କଥା ଦେଇ କଥା ରଖିଲେ ବିଧାୟକ

ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀରେ ପ୍ରଥମ ଥର ପାଇଁ ବିଧାୟକଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ, ଉପଯୁକ୍ତ ତଦନ୍ତ ସହ ତୁରନ୍ତ ଲୋକଙ୍କ ସମସ୍ୟା ସମାଧାନ ପାଇଁ ନିଦେ୍ର୍ଦଶ ଦେଲେ ବିଧାୟକ ମାନସ ଦତ୍ତ ରାଜ୍ୟସ୍ତରରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ପ୍ରକୋଷ୍ଠ ଓ ଜିଲ୍ଲାସ୍ତରରେ ମିଳିତ ଜନଶୁଣାଣୀ ଅଭିଯାନ ଭଳି ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀସ୍ତରରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଛି ବିଧାୟକଙ୍କ ଜନ ଶୁଣାଣୀ କାର୍ଯ୍ୟକ୍ରମ । ଏଥିରେ ବିଧାୟକ ମାନସ କୁମାର ଦତ୍ତ ଉପସ୍ଥିତ ରହି ଜନ ସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗ ଶୁଣିବା ସହିତ ସେଗୁଡ଼ିକର ଆଶୁ ସମାଧାନ ପାଇଁ ବ୍ୟବସ୍ଥା କରିଥିଲେ । ତେବେ ଶାସନ ପ୍ରଶାସନକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଲକ୍ଷ୍ୟରେ ଏହିଭଳି ଏକ ଅଭିନବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ସଦର ନିର୍ବାଚନମଣ୍ଡଳୀ ଅଧୀନ କୁରାଡ଼ିହା ପଞ୍ଚାୟତ ଠାରେ ।
ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ସ୍ୱତନ୍ତ୍ର ଶିବିରରେ ଜିଲ୍ଲା ପ୍ରଶାସନର ସମସ୍ତ ଲାଇନ୍ ଡିପାର୍ଟମେଣ୍ଟର ଅଧିକାରୀମାନେ ଲୋକଙ୍କ ସମସ୍ୟାଗତ ଆବେଦନକୁ ତଦାରଖ କରିଥିଲେ। ଏହି ଜନଶୁଣାଣୀ କାର୍ଯ୍ୟକ୍ରମରେ ପାଖାପାଖି ୧୦୦ ଗୋଟି ଅଭିଯୋଗ ଶୁଣାଣି ହୋଇଥିଲା । ଅଭିଯୋଗଗୁଡ଼ିକ ମଧ୍ୟରେ ମୁଖ୍ୟତଃ ବିଭିନ୍ନ ସ୍ଥାନରେ ଜଳ ଯୋଗାଣ, ଜମି ସୀମାଙ୍କନ, ସ୍ୱାସ୍ଥ୍ୟଗତ ଏବଂ ଚିକିସôା ଜନିତ ଆବଶ୍ୟକ ସୁବିଧା, ଗମନାଗମନ, ଭିନ୍ନକ୍ଷମଙ୍କ ସାମାଜିକ ସୁରକ୍ଷା, ବାସଗୃହ ଜନିତ ସମସ୍ୟା ଗୁଡ଼ିକ ସର୍ବାଧିକ ଥିଲା । ଏହି ସମସ୍ତ ଅଭିଯୋଗ ମଧ୍ୟରୁ ମାତ୍ରାଧିକ ବ୍ୟକ୍ତିଗତ ସମସ୍ୟା ଥିବାବେଳେ କିଛି ମଧ୍ୟ ସାମୁହିକ ସମସ୍ୟା ସମ୍ବଳିତ ବିଷୟରେ ଆଧାରିତ ଥିଲା ଓ ଏହି ଜନଶୁଣାଣୀରେ ବିଭିନ୍ନ ବିଭାଗ ପାଇଁ ଆସିଥିବା ଅଭିଯୋଗଗୁଡିକ ମଧ୍ୟରେ ସରକାରଙ୍କର ବିଭିନ୍ନ ଯୋଜନା ଅନୁଯାୟୀ ଆବାସ ସହାୟତା, ଜଳ ନିଷ୍କାସନ ବ୍ୟବସ୍ଥା ପ୍ରଭୃତି ଅଭିଯୋଗଗୁଡିକ ଉପରେ ବିଚାର ପୂର୍ବକ ତୁରନ୍ତ ସେଗୁଡ଼ିକର ସମାଧାନ ନିମନ୍ତେ ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ବିଧାୟକ ଶ୍ରୀ ଦତ୍ତ ନିଦେ୍ର୍ଦଶ ଦେଇଥିଲେ ଓ ରାଜ୍ୟରେ ପରିଚାଳିତ ଲୋକଙ୍କ ସରକାର ସବୁବେଳେ ଲୋକଙ୍କ ସାଥିରେ ରହିଛି ।
ତୃଣମୂଳସ୍ତରରେ ସାଧାରଣ ଜନତାଙ୍କ ସମସ୍ତ ସମସ୍ୟାର ତ୍ୱରିତ ସମାଧାନ ପାଇଁ ରାଜ୍ୟର ମୋହନ ମାଝୀ ସରକାର ଦୃଢ଼ ପ୍ରତିବଦ୍ଧ ବୋଲି ବିଧାୟକ ଶ୍ରୀ ଦତ୍ତ ଏହି ଅବସରରେ କହିଛନ୍ତି । ଏଥିରେ ବାଲେଶ୍ୱର ସଦର ବ୍ଳକ ବିଡ଼ିଓ, ସଦର ତହସିଲଦାରଙ୍କ ସମେତ ପଞ୍ଚାୟତରାଜ ଓ ଗ୍ରାମ୍ୟ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ସ୍ୱାସ୍ଥ୍ୟ, ଶିକ୍ଷା ପ୍ରଭୃତି ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।