ଏଚଏସଇର ୪୩ତମ ପ୍ରତିଷ୍ଠା ଦିବସ : ଶିକ୍ଷା ହିଁ ସମୃଦ୍ଧ ଭାରତର ମାନଦଣ୍ଡ: ମନ୍ତ୍ରୀ

 ଭୁବନେଶ୍ୱର :  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ୪୩ ତମ ପ୍ରତିଷ୍ଠା ଦିବସ ଆଜି ପରିଷଦ ମୁଖ୍ୟ କାର୍ଯ୍ୟାଳୟ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗଦେଇ କହିଥିଲେ ଯେ, ଶିକ୍ଷା ହିଁ ସମୃଦ୍ଧ ଭାରତର ମାନଦଣ୍ଡ । ଶିକ୍ଷା ବ୍ୟକ୍ତିତ୍ୱର ପରିପ୍ରକାଶ କରି ଏକ ସୁସ୍ଥ ସମାଜ ଗଠନରେ ସହାୟକ ହୋଇଥାଏ । ଉଚ୍ଚÿ ମାଧ୍ୟମିକ ଶିକ୍ଷା ପରିଷଦ ଦୀର୍ଘ ୪୩ ବର୍ଷର ଯାତ୍ରା ଅତିକ୍ରମ କରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ନିର୍ମାଣରେ ନିରନ୍ତର ସହଭାଗୀ ହୋଇଥିବାରୁ ଏହାର କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ । ଅତିଥିଙ୍କ ଦ୍ୱାରା ସ୍ମରଣିକା ‘ପ୍ରଜ୍ଞା', ଏନଏସଏସର ବାର୍ଷିକ ବିବରଣୀ ପୁସ୍ତିକା ଉନ୍ମୋଚନ କରାଯାଇଥିଲା । ପରେ ପରେ ଏସଜିଏଫଆଇ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ସଫଳ ହୋଇଥିବା କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା  । ଶେଷରେ ପରିଷଦ କର୍ମଚାରୀଙ୍କ ଦ୍ୱାରା ସାମାଜିକ ନାଟକ "ଗୁରୁଦକ୍ଷିଣା’ ପରିବେଷଣ କରାଯାଇଥିଲା । 
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ଶୁଭଶ୍ରୀ ନନ୍ଦ, ବୋର୍ଡÿ ଅଫ ସେକେଣ୍ଡାରୀ ଏଜୁକେଶନରୁ ଶ୍ରୀକାନ୍ତ ତରାଇ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ ପରିଷଦର ଅଧ୍ୟକ୍ଷ ମୃଣାଳ କାନ୍ତି ଦାସ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ ଓ ସଚିବ ଶୁଭ୍ରବାଳା ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବହୁସଂଖ୍ୟକ ଛାତ୍ରଛାତ୍ରୀ, ବୁଦ୍ଧିଜୀବୀ, ପରିଷଦର କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିଲେ  ।