କଦଳୀରେ ରାସାୟନିକ କେମିକାଲ୍ ପ୍ରୟୋଗ

  ବନ୍ତ: ଓଡ଼ିଶାରେ ବର୍ଷସାରା ପାଚିଲା କଦଳୀର ବହୁଳ ବ୍ୟବହାର ହେଉଥିବା ଦୃଷ୍ଟିରୁ କିଛି ମୁନାଫାଖୋର ବ୍ୟବସାୟୀ ଏଥିରେ ରାସାୟନିକ ବିଷ ପ୍ରୟୋଗ କରୁଥିବା ଦୃଷ୍ଟିଗୋଚର ହେଉଛି । ଅଳ୍ପ ସମୟରେ ଅଧିକ ଲାଭବାନ ହେବା ଏବଂ ଗ୍ରାହକଙ୍କୁ ଆକୃଷ୍ଟ କରିବା ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି । ଏପଟେ ସେହି କଦଳୀ ଖାଇ ପରୋକ୍ଷରେ ଲୋକେ ଅନେକ ରୋଗ କିଣୁଛନ୍ତି । 
ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବନ୍ତ, କେନ୍ଦୁଆପଦା, ବସନ୍ତିଆ, ଷେଣ୍ଢତିରା, କାଦବରାଙ୍ଗ, ଆଦି ବଜାରରେ ପଚାଶରୁ ଊର୍ଦ୍ଧ୍ୱ ଫଳ ଦୋକାନ ରହିଛି । ଏହିସବୁ ଦୋକାନରୁ ଗ୍ରାହକମାନେ କଦଳୀ ଦେବାଳୟରେ ଭୋଗ ଲଗାଇବା ହେଉ କିମ୍ବା ଖାଇବା ଉଦେ୍ଦଶ୍ୟରେ ନେଇଥାନ୍ତି । ଏହି ବ୍ଲକରେ ଥିବା ଅଧିକାଂଶ ଫଳ ଦୋକାନୀ ରାତିରେ କଦଳୀରେ ରାସାୟନିକ ବିଷ ଏବଂ କ୍ରିପନ୍-ଏକ୍ସଏଲ କିମ୍ବା ଅତ୍ୟଧିକ କାରବାଇଡ ପ୍ରୟୋଗ କରିଥାନ୍ତି । ଏହା ପ୍ରୟୋଗ ଦ୍ୱାରା କଦଳୀ ଚୋପା ତତ୍କ୍ଷଣାତ ହଳଦିଆ ହୋଇଯାଏ । ହେଲେ ଭିତର ଅଂଶ କଞ୍ଚାଥିବାରୁ ତାହା ଖାଇବା ଉପଯୋଗୀ ହୋଇ ନଥାଏ । ଏହି ସମୟରେ କଦଳୀ ଖାଇବା ଫଳରେ ମଣିଷ ଭବିଷ୍ୟତରେ ବିଭିନ୍ନ ରୋଗକୁ ଆମନ୍ତ୍ରଣ କରିଥାଏ । ଏହି ରାସାୟନିକ ବିଷ ପ୍ରୟୋଗ ନେଇ ଫଳ ବ୍ୟବସାୟୀ କହନ୍ତି, ବାହାର ରାଜ୍ୟରୁ ଓଡିଶାକୁ କଦଳୀ ଆସୁଛି । ଯାହା ଗଛରୁ କଟାଯିବା ପରେ ଆମ ପାଖରେ ପହଞ୍ଚôବା ପାଇଁ ୩ରୁ ୪ ଦିନ ଲାଗିଥାଏ । କଦଳୀ କାନ୍ଧି କଞ୍ଚା ରହୁଥିବାରୁ ଆବଶ୍ୟକତା ଅନୁଯାୟୀ ରାସାୟନିକ ସିଞ୍ଚନ କରିବାକୁ ପଡୁଛି, ପାଚିଲା କଦଳୀ ଆସିଲେ ପଚିଯିବା ସହ ଅନେକ କ୍ଷତି ହେବ । ଅନ୍ୟ ପକ୍ଷରେ କଦଳୀରେ ଉପରୋକ୍ତ ତରଳ ପଦାର୍ଥ ପ୍ରୟୋଗ ନେଇ ଜିଲ୍ଲା ଖାଦ୍ୟ ନିରାପତ୍ତା ଅଧିକାରୀ ପୂର୍ବରୁ କହିଛନ୍ତି ଯେ, କଦଳୀରେ ଏଫାଇଲିନ ପ୍ରୟୋଗ କରାଯାଇ ପାରିବ । ଯଦି ଫଳ ବ୍ୟବସାୟୀମାନେ କାରବାଇଡ କିମ୍ବା ଅନ୍ୟ କୌଣସି କ୍ଷତିକାରକ ରାସାୟନିକ ବ୍ୟବହାର କରୁଥାନ୍ତି, ତେବେ ଚଢ଼ଉ କରାଯାଇ ନମୁନା ସଂଗ୍ରହ ପୂର୍ବକ ପରୀକ୍ଷାଗାରକୁ ପଠାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ହେଲେ ଏଫାଇଲିନ ବଦଳରେ ଫଳ ବ୍ୟବସାୟୀମାନେ କ୍ରିପନ-ଏକ୍ସ ଏଲ ଓ କାରବାଇଡ ବହୁଳ ପରିମାଣରେ ବ୍ୟବହାର କରୁଥିବା ଦୃଷ୍ଟିଗୋଚର ହେଉଛି । ଉପରୋକ୍ତ ଘଟଣା ପ୍ରତି ବିଭାଗୀୟ ଉଚ୍ଚ ଅଧିକାରୀ ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି ।