ଗରିବ କଲ୍ୟାଣ ଓ ବିକାଶ ସମାବେଶରେ ଧର୍ମେନ୍ଦ୍ର : ଡବଲ ଇଞ୍ଜିନ ସରକାରରେ ଜନସେବାକୁ ମିଳିଛି ଅଗ୍ରାଧିକାର

ଅନୁଗୁଳ:  ଆମ ସରକାରରେ ଜନସେବାକୁ ଅଗ୍ରାଧିକାର ମିଳିଛି । ଲୋକଙ୍କ ଅଧିକାରକୁ ସୁରକ୍ଷା ଦେବା ସହ ସେମାନଙ୍କ ମୌଳିକ ସମସ୍ୟାର ସମାଧାନ ତ୍ୱରିତ ପଦକ୍ଷେପ ନିଆଯାଉଛି । ସରକାର ଏବଂ ଜନତାଙ୍କ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା ପାଇଁ ଡବଲ ଇଞ୍ଜିନ ସରକାର କଟିବଦ୍ଧ ବୋଲି ଅନୁଗୋଳ ଛେଣ୍ଡିପଦାରେ ଆୟୋଜିତ ଗରିବ କଲ୍ୟାଣ ଓ ବିକାଶ ସମାବେଶରେ ଯୋଗ ଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ଅନୁଗୋଳକୁ ବିକାଶର ପଥରେ ଆଗେଇ ନେବା ପାଇଁ ଡବଲ ଇଞ୍ଜିନ ସରକାରର ପ୍ରାୟ ୪୪.୮୮ କୋଟି ମୂଲ୍ୟର ୩୪ଟି ପ୍ରକଳ୍ପର ଲୋକାର୍ପଣ ଏବଂ ୮.୯ କୋଟି ମୂଲ୍ୟର ୧୯ଟି ପ୍ରକଳ୍ପ ପାଇଁ ଭୂମିପୂଜନ କରିଥିଲେ । ଜନସଭାକୁ ସମ୍ବୋଧିତ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ, ଡବଲ ଇଞ୍ଜିନ ସରକାରରେ ନିର୍ବାଚନ ସମୟରେ ଦିଆଯାଉଥିବା ପ୍ରତିଶ୍ରୁତିକୁ ପାଳନ କରାଯାଉଛି । ଆଜି ଏହି ଲକ୍ଷ୍ୟରେ ୫୩ କୋଟି ଟଙ୍କା ମୂଲ୍ୟର ୫୩ଟି ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କୁ ଘର, ସୁଭଦ୍ରା ଯୋଜନାରେ ନାରୀ ସଶକ୍ତିକରଣ, ଧାନର ଏମ୍ଏସପି କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କାକୁ ବୃଦ୍ଧି,ଲକ୍ଷପତି ଦିଦି, ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା, ଶହୀଦ ମାଧୋ ସିଂ ହାତ ଖର୍ଚ୍ଚ ଭଳି ଆଦି ଅନେକ ଜନକଲ୍ୟାଣକାରୀ ଯୋଜନା ଦ୍ୱାରା ଅନୁଗୋଳ ସମେତ ଓଡ଼ିଶାବାସୀ ଉପକୃତ ହେଉଛନ୍ତି । ଶ୍ରୀ ପ୍ରଧାନ ସମବେତ ଜନସାଧାରଣଙ୍କୁ ପରିବେଶ ପ୍ରତି ଯନô ନେବା ପାଇଁ ଗଛ ଲଗାଇବା ସହ ଲୋକଙ୍କ ଅଧିକାରକୁ ଅଗ୍ରାଧିକାର ଦେବା ଉପରେ ମତପ୍ରକାଶ କରିଥିଲେ । କୋଶଳା-ଛେଣ୍ଡିପଦା ଭାୟା ବ୍ରାହ୍ମଣବିଲ, ଚାଙ୍ଗୁଡିଆ ରାସ୍ତାର ଉନ୍ନତିକରଣ, ଏଚଏନ-୫୫ ଠାରୁ ପଥରଗଡ଼ ଭାୟା ପଳାସନଳା, କଞ୍ଜରା ରାସ୍ତାର ଉନ୍ନତିକରଣ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସନ୍ତରାବନ୍ଧର ଅତିରିକ୍ତ ସ୍ମାର୍ଟ ଶ୍ରେଣୀ ଗୃହ ନିର୍ମାଣ, ନୂଆପଡ଼ା-ବଡବେରେଣା ଭାୟା ସାଲଖମଣ ରାସ୍ତାର ଉନ୍ନତିକରଣର ଆଦି ଅନେକ ପ୍ରକଳ୍ପର ଶୁଭାରମ୍ଭ ଏବଂ ବାଗେଡିଆ ଠାରୁ ଶିମିଳିପାଳ ରାସ୍ତାର ଉନ୍ନତିକରଣ ସହ ଅନ୍ୟାନ୍ୟ ପ୍ରକଳ୍ପ ପାଇଁ ଭୂମିପୂଜନ କରିଥିଲେ । ଏହି ଅବସରରେ ଶ୍ରୀ ପ୍ରଧାନ ନିର୍ମାଣ ଶ୍ରମିକ ଯୋଜନା, ଅନ୍ତୋଦୟ ଗୃହ ଯୋଜନା, ସାମାଜିକ ସୁରକ୍ଷା, କେନ୍ଦୁପତ୍ର ତୋଳାଳୀ, ଆୟୁଷ୍ମାନ କାର୍ଡ, ବସୁନ୍ଧରା ପଟ୍ଟା, ଶ୍ରୀ ଅନ୍ନ ଅଭିଯାନ ଯୋଜନା, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, କିଷାନ କ୍ରେଡିଟ୍ ଆଦି ଯୋଜନାରେ ହିତାଧିକାରୀଙ୍କୁ ସରକାରୀ ସହାୟତା ରାଶି ବିତରଣ କରିଥିଲେ ।