ରାୟଗଡ଼ା ପୌର ରାଜନୀତି : ସରିଲା ଅନାସ୍ଥା ଭୋଟ୍‌ : ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଫଳାଫଳ ସ୍ଥଗିତ

ରାୟଗଡା : ରାୟଗଡା ପୌରାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଆଣାଯାଇଥିବା ଅନାସ୍ଥା ପ୍ରସ୍ତାବ ନିର୍ବାଚନ ଆଜି ରୋଚକ ମୋଡ ନେଇଛି । ଆଜି ହୋଇଥିବା ମତଦାନ ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଫଳରେ ଫଳାଫଳ ଘୋଷଣାକୁ ସ୍ଥଗିତ ରଖାଯାଇଛି । ଫଳରେ ମତଦାନ ପେଟିକୁ କଡା ସୁରକ୍ଷା ମଧ୍ୟରେ ଜିଲ୍ଲା କୋଷାଗାରରେ ସିଲ୍‌ ବକ୍ସ ଭିତରେ ରଖାଯାଇଛି ।

ଗତ ମାସରେ ଅନାସ୍ଥା ପ୍ରସ୍ତାବକୁ ନେଇ ପୌରାଧ୍ୟକ୍ଷା ଶୁଭ୍ରା ପଣ୍ଡା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଜି ମାମଲାର ଶୁଣାଣୀ ସମୟରେ ହାଇକୋର୍ଟ ପରବର୍ତ୍ତୀ ଶୁଣାଣୀ ପର୍ଯ୍ୟନ୍ତ ଫଳାଫଳ ଘୋଷଣା ନକରିବାକୁ ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପୌରପରିଷଦ ଉପାଧ୍ୟକ୍ଷାଙ୍କ ଉପରେ ଅଭିଯୋଗ ଆଣି ଗତ ମାସ ୧୨ ତାରିଖରେ ଭାସ୍କର ରାଓଙ୍କ ଗୋଷ୍ଠୀର ୧୯ ଜଣ ବିଦ୍ରୋହୀ ବିଜେଡି କାଉନସିଲର୍‌ ଅନାସ୍ଥା ପ୍ରସ୍ତାବ ଆଣିଥିଲେ । ଦସ୍ତଖତ ଯାଞ୍ଚ ପରେ ଆଜି ଅନାସ୍ଥା ଉପରେ ମତଦାନ ହୋଇଥିଲା । କିନ୍ତୁ ହାଇକୋର୍ଟଙ୍କ ହସ୍ତକ୍ଷେପ ଫଳରେ ଫଳାଫଳ ଘୋଷଣା ସ୍ଥଗିତ ହୋଇଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ଦଳୀୟ କାଉନସିଲରମାନଙ୍କୁ ହ୍ୱିପ୍‌ ଜାରି କରିଥିବା ବେଳେ ଭାସ୍କର ରାଓ ଗୋଷ୍ଠୀର କାଉନସିଲରମାନେ ଅନାସ୍ଥା ସପକ୍ଷରେ ଭୋଟ ଦେଇଥିବା ଆଲୋଚନା ଚାଲିଛି । ମତଦାନ ବେଳେ ବିଜେଡି ପ୍ରତିନିଧି ଜଗନ୍ନାଥ ସାରକାଙ୍କ ନିରୀକ୍ଷଣରେ କେବଳ ଶୁଭ୍ରା ପଣ୍ଡା ବାଲାଟ ପେପର୍‌ ଦେଖାଇ ଭୋଟ ଦେଇଥିଲେ । ଯେତେବେଳେକି ଅନ୍ୟ ୨୦ ଜଣ କାଉନସିଲର୍‌ ବାଲାଟ୍‌ ନଦେଖାଇ ମତଦାନ କରିଥିଲେ । ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ବିଜେଡି ନେତା ସୁଧୀର ଦାସ ଗୋଷ୍ଠିର ଅସ୍ଥାୟୀ ଜୟ ହୋଇଥିବାବେଳେ ଭାସ୍କର ରାଓ ଗୋଷ୍ଠୀ ଆଗାମୀ ରାଜନୀତିରେ ଭାରି ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।