କାମକୁ ବର୍ଷେ ପୂରିନି, ସେତୁ ମଝିରେ ଗର୍ତ୍ତ 

 ନିଶ୍ଚିନ୍ତକୋଇଲି:  ନିଶ୍ଚିନ୍ତକୋଇଲି ଗ୍ରାମ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ଚିତ୍ରୋତ୍ପଳା ନଦୀର ସେତୁ ନିର୍ମାଣର ୧ବର୍ଷ ନ ପୁରୂଣୁ ପୋଲର ସ୍ଥାନେ ସ୍ଥାନେ ଗର୍ତ୍ତ ସୃଷ୍ଟି ହେବା ସାଧାରଣରେ ପୋଲର ସ୍ଥାୟୀତ୍ୱକୁ ନେଇ ସନେ୍ଦହ ସୃଷ୍ଟି ହୋଇଛି । ପ୍ରକାଶ ଯେ, ଲୁଣା-ଚିତ୍ରୋତ୍ପଳା ଦ୍ୱୀପାଂଚଳର ନଗସପୁରଠାରେ ଗତ ବିଜେଡି ସରକାରଙ୍କ ସମୟରେ ମାହାଙ୍ଗା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ ଫଳରେ ନଗସପୁରଠାରେ ଏକ ବିଜୁ ସେତୁ ନିର୍ମାଣ କରାଯାଇଥିଲା । ଏହି ସେତୁ ନଗସପୁର ଓ ବାବୁଜଙ୍ଗ ପଂଚାୟତକୁ ସଂଯୋଗ କରିବା ଫଳରେ ଜଗତ୍ସିଂହପୁର ଓ କଟକ ମଧ୍ୟରେ କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଆଦି ଅଂଚଳ ସହିତ ଯୋଗଯୋଗ ହୋଇପାରୁଥିଲା । ପ୍ରାୟ ୨୫କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ସେତୁ ତା. ୩.୭.୨୦୨୩ରେ ସର୍ବସାଧାରଣଙ୍କ ଯାତାୟତ ପାଇଁ ଲୋକାର୍ପଣ କରାଯାଇଥିବା ବେଳେ ଏବେ ପୋଲର ମଝିରେ ମଝିରେ ଗର୍ତ୍ତ ସୃଷ୍ଟି ହୋଇ ରଡ୍ ଦେଖାଯାଉଛି । ମାତ୍ର ୧ବର୍ଷ ବ୍ୟବଧାନାରେ ପୋଲରୁ ରଡ୍ ବାହାରିିଯିବା ସାଧାରଣରେ ବିସ୍ମୟ ପ୍ରକାଶ କରିଛି । ସୂଚନାଯୋଗ୍ୟ ଯେ, ନିଶ୍ଚିନ୍ତକୋଇଲି ଗ୍ରାମ୍ୟ ଉନ୍ନୟନ ବିଭାଗରେ ସ୍ଥାୟୀ ସହକାରୀ ଯନ୍ତ୍ରୀ ନଥିବା ସାଙ୍ଗକୁ କନିଷ୍ଠ ଯନ୍ତ୍ରୀ ଦୀର୍ଘଦିନ ହେଲା ରହି ରାଜନୈତିକ ନେତାଙ୍କ ହାତବାରିଶି ସାଜି କୌଣସି କାମକୁ ସଠିକ୍ ଭାବରେ ଦେଖାଶୁଣା କରୁନଥିବା ଅଭିଯୋଗ ହୋଇଛି । ତତ୍ପରେ ପୋଲ ତିଆରି ସମୟରେ ରଡ୍ ଓ ଗୋଳା ସିମେଣ୍ଟ ମାନ ପରୀକ୍ଷା ପାଇଁ ସ୍ୱତନ୍ତ୍ର ବିଭାଗ ସରକାରଙ୍କର ଥିଲେ ମଧ୍ୟ ଏହି ପୋଲଟିର ମଝିରେ ଯେଉଁ ଗର୍ତ୍ତ ସୃଷ୍ଟି ହୋଇଛି ସେଥିପାଇଁ  ମାନ ନିର୍ଦ୍ଧାରଣ ବିଭାଗ ନା ଗ୍ରାମ ଉନ୍ନୟନ ବିଭାଗ ଦାୟୀ ରହିବେ ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଗର୍ତ୍ତର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇ ଠିକାଦାରଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବି ହୋଇଛି ।