ଦକ୍ଷିଣ ସୁଦାନରେ ବିମାନ ଦୁର୍ଘଟଣା, ୨୦ ମୃତ

 ଜୁବା: ସାଉଥ ସୁଦାନର ଉତ୍ତରାଞ୍ଚଳରେ ଏକ ବିମାନ ଦୁର୍ଘଟଣା ଘଟି ୨୦ ଯାତ୍ରୀଙ୍କ ମୃତୁ୍ୟ ଘଟିଛି । ସୌଭାଗ୍ୟବଶତଃ ଜଣେ ଯାତ୍ରୀଙ୍କୁ ଦୁର୍ଘଟଣାସ୍ଥଳରୁ ଜୀବିତ ଉଦ୍ଧାର କରାଯାଇ ମେଡିକାଲ୍ରେ ଭର୍ତ୍ତି କରାଯାଇଛି । ବିମାନଟି ୨୧ଜଣ ଯାତ୍ରୀଙ୍କୁ ନେଇ (ସ୍ଥାନୀୟ ସମୟ ସକାଳ ୧୦.୩୦) ୟୁନିଟି ଷ୍ଟେଟ୍ରୁ ରାଜଧାନୀ ଜୁବା ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିବା ବେଳେ ଏହାର କିଛି ସମୟ ପରେ ନିକଟସ୍ଥ ଅଏଲ୍ ଫିଲ୍ଡ ନିକଟରେ ଖସି ପଡ଼ିଥିଲା । ଦକ୍ଷିଣ ସୁଦାନର ବିଭାଗୀୟ ମନ୍ତ୍ରୀଙ୍କ କହିବାନୁସାରେ ଗ୍ରେଟର୍ ପାୟୋନିୟର୍ ଅପରେଟିଂ କମ୍ପାନୀ (ଜିପିଓସି) ଏବଂ ଲାଇଟ୍ ଏୟାର୍ ସର୍ଭିସ୍ ଆଭିଏସନ୍ କମ୍ପାନୀ ଦ୍ୱାରା ପରିଚାଳିତ ୟୁକ୍ରେନୀୟ ଯାତ୍ରିବାହୀ ବିମାନଟି ଯାନ୍ତ୍ରିକ ତ୍ରୁଟି ପାଇଁ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ଥିବା ୨୧ଜଣଙ୍କ ମଧ୍ୟରୁ ୨୦ ଜଣଙ୍କର ଘଟଣାସ୍ଥଳରେ ମୃତୁ୍ୟ ହୋଇଥିବା ବେଳେ ମାତ୍ର ଜଣେ ଯାତ୍ରୀଙ୍କୁ ଉଦ୍ଧାର କରାଯାଇପାରିଛି । ତେବେ ବିମାନରେ ଥିବା ସମସ୍ତ ଯାତ୍ରୀ ଜିପିଓସି କମ୍ପାନୀର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୬ ଜଣ ଦକ୍ଷିଣ ସୁଦାନର ନାଗରିକ, ଦୁଇଜଣ ଚୀନ୍ ନାଗରିକ ଏବଂ ଜଣେ ଭାରତୀୟ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, ଏହି ଅଞ୍ଚଳରେ ବିମାନ ଦୁର୍ଘଟଣା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି । ଏହାର ପ୍ରମୁଖ କାରଣ ହେଉଛି ବିମାନରେ ଓଭର୍ଲୋଡିଂ ଏବଂ ଖରାପ ପାଣିପାଗ । ୨୦୨୧ରେ ଏଠାରେ ଏକ ପଣ୍ୟବାହୀ ବିମାନ ଦୁର୍ଘଟଣା ଘଟି ୫ଜଣଙ୍କ ମୃତୁ୍ୟ ହୋଇଥିଲା । ସେହିପରି ୨୦୧୫ରେ ଓଭର୍ ଲୋଡିଂ ପାଇଁ ଆଉ ଏକ ଯାତ୍ରିବାହୀ ବିମାନ ଟେକ୍ଅଫ୍ କରି ନ ପାରି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଫଳରେ ଏଥିରେ ୩୬ ଯାତ୍ରୀଙ୍କ ମୃତୁ୍ୟ ହୋଇଥିଲା ।