ଏଏଚପିଜିଆଇସିରେ ସହକାରୀ ପ୍ରଫେସରଙ୍କ ଚୟନ ଉପରେ ରୋକ
କଟକ : ନିଯୁକ୍ତି ନିୟମ ଉଲଂଘନ ଗୁରୁତର ଅଭିଯୋଗ ପରେ ସ୍ଥାନୀୟ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚୁ୍ୟଟ ଅଫ କ୍ୟାନସର (ଏଏଚପିଜିଆଇସି)ରେ ସହକାରୀ ପ୍ରଫେସର ପଦବୀ ପାଇଁ ଚୂଡ଼ାନ୍ତ ଚୟନ ପ୍ରକି୍ରୟା ଉପରେ ହାଇକୋର୍ଟ ସ୍ଥଗିତାଦେଶ ଜାରି କରିଛନ୍ତି । ବିଚାରପତି ଆଦିତ୍ୟ କୁମାର ମହାପାତ୍ରଙ୍କ ଅବକାଶକାଳୀନ ଖଣ୍ଡପୀଠ ଦ୍ୱାରା ଏହି ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରି କରାଯାଇଛି । ନିଯୁକ୍ତି ପ୍ରକିୟାକୁ ଆଗକୁ ବଢ଼ିବାକୁ କୋର୍ଟ ଅନୁମତି ଦେଇଛନ୍ତି କିନ୍ତୁ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ପ୍ରତିଷ୍ଠାନକୁ ଚୂଡ଼ାନ୍ତ ନିଯୁକ୍ତି ଦେବାକୁ ହାଇକୋର୍ଟ ବାରଣ କରିଛନ୍ତି । ସୂଚନାଯୋଗ୍ୟ, ୨୮ ମେ ୨୦୨୫ରେ ପ୍ରକାଶିତ ନିଯୁକ୍ତି ବିଜ୍ଞାପନକୁ ଚାଲେଞ୍ଜ କରି ଏକ ଆବେଦନର ଉତ୍ତରରେ ଏହି ନିଦେ୍ର୍ଦଶ ଦିଆଯାଇଛି । ଯେଉଁଥିରେ ୧୭ଟି ସହାୟକ ପ୍ରଫେସର ପଦବୀ ପାଇଁ ଆବେଦନ ଆମନ୍ତ୍ରଣ କରାଯାଇଥିଲା । ଆବେଦନକାରୀ ତାଙ୍କ ଯୁକ୍ତିରେ ଦର୍ଶାଇଥିଲେ ଯେ, ଚୟନ ପ୍ରକି୍ରୟା ଯାହା କେବଳ ଶିକ୍ଷାଗତ ସ୍କୋରକୁ ଗୁରୁତ୍ୱ ଦେଇଥିଲା- ଏମବିବିଏସ ପାଇଁ ୪୦% ଏବଂ ସ୍ନାତ୍ତୋକୋତ୍ତର ଯୋଗ୍ୟତା ପାଇଁ ୨୦%- ଏହା ଓଡ଼ିଶା ମେଡ଼ିକାଲ ଶିକ୍ଷା ସେବା (ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତାବଳୀ) ନିୟମ, ୨୦୨୧ର ଧାରା ୪ ଅନୁଯାୟୀ ଆବଶ୍ୟକୀୟ ବାଦ୍ଧତାମୂଳକ ଲିଖିତ ପରୀକ୍ଷା ବାଦ ଦେଇଥିଲା । ରାଜ୍ୟ ନିଯୁକ୍ତି ନିୟମ ଏବଂ ପ୍ରତିଷ୍ଠାନର ଉପନିୟମ ଅନୁଯାୟୀ ଲିଖିତ ପରୀକ୍ଷାର ଅନୁପସ୍ଥିତିକୁ ଏକ ପ୍ରମୁଖ ଉଲଂଘନ ଭାବରେ ଆବେଦନକାରୀ ଦର୍ଶାଇଥିଲେ, ଯାହା ସାର୍ବଜନୀନ ନିଯୁକ୍ତିରେ ଯୋଗ୍ୟତାଭିତ୍ତିକ ଚୟନ ଓ ସ୍ୱଚ୍ଛତାର ଉଲଂଘନ କରିଛି । କୋର୍ଟ ଏଏଚପିଜିଆଇସିର ନିଦେ୍ର୍ଦଶକ ଏବଂ ଡିନଙ୍କୁ ନୋଟିସ ଜାରି କରିଛନ୍ତି । ଦୁଇ ସପ୍ତାହ ମଧ୍ୟରେ ସେମାନଙ୍କୁ ଜବାବରେ ସତ୍ୟପାଠ ଦାଖଲ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଆବେଦନକାରୀଙ୍କୁ ଉତ୍ତର ଦାଖଲ କରିବା ପାଇଁ ହାଇକୋର୍ଟ ଅତିରିକ୍ତ ୨ ସପ୍ତାହ ସମୟ ପ୍ରଦାନ କରିଛନ୍ତି । ଅଗଷ୍ଟ ୪ ରୁ ଆରମ୍ଭ ହେଉଥିବା ସପ୍ତାହ ପାଇଁ ପୂର୍ଣ୍ଣାଙ୍ଗ ଶୁଣାଣି ସ୍ଥିର କରାଯାଇଛି । ସେପର୍ଯ୍ୟନ୍ତ ସଂସ୍ଥାନକୁ ବିଜ୍ଞାପିତ ପଦବୀ ପାଇଁ କୌଣସି ଚୂଡ଼ାନ୍ତ ଚୟନ କରିବାକୁ ହାଇକୋର୍ଟଙ୍କ ପକ୍ଷରୁ ବାରଣ କରାଯାଇଛି ।
 
 Rasmita Behera
                                    Rasmita Behera                                 
    
 
    
 
 
 
