ନାରୀ ନିର୍ଯାତନା ବନ୍ଦ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ
ଭୁବନେଶ୍ୱର : ରାଜ୍ୟରେ ନାରୀ ନିର୍ଯାତନା ଯେପର୍ଯ୍ୟନ୍ତ ବନ୍ଦ ନ ହୋଇଛି ସେପର୍ଯ୍ୟନ୍ତ ମହିଳା କଂଗ୍ରେସ ପକ୍ଷରୁ ଆନ୍ଦୋଳନ ଜାରି ରହିବ ବୋଲି ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି କହିଛନ୍ତି। ବୁଧବାର ମୀନାକ୍ଷୀଙ୍କ ନେତୃତ୍ୱରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରୁ ମହିଳା କଂଗ୍ରେସର ଏକ ସମାବେଶ ମାଷ୍ଟରକ୍ୟାଣ୍ଟିନ ଛକଦେଇ ଜନପଥରେ ପହଞ୍ଚତ୍ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ବର୍ଷାକୁ ଖାତିର ନ କରି ପୋଲିସ ବାରିକେଡ୍ ଭାଙ୍ଗି ଅଗ୍ରସର ହେଉଥିବାବେଳେ ମହିଳା କଂଗ୍ରେସ ସଭାନେତ୍ରୀ ଓ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କୁ ଆଇନଶୃଙ୍ଖଳା ଦୃଷ୍ଟିରୁ ପୋଲିସ ଅବରୋଧ କରିଥିଲା। ଏହି ସମୟରେ ପୋଲିସ ଓ ମହିଳା କଂଗ୍ରେସ କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରଥମେ ବଚସା ଓ ପରେ ଧସ୍ତାଧସ୍ତି ପର୍ଯ୍ୟନ୍ତ କଥା ଯାଇଥିଲା। ପରେ ପୋଲିସ ଆଇନଶୃଙ୍ଖଳା ରକ୍ଷାକରିବାକୁ ଯାଇ ମୀନାକ୍ଷୀଙ୍କ ସହିତ ଅନ୍ୟ କର୍ମକର୍ତ୍ତାଙ୍କୁ ଗିରଫ କରିଥିଲା। ଏହି ଅବସରରେ ମୀନାକ୍ଷୀ କହିଛନ୍ତି, ଭାଜପା ମହିଳା ନେତ୍ରୀମାନେ କଂଗ୍ରେସକୁ ବଳାତ୍କାରୀ ଦଳ ବୋଲି କହୁଛନ୍ତି। ସେମାନେ ପ୍ରଥମେ ଜାଣିରଖିବା ଉଚିତ, ତାଙ୍କ ଦଳ ସଭାପତିଙ୍କ କାରନାମା କ’ଣ? ସେ ପୁଣି କହିଥିଲେ, ଛାତ୍ର କଂଗ୍ରେସ ସଭାପତିଙ୍କ ନାମରେ ଅଭିଯୋଗ ପରେ ଦଳ ପକ୍ଷରୁ ତାଙ୍କୁ ତୁୁରନ୍ତ ନିଲମ୍ବନ କରାଯାଇଛି। ତାଙ୍କର ଦୋଷ ଏପର୍ଯ୍ୟନ୍ତ ପ୍ରମାଣିତ ହୋଇନାହିଁ। ମାତ୍ର ଭାଜପା ରାଜ୍ୟ ସଭାପତିଙ୍କ ଇତିହାସ ଦିଲ୍ଲୀର ଓଡ଼ିଶା ନିବାସରୁ ଆରମ୍ଭକରି ସୋର ନିର୍ବାଚନମଣ୍ଡଳୀରେ ଦିବ୍ୟାଙ୍ଗଙ୍କୁ ନିର୍ଯାତନା ଘଟଣା ପର୍ଯ୍ୟନ୍ତ ଲମ୍ବିଛି। ତେଣୁ ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ଭାଜପା ରାଜ୍ୟ କାର୍ଯ୍ୟାଳୟ ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ କରାଯିବା ଉଚିତ। ଏହାସହ ଦଳର ସଭାପତିଙ୍କ କୁଶପୁତ୍ତଳିକା ପୋଡ଼ାହେବା ଜରୁରୀ। ତା’ହେଲେ ଜଣାପଡ଼ିବ ଯେ, ଭାଜପାର ମହିଳାଙ୍କ ପ୍ରତି ମର୍ଯ୍ୟାଦା ଆଉ ସମ୍ମାନ କେତେ ଅଛି ବୋଲି ମୀନାକ୍ଷୀ କହିଛନ୍ତି। ଏହି ବିକ୍ଷୋଭ ବେଳେ ମହିଳା କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟ ଭାଜପା ସଭାପତି ମନମୋହନ ସାମଲ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହି ସମାବେଶରେ ମହିଳା କଂଗ୍ରେସ ଏବଂ ପ୍ରଦେଶ କଂଗ୍ରେସର ବରିଷ୍ଠ ନେତୃବର୍ଗ ସାମିଲ ଥିଲେ।