ଗୋଆରେ ବିଜେପି ବିଧାୟକଙ୍କ ୫ ତାଲା ଘର

ଭୁବନେଶ୍ୱର: କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଅକଳରେ ପଡ଼ିଯାଇଛନ୍ତି  । ଗୋଆରେ ସେ ୫ ତାଲା ଘର ନିର୍ମାଣ କରିଛନ୍ତି  । ତେବେ ତାହା ବେଆଇନ୍ ବୋଲି ଗଞ୍ଜାମ ଜିଲ୍ଲା କୋଦଳାର ଜଣେ ବ୍ୟକ୍ତି ମାରଗାଓ ଜିଲ୍ଲା ପ୍ରଶାସନ ନିକଟରେ ଫେରାଦ୍ ହୋଇଛନ୍ତି  । ଏନେଇ ଗତ ଜୁଲାଇରେ ସେଠାକାର ପ୍ରଶାସନ ପକ୍ଷରୁ ବିଧାୟକଙ୍କୁୁ ନୋଟିସ୍ କରାଯାଇଥିଲା  । ଏମିତିକି ଗୋଆର ଭର୍ଣ୍ଣା ପଞ୍ଚାୟତ ସରପଞ୍ଚ ମଧ୍ୟ ଗତ ଅଗଷ୍ଟରେ ନୋଟିସ୍ ଜାରି କରିଛନ୍ତି  । ଅପରପକ୍ଷରେ ଏନେଇ ବିଧାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ  ।
ବିଧାୟକ ଶ୍ରୀ ନାୟକ ଗତ ୨୦୨୪ ନିର୍ବାଚନରେ ଦାଖଲ କରିଥିବା ସତ୍ୟପାଠରେ ଉକ୍ତ ଘର ସମ୍ପର୍କରେ ଉଲ୍ଲେଖ କରିଛନ୍ତି  । ୨୦୦୭ରେ ସେ ଗୋଆର ଭର୍ଣ୍ଣାରେ ୨ ଲକ୍ଷ ୪୦ ହଜାର ଟଙ୍କା ଦେଇ ଏକ ୩୩୯ ମିଟର ଜାଗା କିଣିଥିଲେ  । ପରେ ସେଥିରେ ୧.୩ କୋଟି ଟଙ୍କା ବ୍ୟୟ କରି ନିର୍ମାଣ କାର୍ଯ୍ୟ କରିଥିଲେ  । ଯାହାର ବଜାର ମୂଲ୍ୟ ୨.୭ କୋଟିହେବ ବୋଲି ସେ ଦର୍ଶାଇଥିଲେ  । ଗତ ଜୁଲାଇ ୨୯ରେ ତାଙ୍କୁ ମାରଗାଓ ଗୋଆର ଡେପୁଟି କଲେକ୍ଟର ଗଣେଶ କେ ବାର୍ଭେ ଏକ ନୋଟିସ୍ ପଠାଇଥିଲେ  । ସେଥିରେ ଉଲ୍ଲେଖ ରହିଥିଲାଯେ, କୋଦଳାର ବିଶ୍ୱାମିତ୍ର ତ୍ରିପାଠୀ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି  । ବେଆଇନ୍ ଭାବେ ନିର୍ମାଣ କାର୍ଯ୍ୟ ହୋଇଥିବା ନେଇ ସେ ଦର୍ଶାଇଛନ୍ତି  । ତେଣୁ ସେହି ସ୍ଥାନକୁ ଯାଇ ଅନୁଧ୍ୟାନ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି  । ଯଦି କିଛି ବେଆଇନ୍ ନିର୍ମାଣ ହୋଇଥିବାର ପ୍ରମାଣ ମିଳେ ତେବେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉଲ୍ଲେଖ ରହିଥିଲା  । ଅପରପକ୍ଷରେ ଗତ ଅଗଷ୍ଟ ୧୪ରେ ବି ଆଉ ଏକ ନୋଟିସ୍ ଭର୍ଣ୍ଣା ସରପଞ୍ଚ ନାଜିମା ଅମିତା ଡି କୋଷ୍ଟା ଦେଇଛନ୍ତି  । ଅଗଷ୍ଟ ୨୩ରେ ସେହି ସ୍ଥାନରେ ଉପସ୍ଥତି ରହିବାକୁ କୁହାଯାଇଥିଲା  । ତେବେ ବିଧାୟକ ସେଦିନ ଉପସ୍ଥିତ ଥିଲେ ନା ଲକି ଏଣ୍ଟରପ୍ରାଇଜେସ୍ ପକ୍ଷରୁ ଆଉ କେହି ଉପସ୍ଥିତ ଥିଲେ ତାହା ସ୍ପଷ୍ଟ ହୋଇପାରିନାହିଁ  । ଅପରପକ୍ଷରେ ଏନେଇ ବିଧାୟକ ମଧ୍ୟ ମୁହଁ ଖୋଲିବାକୁ ଚାହୁଁନଥିବା ଜାଣିବାକୁ ମିଳିଛି  ।