ଔଷଧୀୟ ଉଦ୍ଭିଦର ସୁରକ୍ଷା

ଔଷଧୀୟ ଉଦ୍ଭିଦର ସୁରକ୍ଷା

ଅଲେଖ ଚନ୍ଦ୍ର ସାମଲ : ଓଡ଼ିଶାର ବିଭିନ୍ନ ପ୍ରାନ୍ତରରେ ବହୁ ଉପକାରୀ ଔଷଧୀୟ ଉଦ୍ଭିଦ ରହିଛି । ଓଡ଼ିଶା ଜଳବାୟୁରେ ଅଧିକାଂଶ ଉପଲବ୍ଧ ଅଟେ । ଦ୍ରୁତ ପ୍ରାକୃତିକ ପରିସଂସ୍ଥାର ସଙ୍କୋଚନ ଜଳବାୟୁରେ ଉତ୍ତାପ ବୃଦ୍ଧି ଭଳି ବିଭିନ୍ନ ସମସ୍ୟା ପାଇଁ ଏବେ ଔଷଧୀୟ ବୃକ୍ଷଲତା ବିପଦସଂକୁଳ କିମ୍ବା ବିଲୋପନର ଦ୍ୱାରଦେଶରେ ପହଞ୍ଚଛି । ଓଡ଼ିଶାର ସଂରକ୍ଷିତ ତଥା ଅଣସଂରକ୍ଷିତ ଜଙ୍ଗଲ ମାନଙ୍କରେ ଶାଳ, ପିଆଶାଳ, ଶୁମଳୀ, ଅର୍ଜୁନ, ଜାମୁ, ଚମ୍ପା, କେନ୍ଦୁ, ମହୁଲ, ବେଲ, ମୁଚୁକୁନ୍ଦ, ଚନ୍ଦନ, ଛତିଆନା, ଶାଗୁଆନ ତଥା ଅନ୍ୟାନ୍ୟ ବହୁ ମୂଲ୍ୟବାନ ବୃକ୍ଷଲତା ସମେତ ଅନେକ ଉପକାରୀ ଔଷଧୀୟ ଉଦ୍ଭିଦ ରହିଛି । ଓଡ଼ିଶାରେ ପ୍ରାୟ ୨ ହଜାର ୭ଶହ ପ୍ରକାରର ସପୁଷ୍ପକ ଉଦ୍ଭିଦ ଦେଖିବାକୁ ମିଳିଥାଏ। 

  ଭୁବନେଶ୍ୱରରେ ବାଙ୍ଗାଲୋରର ଫାଉଣ୍ଡେସନ ଫର ରିଭାଇଟାଲାଇଜେସନ ଅଫ୍‌ ଲୋକାଲ ହେଲଥ ଟ୍ରାଡ଼ିସନ ଓ ଓଡ଼ିଶା ସରକାରଙ୍କ ମିଳିତ କର୍ମଶାଳାରେ ବିଶେଷଜ୍ଞମାନେ ଆଲୋଚନାର ସିଦ୍ଧାନ୍ତରେ ଓଡ଼ିଶାର ୪୧ଟି ଔଷଧୀୟ ଉଦ୍ଭିଦ ଲାଲ ତଥ୍ୟ ପୁସ୍ତକରେ ଅର୍ନ୍ତଭୁକ୍ତ ହେବା ଆବଶ୍ୟକ ବୋଲି ମତ ଦିଅନ୍ତି । ଆୟୁସିଏନ ଏହି ଲାଲ ତଥ୍ୟ ପୁସ୍ତକ ପ୍ରସ୍ତୁତ କରିଥାଏ । ଯେଉଁଥିରେ ସଙ୍କଟାପନ୍ନ କିମ୍ବା ବିଲୁପ୍ତ ଏବଂ ବିଲୁପ୍ତ ହେବା ପ୍ରାୟ ଉଦ୍ଭିଦ ତଥା ପ୍ରାଣୀଙ୍କ ନାଁ ସ୍ଥାନ ପାଇଥାଏ  ।  ଯେଉଁଭଳି ଭାବେ ଜଙ୍ଗଲ କ୍ଷୟ ହେଉଛି ସେଥିରେ ବହୁ ମୂଲ୍ୟବାନ ଔଷଧୀୟ ଉଦ୍ଭିଦ ଲୋପ ପାଉଛି । ପାରମ୍ପରିକ ଔଷଧ ବିଷୟରେ ଜ୍ଞାନ ମଧ୍ୟ ଲୋପପାଇବାକୁ ବସିଲାଣି । ଏସବୁ ଉଦ୍ଭିଦ ଲୋପ ପାଇଯାଉଥିବା ହେତୁ ଏହାର ଔଷଧୀୟ ପ୍ରୟୋଗ କୌଶଳ ବିଷୟରେ ଯୁବପିଢ଼ୀ ସେମାନଙ୍କ ପୂର୍ବ ପିଢ଼ି ମାନଙ୍କ ଠାରୁ ଶିଖିବାକୁ ସୁଯୋଗ ପାଉନାହାନ୍ତି । ମୟୂରଭଞ୍ଜ ଜିଲ୍ଲାରେ ଆଦିବାସୀ ସଂଖ୍ୟା ମୋଟ ଜନସଂଖ୍ୟାର ୭୩% । ସାନ୍ତାଳ, କୋହ୍ଲ, ଜୂମୀଜ, ଭୂୟାଁ, ବଥୁଡ଼ି, ଖଡ଼ିଆ, ଗଣ୍ଡ, ମାଙ୍ଗଡ଼ିଆ, ପାଉଡିଭୂୟାଁ, ସହରୀଆ, ମାହାଲି, ସୌନ୍ତି ଏଠାକାର ପ୍ରମୁଖ ଜନଜାତି ।

   ବିଭିନ୍ନ ଔଷଧୀୟ ବୃକ୍ଷଲତା ଉପରେ ସେମାନଙ୍କର ରହିଛି ଅଗାଦ୍ୟ ପାଣ୍ଡିତ୍ୟ ଆଉ ରହିଛି ଅଭିଜ୍ଞତା । ସେମାନେ ଆଧୁନିକ ଏଲୋପ୍ୟାଥିକ ଔଷଧ ବ୍ୟବହାର କରନ୍ତିନି । ରୋଗ ଚିକିତ୍ସା ପାଇଁ ବୃକ୍ଷଲତା ଉପରେ ନିର୍ଭର କରିଥାନ୍ତି । ମ୍ୟାଲେରିଆ ପାଇଁ ଗଙ୍ଗଶିଉଳି ଓ ପାତାଳଗରୁଡ଼ ଭଳି ଉଦ୍ଭିଦ ବ୍ୟବହାର କରୁଥିବାବେଳେ ସାଧାରଣ ଜ୍ୱର ପାଇଁ ରୁଞ୍ଜ ବା କାଇଁଚ, ବାସକେରେଣ୍ଟା, ଭୂଇଁଅଁଳା, ଗନ୍ଧାଳୀ ଇତ୍ୟାଦି ବ୍ୟବହାର କରନ୍ତି । ଥଣ୍ଡା, କାଶ ପାଇଁ ଧନ୍ୱନ୍ତରୀ ପତ୍ର, ହିଡିମିଚା, ତୁଳସୀ ପତ୍ର ପ୍ରଭୃତି ଗଛଲତା ବ୍ୟବହାର କରିଥାନ୍ତି । ଏସବୁ ଉଦ୍ଭିଦ ନିଶ୍ଚିହ୍ନ ହେବାରେ ଲାଗିଛି । ଏତଦ୍‌ ବ୍ୟତୀତ ଦୁବଘାସ, ଛତିଆନ, ସଦାବିହାର, ଆଙ୍କୁଲ, କାଇଁଚ ପ୍ରଭୃତିରେ ଔଷଧୀୟ ଗୁଣ ଯାହାକି ଜନତାଙ୍କ ଆଗୋଚରରେ ରହିଛି। ଅଶୋକ ଗଛ ଓଡ଼ିଶାରେ ଦେଖାଯାଏ । ଏହା ସ୍ତ୍ରୀ ରୋଗର ମହୋଷଧି ଅଗ୍ନୀଶିଖା ଉଦ୍ଭିଦକୁ ଆଦିବାସୀମାନେ ସହଜ ପ୍ରସବ ଓ ଗର୍ଭପାତ ପାଇଁ ବ୍ୟବହାର କରିଥାନ୍ତି ଏବେ ଏହା ସଙ୍କଟରେ । ମାଫିଆଙ୍କ ଲୋଲୁପ ଦୃଷ୍ଟି ଔଷଧୀୟ ବୃକ୍ଷ ଉପରେ ପଡ଼ିଥିବାରୁ ଓଡ଼ିଶାରୁ ଉପକାରୀ ଔଷଧୀୟ ଉଦ୍ଭିଦ ଉଭାନ ହୋଇଯାଉଛି । ପ୍ରଶାସନ ନିଦରେ ଶୋଇଥିବାରୁ ଓଡ଼ିଶାରୁ ବିରଳ ଔଷଧୀୟ ଉଦ୍ଭିଦ ଶେଷ ହେଉଥିବା ଚିନ୍ତନର ବିଷୟ ହୋଇଛି। 

ଦୂରଭାଷ : ୯୪୩୭୨୫୭୧୨୩