ଏଆଇ ସୁଯୋଗର ସମ୍ପୂର୍ଣ୍ଣ ଲାଭ ନେବା: ଧର୍ମେନ୍ଦ୍ର
ନୂଆଦିଲ୍ଲୀ : ବର୍ତ୍ତମାନର ସମୟ ଏକବିଂଶ ଶତାବ୍ଦୀର ସମୟ । ଏହି ସମୟରେ ଆମ ଦେଶ ଭାରତ ବିକାଶ ଦିଗରେ ଅଗ୍ରସର ହେଉଥିବା ବେଳେ ଆମକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ସୁଯୋଗର ସମ୍ପୂର୍ଣ୍ଣ ଲାଭ ନେବାକୁ ହେବ ବୋଲି ନୂଆଦିଲ୍ଲୀରେ ଆୟୋଜିତ ‘ଏଆଇ ଇମ୍ପାକ୍ଟ ଫେଷ୍ଟିଭାଲ୍ - ୨୦୨୫’କୁ ଉଦ୍ଘାଟନ କରିବା ସହ ଏକାଧିକ ଏଆଇ ପଦକ୍ଷେପର ଶୁଭାରମ୍ଭ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ ଇନଟେଲ ଦ୍ୱାରା ନିଆଯାଇଥିବା ସମସ୍ତ ପଦକ୍ଷେପକୁ ଭୂୟସୀ ପ୍ରଶଂସା କରିଥିଲେ ଶ୍ରୀ ପ୍ରଧାନ । ସେ କହିଥିଲେ ଏହି ପଦକ୍ଷେପ ଗୁଡ଼ିକ ନୂତନ ଜାତୀୟ ଶିକ୍ଷା ନୀତି ୨୦୨୦କୁ ଆଧାର କରି ଆମ ଛାତ୍ରଛାତ୍ରୀଙ୍କ କଳ୍ପନା ଓ ନବସୃଜନକୁ ଆହୁରି ଅଧିକ ଗତି ଦେବ । ଏହି ନୂତନ କାର୍ଯ୍ୟକ୍ରମଗୁଡ଼ିକ ଏଆଇକୁ ସମସ୍ତଙ୍କ ପାଇଁ ସହଜରେ ଉପଲବ୍ଧ କରାଇବାରେ ସହାୟକ ହେବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ, ଡିଜିଟାଲ୍-ସଶକ୍ତ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ ଭାରତର ପରିକଳ୍ପନାକୁ ଆଗକୁ ନେବାରେ ଉତ୍ପ୍ରେରକ ଭାବରେ କାର୍ଯ୍ୟ କରିବ । ଭାରତବର୍ଷ ଏଆଇ ପ୍ରଦାନ କରୁଥିବା ସୁଯୋଗଗୁଡ଼ିକୁ ହାତଛଡ଼ା ନକରି ତାହାକୁ ଆପଣେଇ ନେଉଛି । ଭାରତର ମାନବ ବୁଦ୍ଧିମତା ଏବଂ କୃତ୍ରିମ ବୁଦ୍ଧିମତାର ମିଳିତ ଶକ୍ତି ଏକ ବିକଶିତ ଭାରତ ଗଠନ କରିବ । ଏହି କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଏଆଇ ଇମ୍ପାକ୍ଟ ଫେଷ୍ଟିଭାଲ୍ରେ ପ୍ରଦର୍ଶିତ ଏଆଇ ଇନୋଭେସନ୍ ଶୋକେସ୍ରେ ବୁଲି ଦେଖିଥିଲେ । ସ୍କୁଲ ଓ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରସ୍ତୁତ ଏଆଇ ପରୀକ୍ଷଣ ଓ ପ୍ରୋଜେକ୍ଟଗୁଡ଼ିକୁ ଦେଖି ସେ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ ଆମର ଏହି ଇନୋଭେସନ ଜେନେରେସନ ଭାରତକୁ ବିଶ୍ୱର ଏକ ବଡ଼ ପ୍ରଯୁକ୍ତି ଶକ୍ତି କେନ୍ଦ୍ର ଭାବରେ ସୁଦୃଢ଼ କରିବ ।