କାମରେ ଆସୁନି ଗୋଷ୍ଠୀ ଶୌଚାଳୟ  

 ଆସିକା ପଞ୍ଚାୟତ ସମିତି ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଥିବା ଗୋଷ୍ଠୀ ଶୌଚାଳୟରେ ଝୁଲୁଛି ତାଲା ।  ଦିଗହରା ହେଉଛି ସ୍ୱଚ୍ଛ ଭାରତ ଅଭିଯାନ । କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱଚ୍ଛ ଭାରତ ମିଶନ ଏବଂ ପଞ୍ଚାୟତରାଜ ବିଭାଗର ମିଳିତ ସହଯୋଗରେ ବାହ୍ୟମଳ ମୁକ୍ତ ରୋକିବା ସହ ଜନସାଧାରଣ ସୁସ୍ଥ ଆରୋଗ୍ୟ ରହିବା ପାଇଁ ବିଭିନ୍ନ ସ୍ଥାନରେ ଗୋଷ୍ଠୀ ଶୌଚାଳୟ ନିର୍ମାଣ ହୋଇଥିଲା । ଆସିକା ବ୍ଲକର ବାଲିସିରା, ବରଗାଁ, କାଳଷଣ୍ଢପୁର, ବାଲିଛାଇ, ନଳବଣ୍ଟା, ଦେବଭୂମି, ମୁନିଗାଡି, ବଡ଼ଖୋଲି ଆଦି ବିଭିନ୍ନ ସ୍ଥାନରେ ଏହି ଶୌଚାଳୟ ତିଆରି ହୋଇଥିଲା । ହେଲେ ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ଶୌଚାଳୟ କେତେ ସ୍ଥାନରେ ପରିଚାଳନା ପାଇଁ ଆବଶ୍ୟକ ପାଣ୍ଠି ନ ଥିବାରୁ ତାଲା ଝୁଲୁଥିବା ବେଳେ ଅନ୍ୟ କେତେକ ଅଦ୍ୟାବଧି ଆରମ୍ଭ ନ ହୋଇ ତାଲା ପଡିରହିଛି । ଏ ସମ୍ପର୍କରେ ପଞ୍ଚାୟତରାଜ ଏବଂ ସ୍ୱଚ୍ଛ ଭାରତ ମିଶନ ବିଭାଗ ଅଧିକରୀ ସହ ଜାଣିବାକୁ ଚେଷ୍ଟା କରୁଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିଲାନାହିଁ । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।