କଟକରେ ମାରାଥନ କାର୍ଯ୍ୟକ୍ରମରେ ଯୋଗଦେଲେ ଧର୍ମେନ୍ଦ୍ର: ନୂଆପଡ଼ାରେ କେନ୍ଦ୍ରୀୟ ବିଦ୍ୟାଳୟ-୨ର ଦ୍ୱିତୀୟ କ୍ୟାମ୍ପସର କଲେ ଭୂମିପୂଜନ
କଟକ : କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କଟକରେ ଆୟୋଜିତ ମାରାଥନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ପ୍ରଥମେ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ପରିଦର୍ଶନ କରିବା ସହ ଅନୁଷ୍ଠାନର ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନଙ୍କୁ ଭେଟିଛନ୍ତି । ଏହି ଅବସରରେ ଶ୍ରୀ ପ୍ରଧାନ ସ୍ମାର୍ଟ କ୍ଲାସରୁମରେ ପିଲାମାନଙ୍କ ସହ ବସି ପାଠପଢାର ଶୈଳୀ ଦେଖିବା ସହ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ । ବିଗତ ୬୬ ବର୍ଷ ଧରି ଏହି ବିଦ୍ୟାଳୟ ମଣିଷ ତିଆରି କାରଖାନାର ଏକ ପ୍ରୟୋଗଶାଳା ହୋଇଛି । ଏହା ଏକ ସାଧାରଣ ବିଦ୍ୟାଳୟ ନୁହେଁ ବରଂ ସବୁବେଳେ କିଛି ନା କିଛି ପରୀକ୍ଷଣ କରୁଥିବାର ବିଦ୍ୟାଳୟ । ଆଜି ‘ଜାତୀୟ ମହାକାଶ ଦିବସ’ ଅବସରରେ ଏହି ଶିକ୍ଷାନୁଷ୍ଠାନକୁ ଆସିବା ଓ ହାଇସ୍କୁଲର ଡାଇମଣ୍ଡ୍ ଜୁବୁଲିର ଏକ ଲୋଗୋ ଉନ୍ମୋଚନ କରିବା ମୋ ପାଇଁ ଗର୍ବର ବିଷୟ ବୋଲି କହିଥିଲେ ।
ଏହାପରେ ଶ୍ରୀ ପ୍ରଧାନ ମଧୁପାଟଣା ନୂଆପଡ଼ା ଠାରେ ବହୁ ପ୍ରତୀକ୍ଷିତ କେନ୍ଦ୍ରୀୟ ବିଦ୍ୟାଳୟ -୨ର ଦ୍ୱିତୀୟ ସ୍ଥାୟୀ କ୍ୟାମ୍ପସ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ କଟକ ବିଶେଷ ଭାବରେ ନୂଆପଡ଼ାର ଜନସାଧାରଣଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସେ କହିଥିଲେ ଆଗକୁ ଗଣେଶ ପୂଜା ଆସୁଥିବା ବେଳେ ଏହି କ୍ୟାମ୍ପସର ଶ୍ରୀଗଣେଶ ହେବା ଅଞ୍ଚଳବାସୀଙ୍କ ପାଇଁ ବଡ଼ ଉପଲବ୍ଧି । ଆଗାମୀ ୨ ବର୍ଷ ମଧ୍ୟରେ ପାଖାପାଖି ୪୦ କୋଟି ଟଙ୍କା ଖର୍ଚ୍ଚ କରି ଏଠାରେ ନୂଆ ଭବନ ନିର୍ମାଣ କରାଯିବ । ଶିଶୁ ବାଟିକା ସହ ପ୍ରଥମ ଶ୍ରେଣୀରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢାଯିବାର ସୁବିଧା କରାଯିବ ।
ଏହାପରେ ରେଭେନ୍ସା କଲିଜିଏଟ୍ ସ୍କୁଲର ୧୭୫ତମ ବାର୍ଷିକ ପୁରସ୍କାର ବିତରଣ ଉସôବରେ ଯୋଗଦେଇଥିଲେ ଶ୍ରୀ ପ୍ରଧାନ । ‘ଜାତୀୟ ମହାକାଶ ଦିବସ’ ଅବସରରେ କଟକ ରେଭେନ୍ସା କଲିଜିଏଟ୍ ସ୍କୁଲ ପରିସରରେ ଆୟୋଜିତ ‘ବିଜ୍ଞାନ ମେଳା’ ବୁଲିବା ସହ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଓ ପ୍ରଦର୍ଶିତ ଉପକରଣ ଦେଖି ପ୍ରଶଂସା କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ମେଧାବୀ ଛାତ୍ରଛାତ୍ରୀ ଏବଂ ପୁରାତନ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ପୁରାତନ ଛାତ୍ର ସଂସଦର ୱେବସାଇଟ୍ ଉନ୍ମୋଚନ କରିଥିଲେ । ଅନୁଷ୍ଠାନ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ‘ଶିକ୍ଷା ଜ୍ୟୋତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା । ଧର୍ମେନ୍ଦ୍ରଙ୍କ ଏହିସବୁ କାର୍ଯ୍ୟକ୍ରମରେ କଟକ ସାଂସଦ ଭର୍ତ୍ତୃହରି ମହତାବ, ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି, ବାରବାଟୀ–କଟକ ବିଧାୟକା ସୋଫିଆ ଫିର୍ଦୋଶ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ବିଶିଷ୍ଟ ଓଡିଶୀ କଣ୍ଠଶିଳ୍ପୀ ପଦ୍ମଶ୍ରୀ ଡ଼ଃ ଶ୍ୟାମାମଣୀ ଦେବୀ ପ୍ରମୁଖ ଯୋଗଦେଇଥିଲେ ।