ଏସିଆ କପ୍ ହକି ଦ୍ୱିତୀୟ ବିଜୟ ସହ ସୁପର-୪ରେ ଭାରତ

 ନୂଆଦିଲ୍ଲୀ : ବିହାରର ରାଜଗିରିରେ ଚାଲିଥିବା ଏସିଆ କପ ହକି-୨୦୨୫ରେ ଭାରତ ତାର ବିଜୟଧାରା ଜାରି ରଖିଛି । ଏଥିସହିତ ଭାରତୀୟ ଦଳ ଟୁର୍ଣ୍ଣାମେଣ୍ଟର ସୁପର-୪ରେ ପ୍ରବେଶ କରିଛି । ରବିବାର ଭାରତ ଜାପାନକୁ ୩-୨ ଗୋଲରେ ପରାସ୍ତ କରିଛି । ସ୍ଥାନୀୟ ସ୍ପୋର୍ଟ୍ସ ୟୁନିଭରସିଟି ହକି ଷ୍ଟାଡିୟମରେ ଜାପାନ ବିପକ୍ଷ ମ୍ୟାଚରେ ମନଦୀପ ସିଂହଙ୍କ ଗୋଲ ମାଧ୍ୟମରେ ଭାରତ ଆଗୁଆ ହୋଇଥିଲା । ସେ ତୃତୀୟ ମିନିଟ୍ରେ ଏକ ଫିଲ୍ଡ ଗୋଲ ଦେଇଥିଲେ । ପରେ ପଞ୍ଚମ ମିନିଟ୍ରେ ଅଧିନାୟକ ହରମନପ୍ରୀତ ସିଂହ ପେନାଲ୍ଟି କର୍ଣ୍ଣରରୁ ଏକ ଗୋଲ ଦେଇ ଭାରତକୁ ୨-୦ରେ ଆଗୁଆ କରିଥିଲେ । ତୃତୀୟ କ୍ୱାର୍ଟରରେ, କାୱାବେ କୋସେଇଙ୍କ ଗୋଲ ସହିତ ଜାପାନ ପ୍ରତ୍ୟାବର୍ତ୍ତନ କରିଥିଲା । କୋସେଇ ଏକ ବ୍ୟାକ୍ ହ୍ୟାଣ୍ଡ ସଟ୍ ଖେଳି ଗୋଲ ପୋଷ୍ଟ ଭିତରକୁ ବଲକୁ ଠେଲି ଦେଇଥିଲେ । ଚତୁର୍ଥ କ୍ୱାର୍ଟର ପୂର୍ବରୁ, ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ ଆଉ ଏକ ପେନାଲ୍ଟି କର୍ଣ୍ଣରରେ ଏକ ଗୋଲ ସ୍କେର କରିଥିଲେ । ଏହା ହରମନପ୍ରୀତଙ୍କ ଦ୍ୱିତୀୟ ଏବଂ ଭାରତୀୟ ଦଳର ତୃତୀୟ ଗୋଲ ଥିଲା । ଶେଷ ସିଟି ବାଜିବା ପୂର୍ବରୁ, ଜାପାନର କାୱାବେ କୋସେଇ (୫୮ତମ ମିନିଟ୍) ତାଙ୍କର ଏବଂ ଦଳର ଦ୍ୱିତୀୟ ଗୋଲ ସ୍କୋର କରିଥିଲେ । ତଥାପି ସେ ତାଙ୍କ ଦଳକୁ ବିଜୟୀ କରାଇ ପାରିନଥିଲେ ।