ଏଚ୍ଏଲ୍ସି ପକ୍ଷରୁ ୩୦୨୭.୮୬ କୋଟି ଟଙ୍କା ଅନୁମୋଦନ: ବିଭିନ୍ନ ରାଜ୍ୟକୁ ବିପର୍ଯ୍ୟୟ ପ୍ରଶମନ ପାଇଁ ଅନୁଦାନ ଘୋଷଣା

 ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟ ପାଇଁ ବିପର୍ଯ୍ୟୟ ପ୍ରଶମନ ପ୍ରକଳ୍ପ ଲାଗି ୩୦୨୭.୮୬ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅର୍ଥମନ୍ତ୍ରୀ, କୃଷିମନ୍ତ୍ରୀ ଏବଂ ନୀତି ଆୟୋଗ ଉପାଧ୍ୟକ୍ଷଙ୍କୁ ନେଇ ଗଠିତ ଉଚ୍ଚସ୍ତରୀୟ କମିଟି (ଏଚଏଲ୍ସି) ଏହି ରାଶି ଅନୁମୋଦନ କରିଛି । କମିଟିର ସଦସ୍ୟ ଭାବେ ୧୦ଟି ରାଜ୍ୟର ୫୦ଟି ଅତ୍ୟଧିକ ବଜ୍ରପାତ ପ୍ରବଣ ଜିଲ୍ଲାରେ ବଜ୍ରପାତ ଆଶଙ୍କାକୁ ହ୍ରାସ କରିବା ପାଇଁ ବଜ୍ରପାତ ପ୍ରଶମନ ପ୍ରକଳ୍ପ ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏନ୍ଡିଏମ୍ଏଫ୍)ରୁ ୧୨ଟି ମରୁଡ଼ି ପ୍ରବଣ ରାଜ୍ୟର ୪୯ଟି ଜିଲ୍ଲାକୁ ସହାୟତା ପ୍ରଦାନ ପ୍ରସ୍ତାବ ଉପରେ ବିଚାର କରାଯାଇଥିଲା ।
ସେହିପରି ଏଚ୍ଏଲ୍ସି ୨୦୨୨.୧୬ କୋଟି ଟଙ୍କା ବ୍ୟୟଅଟକଳରେ ମରୁଡ଼ି ପ୍ରବଣ ଆନ୍ଧ୍ରପ୍ରଦେଶ, ବିହାର, ଗୁଜରାଟ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡ଼ିଶା, ରାଜସ୍ଥାନ, ତାମିଲନାଡୁ, ତେଲେଙ୍ଗାନା ଓ ଉତ୍ତରପ୍ରଦେଶ ଆଦି ୧୨ଟି ରାଜ୍ୟ ପାଇଁ ସହାୟତା ପ୍ରକଳ୍ପକୁ ଅନୁମୋଦନ କରିଛି । ଯେଉଁଥିରେ ୧୨୦୦ କୋଟି ଟଙ୍କା କେନ୍ଦ୍ର ଦେବ । ସେହିପରି ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମେଘାଳୟ, ଓଡ଼ିଶା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗ ପାଇଁ ମୋଟ ୧୮୬.୭୮ କୋଟି ଟଙ୍କା ବ୍ୟୟ ଅଟକଳରେ ୧୦ଟି ରାଜ୍ୟରେ ବଜ୍ରପାତ ନିରାପତ୍ତା ସମ୍ପର୍କିତ ପ୍ରଶମନ ପ୍ରକଳ୍ପକୁ କମିଟି ଅନୁମୋଦନ କରିଛି ।
କେନ୍ଦ୍ର ଗୃହମନ୍ତ୍ରୀ ୧୯ଟି ରାଜ୍ୟର ୧୪୪ଟି ଉଚ୍ଚ ପ୍ରାଥମିକତା ଜିଲ୍ଲାରେ ମୋଟ ୮୧୮.୯୨ କୋଟି ଟଙ୍କା ବ୍ୟୟଅଟକଳରେ କାର୍ଯ୍ୟକାରୀ କରିବା ପାଇଁ ଜଙ୍ଗଲ ଅଗ୍ନି ବିପଦ ପରିଚାଳନା ପ୍ରଶମନ ଯୋଜନାକୁ ଅନୁମୋଦନ କରିଛନ୍ତି । ଯେଉଁଥିରୁ ଏନଡିଏମଏଫ ଏବଂ ଏନଡିଆର୍ଏଫ୍ର କେନ୍ଦ୍ରୀୟ ଅଂଶ ୬୯୦.୬୩ କୋଟି ଟଙ୍କା ରହିବ । ଏହି ପ୍ରସ୍ତାବଗୁଡ଼ିକ ପୂର୍ବରୁ ଏଚ୍ଏଲ୍ସି ୭ଟି ପ୍ରମୁଖ ସହରରେ ସହରାଞ୍ଚଳ ବନ୍ୟା ବିପଦ ପ୍ରଶମନ ପ୍ରକଳ୍ପ ପାଇଁ ମୋଟ ୩୦୭୫.୬୫ କୋଟି ଟଙ୍କା ବ୍ୟୟରେ, ୪ଟି ରାଜ୍ୟରେ ଜିଏଲଏଫ ବିପଦ ପରିଚାଳନା ୧୫୦ କୋଟି ଟଙ୍କା ବ୍ୟୟରେ ଏବଂ ୧୫ଟି ରାଜ୍ୟରେ ଭୂସ୍ଖଳନ ବିପଦ ପ୍ରଶମନ ପାଇଁ ମୋଟ ୧୦୦୦ କୋଟି ଟଙ୍କା ବ୍ୟୟରେ ଆର୍ଥିକ ସହାୟତାକୁ ଅନୁମୋଦନ କରିଥିଲା ।