ସଡ଼କ ଦୁର୍ଘଟଣା ଓ ସଚେତନତା
ଶୁଭନାରାୟଣ ଶତପଥୀ : କୌଣସି ନା କୌଣସି କାରଣରୁ ପ୍ରାୟ ପ୍ରତ୍ୟେକ ଦିନ ଆମକୁ ସଡକ ବା ରାସ୍ତାର ବ୍ୟବହାର କରିବାକୁ ପଡିଥାଏ । ସେହିପରି ସଡକରେ ଯିବା ଆସିବା ପାଇଁ ଯାନବାହନର ମଧ୍ୟ ବ୍ୟବହାର କରିଥାଉ । ଏହି କାରଣରୁ ଭାରତରେ ପାଖାପାଖି ଅର୍ଦ୍ଧାଧିକ ପରିବାରର ମୋଟର ସାଇକେଲ ବା ସ୍କୁଟି ଅଛି । ଯେଉଁ କାରଣରୁ ଦୁଇଚକିଆ ଯାନ ବ୍ୟବହାରରେ ଭାରତ ସାରା ବିଶ୍ୱରେ ଷଷ୍ଠ ସ୍ଥାନରେ ରହିଛି । ରିପୋର୍ଟରୁ ଜଣାଯାଏ ଯେ ସାରା ଭାରତବର୍ଷରେ ପ୍ରାୟ ୨୬୦ ମିଲିୟନ ମୋଟର ସାଇକେଲ ଓ ୫୦ ମିଲିୟନ କାର ରହିଛି ଅର୍ଥାତ ପ୍ରତି ୧୦୦୦ ଲୋକସଂଖ୍ୟାରେ ୧୮୫ଟି ମୋଟର ସାଇକେଲ ଓ ୩୪ଟି କାର ରହିଛି । ଏତେ ସଂଖ୍ୟକ ଯାନବାହନର ବ୍ୟବହାର ତତସଂକ୍ରାନ୍ତୀୟ ଅସାବଧାନତା କାରଣରୁ ପ୍ରତିଦିନ ବ୍ୟକ୍ତିମାନେ ମୃତ୍ୟୁମୁଖରେ ପଡନ୍ତିି । ତଥ୍ୟରୁ ଜଣାଯାଏ ଯେ ଗତବର୍ଷ ୪ଲକ୍ଷ ୮୦ ହଜାର ସଡକ ଦୁର୍ଘଟଣା ଘଟିଛି । ସେଥିରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟର ବାହ୍ୟ ପରିସରରେ ପାଖାପାଖି ୩୫ ହଜାର ଦୁର୍ଘଟଣା ସଂଗଠିତ ହୋଇଥିଲା ବୋଲି ମଧ୍ୟ ଜଣାଯାଏ । ତେବେ ଏହି ଦୁର୍ଘଟଣା କାରଣରୁ ମୋଟ ୧ ଲକ୍ଷ ୭୨ହଜାର ବ୍ୟକ୍ତି ମୃତ୍ୟୁମୂଖରେ ପଡିଛନ୍ତି । ସେଥିରୁ ୬୦ ଶତକଡା ହେଉଛନ୍ତି ୧୮ରୁ ୩୪ ବର୍ଷ ବୟସର ବ୍ୟକ୍ତିତ୍ୱ । ତନ୍ମଧ୍ୟରୁ ମୃତ୍ୟୁବରଣ କରିଥିବା ପ୍ରାୟ ୧୦ହଜାର ବ୍ୟକ୍ତି ହେଉଛନ୍ତି ନାବାଳକ । ତେବେ ମୋଟ ମୃତ୍ୟୁ ମଧ୍ୟରୁ ହେଲମେଟ ନପିନ୍ଧିବା କାରଣରୁ ୩୫ ହଜାର, ସିଟ ବେଲ୍ଟ ନବାନ୍ଧିବା କରଣରୁ ୧୬ ହଜାର ଓ ଆବଶ୍ୟକତାଠାରୁ ଅଧିକ ପରିବହନ କରି ୧୨ହଜାରରୁ ଊଦ୍ଧ୍ୱର୍ ବ୍ୟକ୍ତି ମୃତ୍ୟୁବରଣ କରିଥିଲେ । ପ୍ରତି ଘଂଟାରେ ୫୫ ଧକ୍କା ଓ୨୨ ଦୁର୍ଘଟଣାଜନିତ ମୃତ୍ୟୁ ଭାରତରେ ସଂଗଠିତ ହୁଏ । ତେବେ ଏକ ଗଣନାରୁ ଜଣାପଡିଛି ୩୪ହଜାର ଧକ୍କା ଘଟଣାରେ ଡ୍ରାଇଭରଙ୍କ ବୈଧ ଡ୍ରାଇଭିଂ ଲାଇସେନ୍ସ ନଥିଲା ।
ଏହି କାରଣରୁ କୁହାଯାଏ, ସାରା ବିଶ୍ୱରେ ଭାରତ ସବୁଠାରୁ ଅଧିକ ସଡକ ଦୁର୍ଘଟଣାର ସାମ୍ନା କରିଆସୁଛି । ସଡକ ଦୁର୍ଘଟଣା ଜନିତ ବାକି ମୃତ୍ୟୁ ସବୁ ପୁରୁଣା ଗାଡି ବ୍ୟବହାର, ପୁରୁଣା ବୈଷୟିକ କୌଶଳଯୁକ୍ତ ଗାଡିର ବ୍ରେକ ଫେଲ ଆଦି କାରଣରୁ ଘଟିଥିଲା ବୋଲି ଜଣାଯାଏ । ସବୁଠାରୁ ଅଧିକ ରାସ୍ତ ଦୁର୍ଘଟଣା ଉତ୍ତରପ୍ରଦେଶରେ ଘଟୁଥିବାର ରିପୋର୍ଟ ମିଳେ । ୨୦୨୨ ମସିହା ତୁଳନାରେ ଧକ୍କା ଓ ମୃତ୍ୟୁ ସଂଖ୍ୟାରେ ଯଥାକ୍ରମେ ୪.୨% ଓ ୨.୬% ବୃଦ୍ଧି ଘଟିଛି । ତେବେ ଏ ସମ୍ବନ୍ଧୀୟ ବିଶ୍ୱ ସମ୍ମିଳନୀରେ ତଥ୍ୟ ଉପସ୍ଥାପନାକୁ ନେଇ ଭାରତର ପ୍ରତିନିଧି ନିଜ ମୁୁହଁ ଲୁଚାଇବାକୁ ଚେଷ୍ଟା କରନ୍ତି । ରିପୋର୍ଟରୁ ଜଣାଯାଏ ଯେ କମ ଓ ମଧ୍ୟମ ଆୟଯୁକ୍ତ ଦେଶ ବା ବିକାଶଶୀଳ ଦେଶ ଗୁଡିକରେ ଏହି ଦୁର୍ଘଟଣା ବେଶୀ । ତେବେ ସାରା ବିଶ୍ୱରେ ସ୍ୱିଡେନ ହେଉଛି କମ ସଡକ ଦୁର୍ଘଟଣାଯୁକ୍ତ ଦେଶ । ସେ ଯାହାହେଉନା କାହିଁକି ଇତି ମଧ୍ୟରେ ଭାରତ ସରକାର ସୁରକ୍ଷିତ ସଡକ ପରିବହନ ନିମନ୍ତେ ଅନେକ ଐତିହାସିକ ପଦକ୍ଷେପ ନେଇଛନ୍ତି । ଯେମିତିକି ଦୁର୍ଘଣାଜନିତ ମୃତ୍ୟ କମାଇବା ପାଇଁ ରାଷ୍ଟ୍ରୀୟ ନିରାପଦ ସଡକ ନୀତି କାର୍ଯ୍ୟକାରୀ କରାଯାଉଛି । ଯାହା ଅଧୀନରେ ନିରାପଦ ସଡକ ଭିତ୍ତିଭୂମି ନିର୍ମାଣ, ଚାଳକ ଦକ୍ଷତା ବୃଦ୍ଧି, ନିରାପଦ ଯାନବାହନ ବ୍ୟବହାର, ଦୁର୍ବଳ ଶ୍ରେଣୀର ସଡକ ବ୍ୟବହାରକାରୀଙ୍କ ସୁରକ୍ଷା, ନିରାପଦ ଟ୍ରାଫିକ ଶିକ୍ଷା ଓ ତାଲିମ, ସଡକ ସୁରକ୍ଷା ଆଇନର କାର୍ଯ୍ୟାନ୍ୱୟନ, ତୁରନ୍ତ ଜରୁରୀକାଳୀନ ଚିକିତ୍ସା ପ୍ରଦାନ, ନିରାପଦ ସଡକ ନିମନ୍ତେ ଅନୁସନ୍ଧାନ ଓ ମାନବ ସମ୍ବଳ ବିକାଶ, କାର୍ଯ୍ୟକାରିତା କୌଶଳ ଆଦିକୁ ଗୁରୁତ୍ୱ ଦିଆଯାଉଛି । ଭାରତରେ ସଡକ ସୁରକ୍ଷା ପାଇଁ ପର୍ଯ୍ୟାପ୍ତ ସୁଯୋଗ, ବିଧିବ୍ୟବସ୍ଥା ଥାଇ ମଧ୍ୟ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟାରେ ଆଗରେ ରହିବା ଦୁର୍ଭାଗ୍ୟଜନକ । ସଡକ ଦୁର୍ଘଟଣାକୁ ମନୁଷ୍ୟକୃତ ବିପର୍ଯ୍ୟୟ ବୋଲି ଅଭିହିତ କରାଯାଏ। କାରଣ ଏହିି ଦୁର୍ଘଟଣା କେବଳ ମନୁଷ୍ୟମାନଙ୍କ ଦ୍ୱାରା ହିଁ ହୋଇଥାଏ । ଏ ସମ୍ବନ୍ଧରେ ଭାରତର ବିପର୍ଯ୍ୟୟ ପରିଚାଳନାର ସର୍ବୋଚ୍ଚ ସଂସ୍ଥା ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବିଶ୍ୱାସ କରନ୍ତି ଯେ କେବଳ ପ୍ରତିଷେଧକ ଓ ଅଭ୍ୟାସ ପ୍ରସ୍ତୁତିର ଗ୍ରହଣୀୟତା ଦ୍ୱାରା ଏହି ସଡକ ଦୁର୍ଘଟଣାକୁ କମାଯାଇପାରିବ। ଦେଖାଯାଏ ଅନେକ ବ୍ୟକ୍ତି ଟ୍ରାଫିକ ନିୟମକୁ ଚକମା ଦେଖାଇ ନିଜର ପାରିବାପଣିଆର ପ୍ରଦର୍ଶନ କରନ୍ତି । ବାସ୍ତବରେ କିଛି ଲୋକ ନା ଆଇନକୁ ଭୟ କରନ୍ତି ନା ସମ୍ମାନ ଜଣାନ୍ତି । ତେବେ ରାସ୍ତା ଦୁର୍ଘଟଣାର ଅନେକ କାରଣ ରହିଛି । କିନ୍ତୁ ସବୁଠାରୁ ବଡ କାରଣ ହେଉଛି ମାନବିକ ବ୍ୟବହାର।
୨୦୨୪ ସୁଦ୍ଧା ସଡକ ଦୁର୍ଘଟଣାକୁ ୫୦ଶତକଡାକୁ କମାଇବାକୁ ଲକ୍ଷ୍ୟ ରଖାଯାଇଥିବାବେଳେ ଏହି ଲକ୍ଷ୍ୟ ହାସଲ କରାଯାଇପାରିନାହିଁ । ଏଣୁ ଏଥିପ୍ରତି ସମସ୍ତେ ସଜାଗ, ସତର୍କ ହୋଇ କାମ କରିବା ଜରୁରି । ଏବେବି ଅନେକ ସଡକରେ ଅନେକ ଖାଲଖମା ରହିଛି, ସୁରକ୍ଷିତ ଚଲାପଥ ନିର୍ମାଣ, ସମସ୍ତ ବ୍ଲାକ ସ୍ପଟ ଗୁଡିକରେ ସୁରକ୍ଷାକୁ ନିଶ୍ଚିତ କରିବାର ଆବଶ୍ୟକତା ରହିଛି । ଜାତୀୟ, ରାଜ୍ୟ, ଜିଲ୍ଲା ରାଜପଥ ଗୁଡିକରେ ସଡକ ସୁରକ୍ଷାକୁ ଅଧିକ କଡାକଡି ତଥା ନିଶ୍ଚିତ କରିବାର ଆବଶ୍ୟକତା ରହିଛି । ଅନେକ କ୍ଷେତ୍ରରେ ଦେଖାଯାଇଛି ସଡକ ନିର୍ମାଣ ସହିତ ବିଭାଗୀୟ ଆନ୍ତଃସମନ୍ୱୟ ନରହିବା କାରଣରୁ ସଡକ ନିର୍ମାଣ ପରେ ବିଦ୍ୟୁତ, ଜଳଯାଗାଣ, ଟେଲିଫୋନ, ସ୍ୱେରେଜ ସୁବିଧା ପାଇଁ ପାଇପଲାଇନ ବିଛାଯିବା ନିମନ୍ତେ ସଡକ ଖୋଳାଯାଉଛି । ଏହି କାର୍ଯ୍ୟ ଅନେକ ସ୍ଥାନରେ ଦିର୍ଘ ସମୟ ପର୍ଯ୍ୟନ୍ତ ଚାଲୁରହିବାରୁ ସଡକଟି ଖରାପ ହୋଇଯାଏ ଓ ଏହାର ପୁନଃ ନିର୍ମାଣ ପାଇଁ ସମୟ ଲାଗେ । ବଢୁଥିବା ଜନସଂଖ୍ୟା, ଯାନବାହନ ଓ ସଡକ ଉପରେ ନିର୍ଭରଶୀଳତା ଆଧାରରେ ତୁରନ୍ତ ସଡକ ପ୍ରଶସ୍ତୀକରଣ, ଜନଗହଳି ଯଥା; ଯାତ୍ରା, ପର୍ଯ୍ୟଟନ ଜନସମାଗମର ସମୟ ଓ ସ୍ଥାନ ଓ ଟ୍ରାଫିକ ନିୟନ୍ତ୍ରଣ ମାଧ୍ୟମରେ ସମନ୍ୱୟ ରଖାଯାଇପାରିଲେ ଦୁର୍ଘଟଣାକୁ କିଛିମାତ୍ରାରେ କମାଇଦିଆଯାଇପାରିବ । ଏହା ବ୍ୟତିତ ବ୍ୟକ୍ତିଗତ ଭାବରେ ଲୋକମାନେ ନିଜର ଗୃହ ନିର୍ମାଣ କରିବାକୁ ସଡକ ଉପରେ ସିମେଂଟ ଗୋଳାଇବା, ଇଟା ରଖି ଅବରୋଧ କରିବା,ଶସ୍ୟ ଅମଳ କରିବା, ଶୁଖାଇବା ଆଦି କାର୍ଯ୍ୟ କରିବାର ନଜିର ରହିଛି । ହେଲମେଟ ଥାଇ ମଧ୍ୟ କିଛି ଲୋକ ମୁଣ୍ଡରେ ନପିନ୍ଧି ହାତରେ ଧରି, ଗାଡିରେ ଝୁଲାଇ ଦ୍ରୁତଗତିରେ ଯିବା ଆସିବା କରିବାର ଦୃଷ୍ଟିଗୋଚର ହୁଏ । ମଦ୍ୟପାନ କରି ଗାଡି ଚଳାଇବା, ମୋବାଇଲ ଫୋନ ବ୍ୟବହାର କରିବା, ଭୁଲ ରାସ୍ତା ଅତିକ୍ରମ କରିବା, ଅଧିକ ସମୟ ଗାଡିଚଳାଇବା, ଅତ୍ୟଧିକ ବେଗ ମଧ୍ୟ ସଡକ ଦୁର୍ଘଟଣାର କାରଣ । ଯଦିଓ ଓଡିଶା ରାଜ୍ୟକୁ ସଡକ ନିରାପତ୍ତା କ୍ଷେତ୍ରରେ ଉତ୍କୃଷ୍ଟ ରାଜ୍ୟ ଭାବରେ ସ୍ୱୀକୃତି ମିଳିଛି ତଥାପି ଏହି କ୍ଷେତ୍ରରେ ଅଧିକ ଉଦ୍ୟମ ଲୋଡା ।
ତେବେ ପଂଚାୟତ ସ୍ତରରେ ସଡକ ସୁରକ୍ଷା ନିମନ୍ତେ ବ୍ୟକ୍ତିଗତ, ସଂସ୍ଥାଗତ ପ୍ରଚେଷ୍ଟାକୁ ସ୍ୱୀକୃତି ପ୍ରଦାନ ଓ ନିରନ୍ତର ଭାବରେ ପଂଚାୟତ କର୍ମାଶାଳାର ଆୟୋଜନ କରି ସମସ୍ୟା ଚିହ୍ନଟ ଓ ସମାଧାନ କରିବାର ଆବଶ୍ୟକତା ରହିଛି । ୧୮ ବର୍ଷରୁ କମ ବୟସର ବ୍ୟକ୍ତିଙ୍କୁ ସେମାନଙ୍କ ଅଭିଭାବକ ଗାଡି ବ୍ୟବହାର ପାଇଁ ବାରଣ କରିବା ଉଚିତ । ବିଦ୍ୟାଳୟ, ମହାବିଦ୍ୟାଳୟ ପରିସରକୁ ସେମାନଙ୍କ ନିମନ୍ତେ ନିଷିଦ୍ଧ କରିବା ଉଚିତ । ଗାଡି ଚଳାଇବାର ସଂପୂର୍ଣ୍ଣ ଦକ୍ଷତା ହାସଲ କରିବା ସହିତ ବ୍ୟକ୍ତିଗତ ପ୍ରସ୍ତୁୁତିକୁ ପ୍ରାଧାନ୍ୟ ଦେବା ଅତ୍ୟନ୍ତ ଜରୁରି । ସଡକ ଯାତ୍ରା କରିବା ପୂର୍ବରୁ ଭିଡ, ଦୁର୍ଘଟଣା ପ୍ରବଣ ସ୍ଥାନ ବିଷୟରେ ଜ୍ଞାନ ଅର୍ଜନ କରି ସତର୍କ ହୋଇ ଯିବା ଆସିବା କଲେ ଓ ଦୁର୍ଘଟଣା ସମୟରେ ସହାୟତାରୂପକ ମାନବିକତାର ପ୍ରଦର୍ଶନ ଅନେକ ମୁଲ୍ୟବାନ ଜୀବନକୁ ରକ୍ଷା କରାଯାଇପାରିବ । ଏହି ସୂଚନାକୁ ଅଧିକ ବ୍ୟାପକ କରାଯିବାର ଆବଶ୍ୟକତା ରହିଛି । ପ୍ରତ୍ୟହ ପିଲମାନେ ସ୍କୁଲକୁ, ମହିଳା, ପୁରୁଷମାନେ କର୍ମ କ୍ଷେତ୍ରକୁ ଯିବାଆସିବା କରନ୍ତିି । ବିଶେଷଭାବେ ବ୍ୟକ୍ତିଗତ ସଚେତନତା ଓ ଏହାର କାର୍ଯ୍ୟକାରିତା ହେଉଛି ଜୀବନ ରକ୍ଷାର ମୂଳମନ୍ତ୍ର । ଏହାକୁ ସଭିଁଏ ମାନିବା ଉଚିତ ।
ମୋ- ୯୪୩୮୪୩୨୦୨୩
Samir Kumar Rout