍ଷମ ହୋଇଛନ୍ତି ତଥାପି ଏହାର ପ୍ରଭାବ ଅଧିକ ଘାତକ ହେଉଛି ।
ଜଳବାୟୁ ପରିବର୍ତ୍ତନ ଆମ ପାଇଁ ବିପଦକୁ ଡାକି ଆଣୁଛି । ଏନେଇ ସାମୁଦ୍ରିକ ବିଜ୍ଞାନୀମାନେ ଅଙ୍କକଷା ଆରମ୍ଭ କରିଛନ୍ତି । ଏହି ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ସମୁଦ୍ର ପୂର୍ବାପେକ୍ଷା ଅଧିକ ଉତ୍ତପ୍ତ ରହୁଛି । ଫଳରେ ପ୍ରତିବର୍ଷ ହାରାହାରି ଗୋଟିଏ ବଡ ବାତ୍ୟା ରାଜ୍ୟର ମେରୁଦଣ୍ଡ ଉପରେ ପ୍ରଚଣ୍ଡ ଆଘାତ ଦେଉଛି । ସୂଚନାଯୋଗ୍ୟ ଯେ, ଗତ ୩ବର୍ଷ ମଧ୍ୟରେ ପାଖା ପାଖି ଦେଢଲକ୍ଷ ଘର ମାଟିରେ ମିଶିଛି । ୭ଲକ୍ଷ ହେକ୍ଟର ଜମିର ଫସଲ ଉଜୁଡିଛି । ୪ହଜାରରୁ ଊଦ୍ଧ୍ୱର୍ ଗୋସମ୍ପଦ ନଷ୍ଟ ହୋଇଛନ୍ତି । ଏଥିରୁ ଜଣା ପଡୁଛି ଯେ, ଓଡିଶା ଏବେ ବାତ୍ୟା ଦୃଷ୍ଟିରୁ ଅତି ସମ୍ବେଦନଶୀଳ ରାଜ୍ୟ ହୋଇପଡିଛି । ଯଦିଓ ୧୮୯୧ରୁ ୨୦୨୧ମସିହା ମଧ୍ୟରେ ବାତ୍ୟା ସଂଖ୍ୟା ଧୀରେଧୀରେ କମିବାରେ ଲାଗଛି ତଥାପି ଆସୁଥିବା ବାତ୍ୟାର ପ୍ରକୋପ ପୂର୍ବ ତୁଳନାରେ ଅଧିକ ରହୁଛି । ଚଳିତ ବର୍ଷ ଲଘୁଚାପ ବର୍ଷା ଓଡିଶା ପାଇଁ ବାତ୍ୟା ଓ ବନ୍ୟାଡର ସୃଷ୍ଟି କରିଛି । ସେପ୍ଟେମ୍ବର ଗୋଟିଏ ଲଘୁଚାପ ଓ ଲଗାଣ ବର୍ଷା ନଯାଉଣୁ ପୁଣି ୨୫ ତାରିଖ ବେଳକୁ ଆଉ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା ପରେ ବାତ୍ୟା ଗୁଲାବ ବିପଦ ଟଳିଯାଇଥିଲା । ଚଳିତ ବର୍ଷ ବଙ୍ଗୋପସାଗରରୁ ବାରମ୍ବାର ଲଘୁଚାପ ସୃଷ୍ଟି ହେବାରେ ଲାଗିଛି । ଗତ ସେପ୍ଟେମ୍ବରରେ ୪ଟି ଲଘୁଚାପ ସହ ଗୋଟିଏ ବାତ୍ୟା ପରେ ଏବେ ଅକ୍ଟୋବରରେ ବି ଲଘୁଚାପ ଦାନା ବାନ୍ଧିବା ଆରମ୍ଭ କରିଛି । ଏବେ ଲଘୁଚାପ ଆସିଲେ ଲୋକଙ୍କ ମନରେ ବାତ୍ୟା ଭୟ ଲୋକଙ୍କୁ ଘାରୁଛି । ସତେ ଯେମିତି ଲଘୁଚାପ ଦେଖାଉଛି ବାତ୍ୟା ଡର । ତାପାୟନ ବୃଦ୍ଧି ଓ ଜଳବାୟୁରେ ଅସ୍ୱାଭାବିକ ପରିବର୍ତ୍ତନ ଏବେ ଆମ ପାଇଁ ଚିନ୍ତାର କାରଣ ହୋଇଛି । ବିଗତ ଦିନରେ ୨୦୧୬ ମଇ ୨୩ ତାରିଖରେ ରାଜଧାନୀ ଭୁବନେଶ୍ୱର କଟକ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବଲୀଳାକୁ ଦେଖି ଲାଗୁଥିଲା ଯେପରି ମହାବାତ୍ୟା ହେଛି । ସେହିପରି ୨୦୧୫ରେ ଭୟଙ୍କର ଭୂକମ୍ପ ନେପାଳର ଜନଜୀବନ ଓ ଅର୍ଥନୀତିକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିବା ବେଳେ ଆମ ଦେଶ ତଥା ରାଜ୍ୟରେ ମଧ୍ୟ ଏହାର ପ୍ରଭାବ ଅନୁଭୂତ ହୋଇଥିଲା । ଏହି ଭୂକମ୍ପର ନିର୍ଘାତ ପ୍ରହାରରେ ନେପାଳ ସମେତ ସୁିକିମ୍, ଭୁଟାନ୍, ଭାରତ, ପାକିସ୍ତାନ ପର୍ଯ୍ୟନ୍ତ ଏସୀୟ ଭୂଖଣ୍ଡ ଥରିଉଠିଥିଲା । ହିମାଳୟରେ ବାଦଲଫଟା ବର୍ଷାରୁ ସୃଷ୍ଟ ଉତ୍ତରାଖଣ୍ଡ ମହାପ୍ରଳୟକୁ ଏବେ ପାଞ୍ଚବର୍ଷ ପୁରିବାକୁ ଯାଉଛି । ସେହି ପ୍ରଳୟର କଥା ମନେପଡିଲେ ଏବେବି ଲୋମ ଟାଙ୍କୁରି ଉଠେ, ଦୀର୍ଘଶ୍ୱାସ ବାହାରି ଆସେ ।
ବିଗତ ଦିନରେ ଜାପାନରେ ଘଟିଯାଇଥିବା ଭୂକମ୍ପ ଓ ସୁନାମି ପ୍ରକୃତିର କ୍ରୁରତା ଓ ପରିବେଶ ପ୍ରଦୂଷଣ ଭୟାବହତାର ଜ୍ୱଳନ୍ତ ଦୃଷ୍ଟାନ୍ତ । କାରଣ ଖୋଜି ବସିଲେ ପ୍ରକୃତି ବିଶ୍ୱ ମାନବ ସମାଜକୁ ଦେଇଛି ଜଳ, ବାୟୁ, ମୃତ୍ତିକା, ଶିଳ୍ପ ଅଭିବୃଦ୍ଧି, ସଡକ ନିର୍ମାଣ, ଲୋକଙ୍କ ଚାହିଦା ମେଣ୍ଟାଇବା ପାଇଁ ବସତି ନିର୍ମାଣ ପ୍ରଭୃତି ହେତୁ ବ୍ୟାପକ ଜଙ୍ଗଲ କଟା ଚାଲିଛି । ଫଳରେ ବାୟୁମଣ୍ଡଳରୁ ଅମ୍ଳଜାନ କମି ବିଷାକ୍ତ ଅଙ୍ଗାରକାମ୍ଳ ଗ୍ୟାସ୍ ବୃଦ୍ଧି ପାଇ ବିଶ୍ୱ ତାପମାତ୍ରା ବଢିବାରେ ଲାଗିଛି । ଖାଲି ସେତିକି ନୁହେଁ କଳକାରକାନାରୁ ନିର୍ଗତ ଗ୍ୟାସ୍ ଏବଂ ଅନ୍ୟାନ୍ୟ ରାସାୟନିକ ପ୍ରକ୍ରିୟା ଓ ପ୍ରତିକ୍ରିୟାରୁ ବାୟୁ, ଜଳ, ମୃତ୍ତିକା ମଧ୍ୟ ପ୍ରଦୂଷିତ ହେଉଛି । ୧୯୯୯ ମସିହା ମହାବାତ୍ୟା ଠାରୁ ଆରମ୍ଭ କରି ଶକ୍ତିଶାଳୀ ଫାଇଲିନ୍ ଓ ହୁଡୁହୁଡୁ ଭଳି ଶକ୍ତିଶାଳୀ ବାତ୍ୟା ଆମ ରାଜ୍ୟରେ ଘଟିଯାଇଛି । କାରଣ ସାମୁଦ୍ରିକ ତାପମାତ୍ରା ଅନ୍ୟ ଅଞ୍ଚଳ ତୁଳନାରେ ଏଠାରେ ଅଧିକ ରହିଥାଏ। ଏହି ସମୟରେ ଉତ୍ତର ପଶ୍ଚିମ ମହାସାଗରରୁ ସୃଷ୍ଟି ବାତ୍ୟା ଆରବ ସାଗର ଅପେକ୍ଷା ବଙ୍ଗୋପସାଗରରେ ଅଧିକ ଶକ୍ତିଶାଳୀ ହୋଇ ତୁଳନାତ୍ମକ ଭାବେ ଅଧିକ ଶକ୍ତିଶାଳୀ ହୋଇ ବଡ ବାତ୍ୟା ସୃଷ୍ଟି କରିଥାଏ । ଅନ୍ୟ ପକ୍ଷରେ ପାରାଦ୍ୱୀପ ଉପକୂଳ ଅଧିକ ଗଭୀର ହୋଇଥିବାରୁ ଏହି ସ୍ଥାନକୁ ମୁହାଁଉଥିବା ବାତ୍ୟା ଅଧିକ କ୍ଷତି କରିଥାଏ । ଏବେବି ୧୯୯୯ ମହାବାତ୍ୟା କଥା ପଡିଲେ ଲୋକଙ୍କ ମନରେ ଭୟ ଆସେ । ମହାବାତ୍ୟାର ୨୬ ବର୍ଷପରେ ଏବେବି କ୍ଷତ ଶୁଖିଛି ହେଲେ ଦାଗଲିଭିନି ।
ଜଗତସିଂହପୁର
ମୋ- ୯୩୩୭୨୨୧୯୨୪