ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନା ଓ ଡାଲି ସ୍ୱାବଲମ୍ବନ କାର୍ଯ୍ୟକ୍ରମ
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରର କୃଷକ ଭାଇ ଭଉଣୀଙ୍କ ପାଇଁ କୃଷି, ପଶୁପାଳନ, ମତ୍ସ୍ୟ ଚାଷ ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ର ପାଇଁ ୪୨,୦୦୦ କୋଟି ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ୧୧୦୦ ରୁ ଉର୍ଦ୍ଧ ପରିଯୋଜନାର ଶୁଭ ଉଦଘାଟନ ଆଭାସୀ ମାଧ୍ୟମରେ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା, ଡାଲି ସ୍ୱାବଲମ୍ବନ ମିଶନର ମଧ୍ୟ ଶୁଭାରମ୍ଭ ହୋଇଅଛି ।
ଏହି ଉଦଘାଟନ ସମାରୋହରେ ଭୁବନେଶ୍ୱର ସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଅନ୍ତର୍ଗତ ଭାରତୀୟ ଜଳ ପରିଚାଳନା ଅନୁଷ୍ଠାନରେ ଓଡିଶା ସରକାରଙ୍କ ଗୃହ, ନଗର ଉନ୍ନୟନ ଏବଂ ସାର୍ବଜନୀନ ଉଦ୍ୟୋଗ ମନ୍ତ୍ରୀ ଡକ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ଏବଂ ଉପସ୍ଥିତ କୃଷକ ଭାଇ ଭଉଣୀ ମାନଙ୍କୁ ଉଦବୋଧନ ଦେଇଥିଲେ । ନିଜ ଅଭିଭାଷଣରେ ମାନ୍ୟବର ମନ୍ତ୍ରୀ ଡକ୍ଟର ମହାପାତ୍ର, ପ୍ରଧାନମନ୍ତ୍ରୀଙ୍କ କୁଶଳ ନେତୃତ୍ୱରେ ଦେଶର ଦ୍ରୁତ ପ୍ରଗତି ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ମୋଦିଙ୍କର ଲକ୍ଷ୍ୟ ହେଉଛି ଭାରତର କୃଷକକୁ ସଶକ୍ତ କରି ଦେଶକୁ ବିଶ୍ୱର ଭାତହାଣ୍ଡି କରି ଗଢି ତୋଳିବା ।
ଡାଲି ଜାତୀୟ ଫସଲର ଆବଶ୍ୟକତାକୁ ପୂର୍ଣ୍ଣ କରିବା ପାଇଁ ଭାରତ ଆମଦାନୀ ଉପରେ ନିର୍ଭରଶୀଳ ଯାହା ଏକ ବିଡମ୍ବନାର ବିଷୟ ଅଟେ । ପ୍ରଧାନମନ୍ତ୍ରୀ ଧନଧାନ୍ୟ ଯୋଜନାରେ ଭାରତ ସରକାର ସମଗ୍ର ଦେଶରେ କମ ଉତ୍ପାଦକତା ଥିବା ୧୦୦ ଟି ଜିଲ୍ଲାକୁ ଚିହ୍ନଟ କରିଛନ୍ତି, ଏଥିରୁ ଓଡିଶାର ଚାରୋଟି ଜିଲ୍ଲା ରହିଛି ଯେଉଁ ଗୁଡିକ ହେଲା କନ୍ଧମାଳ, ମାଲକାନଗିରି, ନୂଆପଡା ଓ ସୁନ୍ଦରଗଡ । ଅନୁଷ୍ଠାନର ନିର୍ଦ୍ଦେଶକ ଡକ୍ଟର ଅର୍ଜମାଦତ୍ତ ଷଡଙ୍ଗୀ ଭାରତୀୟ ଜଳ ପରିଚାଳନା ପ୍ରତିଷ୍ଠାନରେ କମ ଜଳ ପ୍ରୟୋଗ ଦ୍ୱାରା ଅଧିକ ଅମଳ ହୋଇପାରୁଥିବା ଜ୍ଞାନକୌଶଳ ଉପରେ ଆଲୋକପାତ କରିଥିଲେ ଏବଂ ଅନୁଷ୍ଠାନ ଦ୍ୱାରା ବିକଶିତ ହୋଇଥିବା ଜ୍ଞାନକୌଶଳ ଗୁଡିକୁ ଆପଣେଇବା ପାଇଁ ଆହ୍ୱାନ ଦେଇଥିଲେ ଓ ସାଥି କୃଷକ ମାନଙ୍କୁ ଜଣାଇବା ପାଇଁ କହିଥିଲେ ।