ଓପିଏଚ୍ଡବ୍ଳ୍ୟୁସି ସହ ଗୃହ ବିଭାଗର ଏମ୍ଓୟୁ
୧୫ ଶହ କୋଟିର କାରବାର ଲକ୍ଷ୍ୟ
ଭୁବନେଶ୍ୱର : ଓଡିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ରାଜ୍ୟ ଗୃହ ବିଭାଗ ସହିତ ଏକ ବୁଝାମଣାପତ୍ର ସ୍ୱାକ୍ଷର କରିଛି । ୨୦୨୫-୨୬ ଆର୍ଥିକ ବର୍ଷରେ ୧୫ ଶହ କୋଟି ଟଙ୍କାର ଆର୍ଥିକ କାରବାର ହାସଲ କରିବାକୁ ଲକ୍ଷ୍ୟ ରଖିଛି । ସ୍ୱରାଷ୍ଟ୍ର ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂ ଓଡିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି ।
ରାଜ୍ୟ ସରକାରଙ୍କ ରୌପ୍ୟ ମାନ୍ୟତାପ୍ରାପ୍ତ ପିଏସୟୁ ଓଡିଶା ରାଜ୍ୟ ଆରକ୍ଷୀ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ କ୍ରମାଗତ ଅଭିବୃଦ୍ଧି ପ୍ରଦର୍ଶନ କରିଆସୁଅଛି । ଆର୍ଥିକ ବର୍ଷ ୨୦୨୩-୨୪ରେ ୧୦୯୦ କୋଟି ଟଙ୍କା ଏବଂ ଆର୍ଥିକ ବର୍ଷ ୨୦୨୪-୨୫ରେ ୧୩୬୬ କୋଟି ଟଙ୍କା କାରବାର ରେକର୍ଡ କରିଛି । ନିଗମର କାରବାର ୨୦୧୪-୧୫ ଆର୍ଥିକ ବର୍ଷରେ ୩୩୨ କୋଟି ଟଙ୍କାରୁ ବୃଦ୍ଧି ପାଇ ୨୦୨୪-୨୫ ଆର୍ଥିକ ବର୍ଷରେ ୧୩୬୬ କୋଟି ଟଙ୍କା ହୋଇଛି । ଯେତେବେଳେ କି ଏହାର ଲାଭ ଏହି ସମୟ ମଧ୍ୟରେ ୨୦ କୋଟିରୁ ୯୫ କୋଟିରେ ପହଞ୍ଚିଛି । ଏ ପର୍ଯ୍ୟନ୍ତ ଏହି ନିଗମ ଦ୍ୱାରା ସରକାରଙ୍କୁ ୬୪.୭୭ କୋଟି ଟଙ୍କା ଲାଭାଂଶ ପ୍ରଦାନ କରାଯାଇଛି । ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ରାଜକୋଷକୁ ଲାଭାଂଶ ବାବଦରେ ଆନୁମାନିକ ୨୧.୨୮ କୋଟି ଟଙ୍କା ପ୍ରଦାନ କରାଯିବାର ଲକ୍ଷ୍ୟ ରହିଛି । ଏହି ନିଗମ ପୋଲିସ, ଅଗ୍ନିଶମ, କାରାଗାର, ନ୍ୟାୟପାଳିକା, ଉଚ୍ଚଶିକ୍ଷା, ପରିବହନ, ଏସସି ଏସଟି ବିଭାଗ, ଡିଟିଇଟି, ଅବକାରୀ, କୃଷି, ସ୍ୱାସ୍ଥ୍ୟ, କ୍ରୀଡା ଏବଂ ଯୁବ ବ୍ୟାପାର ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ବିଭିନ୍ନ ଜିଲ୍ଲା ପାଇଁ ବ୍ୟାପକ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ କରିଆସୁଛି । ନିଗମ ଦ୍ୱାରା ଜାରି ରହିଥିବା ପ୍ରମୁଖ ପ୍ରକଳ୍ପଗୁଡିକ ମଧ୍ୟରେ ୧୭୩୫.୫୪ କୋଟି ଟଙ୍କା ବ୍ୟୟରେ ୧୨୬ ଗୋଟି ଆମ ବସ୍ଷ୍ଟାଣ୍ଡ ପ୍ରକଳ୍ପ (ଦ୍ୱିତୀୟ ପର୍ଯ୍ୟାୟ), ୩୩୧.୨୩ କୋଟି ଟଙ୍କା ବ୍ୟୟରେ ଭୁବନେଶ୍ୱରଠାରେ ଜାମୁଝରୀଠାରେ ଆଦର୍ଶ କାରାଗାର ନିର୍ମାଣ କାର୍ଯ୍ୟ ଜାରି ରହିଛି । ଏହା ସହିତ ଉଚ୍ଚମୂଲ୍ୟର ପ୍ରକଳ୍ପଗୁଡିକ ମଧ୍ୟରେ ଭୁବନେଶ୍ୱରର ଗୋପବନ୍ଧୁ ଏକାଡେମୀ ଅଫ ଆଡ୍ମିନିଷ୍ଟ୍ରେସନ୍ଠାରେ ହଷ୍ଟେଲ ବିଲ୍ଡିଂ ଏବଂ ସୁବିଧା କେନ୍ଦ୍ର, ଭୁବନେଶ୍ୱରର ଅବକାରୀ ଭବନ, କଟକର ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟର ନୂତନ ଏକାଡେମିକ୍ ବିଲ୍ଡିଂ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଏକାଡେମିକ୍ ଏବଂ ପ୍ରଶାସନିକ କୋଠା ବଲାଙ୍ଗିର ଏବଂ କଟକର ରୌପ୍ୟ ତାରକସି ସର୍ବସାଧାରଣ ସୁବିଧା କେନ୍ଦ୍ର ଇତ୍ୟାଦି ମର୍ଯ୍ୟାଦାପୂର୍ଣ୍ଣ ପ୍ରକଳ୍ପଗୁଡିକର କାର୍ଯ୍ୟ ସମାପ୍ତ ହେବାକୁ ଯାଉଛି ।