ବଜେଟକୁ ସ୍ୱାଗତ କଲେ ଧର୍ମେନ୍ଦ୍ର : ବିକଶିତ ଓଡ଼ିଶାର ସ୍ୱପ୍ନକୁ ସାକାର କରିବ

ଭୁବନେଶ୍ୱର : ୨୦୨୫ -୨୬ ଆର୍ଥିକ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଉପସ୍ଥାପନ କରିଥିବା ବଜେଟ୍ ଐତିହାସିକ ଓ ଭବିଷ୍ୟତବାଦୀ । ୨୦୩୬ ଓ ୨୦୪୭ ସୁଦ୍ଧା ବିକଶିତ ଓଡ଼ିଶାର ସ୍ୱପ୍ନକୁ ପୂରଣ କରିବା ଦିଗରେ ଏହା ଏକ ସାମଗ୍ରିକ ବଜେଟ୍ ବୋଲି ‘ଏକ୍ସ’ ଜରିଆରେ କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାର ପ୍ରଗତି, ସବୁ କ୍ଷେତ୍ରର ଉନ୍ନତି ତଥା ସମସ୍ତ ନାଗରିକଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ । ସେ କହିଛନ୍ତି ଯେ ଆଜିର ଲୋକକଲ୍ୟାଣକାରୀ ବଜେଟ୍ ଡବଲ ଇଞ୍ଜିନ ସରକାରର ବିକାଶମୂଳକ ଦୂରଦୃଷ୍ଟିର ପ୍ରତିଫଳନ । ଆଜିର ବଜେଟରୁ ରାଜ୍ୟର ଗରିବ, ଚାଷୀ, ମହିଳା, ଯୁବ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ବଞ୍ଚିତ ବର୍ଗର ଲୋକମାନେ ବିଶେଷ ଭାବେ ଉପକୃତ ହେବେ । ଗାଁରୁ ସହର ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରର ବିକାଶ ହେବ । ଶିକ୍ଷା, ଦକ୍ଷତା ବିକାଶ, ସ୍ୱାସ୍ଥ୍ୟସେବା, ଖାଦ୍ୟ ସୁରକ୍ଷା, କ୍ରୀଡ଼ା, ସାମାଜିକ ଓ ଯୋଗାଯୋଗ କ୍ଷେତ୍ରରେ ଓଡ଼ିଶାର ଭବିଷ୍ୟତକୁ ସୁଦୃଢ଼ କରିବ । ଏହି ବଜେଟ୍ ପ୍ରଧାନମନ୍ତ୍ରୀଙ୍କ "ସବକା ସାଥ୍, ସବକା ବିକାଶ'ର ସଂକଳ୍ପକୁ ସାକାର କରିବ । ଚଳିତ ବଜେଟରୁ ରାଜ୍ୟରେ ସଡ଼କପଥ, ରେଳ, ବିମାନ ବନ୍ଦର, ଶିଳ୍ପ ଓ ଆନୁଷଙ୍ଗିକ ଭିତ୍ତିଭୂମି ସୁଦୃଢ ହେବ ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷ ପାଇଁ ସ୍ୱାସ୍ଥ୍ୟ କ୍ଷେତ୍ରରେ ୨୩,୬୩୫ କୋଟି, ଶିକ୍ଷା କ୍ଷେତ୍ରରେ ୪୧, ୨୭୩ କୋଟି, ସାମାଜିକ ସୁରକ୍ଷା କ୍ଷେତ୍ରରେ ୨୪,୨୫୦ କୋଟି, ମହିଳାଙ୍କ ବିକାଶ ପାଇଁ ୧୭,୯୯୮ କୋଟି, କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ପାଇଁ ୩୭,୮୩୮ କୋଟି, ଜଳସେଚନ ଏବଂ ବନ୍ୟା ନିୟନ୍ତ୍ରଣ ପାଇଁ ୧୬,୨୭୩ କୋଟି ଟଙ୍କା, ଗ୍ରାମୀଣ ବିକାଶ ପାଇଁ ୩୯,୨୨୧ କୋଟି ଓ ସହର ବିକାଶ ପାଇଁ ୯୯୮୫ କୋଟି ଓଡ଼ିଶାକୁ ଆର୍ଥିକ ଦୃଷ୍ଟିରୁ ମଜଭୂତ୍ କରିବ । ବିକଶିତ ଓଡ଼ିଶାର ମୂଳଦୁଆ ପକାଇବ ।
ଏହି ପରିପ୍ରେକ୍ଷୀରେ ସମୃଦ୍ଧ କୃଷକ ଯୋଜନା ପାଇଁ ୬୦୦୦ କୋଟି, ସିଏମ କିଷାନ ପାଇଁ ୨୦୨୦ କୋଟି ଟଙ୍କା ଓ ଜଳସେଚନ ପାଇଁ ଅର୍ଥ ବ୍ୟୟବରାଦ ଚାଷୀଙ୍କ ଆୟକୁ ବଢାଇବା ସହ ସେମାନଙ୍କୁ ଆତ୍ମନିର୍ଭର କରିବ । ସମଗ୍ର ଶିକ୍ଷା ପାଇଁ ୪୬୮୧ କୋଟି, ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ପାଇଁ ୨୯୬୦ କୋଟି ଶିକ୍ଷା କ୍ଷେତ୍ରକୁ ଉନ୍ନତି କରିବ । ସୁଭଦ୍ରା ଯୋଜନାରେ ଚଳିତ ୧୦,୧୪୫ କୋଟି ଟଙ୍କା ବ୍ୟୟବରାଦ ଦ୍ୱାରା ଆମର ମାଆ ଭଉଣୀମାନେ ବିଶେଷ ଉପକୃତ ହେବେ । ଓଡ଼ିଶା ପୋଷଣ ମିଶନ ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ ଦ୍ୱାରା ରାଜ୍ୟରେ ଅପପୃଷ୍ଟି ହାର ହ୍ରାସ ପାଇବ । ପର୍ଯ୍ୟଟନ କ୍ଷେତ୍ରରେ ୮୨୦ କୋଟି ଟଙ୍କା ଓଡ଼ିଶାରେ ପର୍ଯ୍ୟଟକ ସୁବିଧା ଓ ପର୍ଯ୍ୟଟନ ଭିତ୍ତିଭୂମିକୁ ସୁଦୃଢ କରିବ । ହୀରାକୁଦ-ଦେବ୍ରିଗଡ଼-ସମ୍ବଲପୁର ଅଞ୍ଚଳକୁ ସମନ୍ୱିତ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରାଯିବ । ହୀରାକୁଦ ଡ୍ୟାମ୍ର ନବୀକରଣ ପାଇଁ ୮୫୦ କୋଟି ବ୍ୟୟ ହେବ ଯାହାକୁ ଶ୍ରୀ ପ୍ରଧାନ ପ୍ରଶଂସା କରିଛନ୍ତି । ସେହିପରି ବଜେଟରେ ଉପସ୍ଥାପିତ ହୋଇଥିବା ୧୬ଟି ନୂଆ ଯୋଜନାର ପ୍ରଶଂସା କରିଛନ୍ତି ଶ୍ରୀ ପ୍ରଧାନ ।