କାର୍ଯ୍ୟକାରୀ ହେଉନି ବଦଳି ଯୋଜନା : ସରକାରୀ ଦପ୍ତରରେ ବର୍ଷ ବର୍ଷ ଧରି ରହିଛନ୍ତି କର୍ମଚାରୀ
ଖଣ୍ଡପଡା : ଖଣ୍ଡପଡା ଅଞ୍ଚଳର ବ୍ଲକ୍, ତହସିଲ, ଏନଏସି ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟରେ ବର୍ଷ ବର୍ଷ ଧରି କେତେକ କର୍ମଚାରୀ କାର୍ଯ୍ୟ କରିଆସୁଛନ୍ତି । ବିଭିନ୍ନ ସମୟରେ ସେମାନଙ୍କର ବଦଳି ଆସିଥିଲେ ହେଁ ଉପରସ୍ଥ ଅଧିକାରୀଙ୍କୁ କରାୟତ୍ତ କରି ସଂପୃକ୍ତ କର୍ମଚାରୀମାନେ ବଦଳି ଆଦେଶକୁ ବାତିଲ କରି ପରବର୍ତ୍ତୀ ସମୟରେ ପୁର୍ନବାର ସେଠାରେ ଅବସ୍ଥାପିତ ହୋଇଥିବା ଜଣାଯାଇଛି । ସାଧାରଣରେ ଏ ନେଇ ଅସନ୍ତୋଷ ପ୍ରକାଶ ପାଉଛି । ପ୍ରକାଶଥାଉକି ରାଜ୍ୟ ସରକାର ସରକାରୀ କାର୍ଯ୍ୟାଳୟ ଗୁଡିକରେ ସ୍ୱଚ୍ଛତା ବଜାୟ ରଖିବା ନିମନ୍ତେ ଏକଦା ୩ ବର୍ଷିଆ ବଦଳି ଯୋଜନା କାର୍ଯ୍ୟକାରୀ କରିଥିଲେ । ଯେ କୌଣସି କର୍ମଚାରୀ ଗୋଟିଏ କାର୍ଯ୍ୟାଳୟରେ ୩ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ ବୋଲି ସରକାରୀ ନିଦେ୍ର୍ଦଶନାମା ଜାରି କରାଯାଇଥିଲା । ମାତ୍ର ସରକାରଙ୍କ ଏହି ନିଦେ୍ର୍ଦଶନାମା ଖଣ୍ଡପଡା ଅଞ୍ଚଳରେ କାର୍ଯ୍ୟକାରୀ ହେଉନଥିବା ନେଇ ସାଧାରଣରେ ଆଲୋଚନା ହେଉଛି ।ଫଳରେ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଦୁର୍ନୀତିର ଚେର ବେଳକୁ ବେଳ ଲମ୍ବା ହେବାରେ ଲାଗିଛି । ଖଣ୍ଡପଡା ଅଞ୍ଚଳରେ ଅବସ୍ଥିତ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଦୀର୍ଘ ବର୍ଷ ଧରି କାର୍ଯ୍ୟରତ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରି ତୁରନ୍ତ ସେମାନଙ୍କୁ ଏଠାରୁ ଅନ୍ୟତ୍ର ବଦଳି ନିମନ୍ତେ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । ନୟାଗଡ ଜିଲ୍ଲାପାଳ, ବିଭାଗୀୟ କର୍ତ୍ତୃପକ୍ଷ ଓ ମନ୍ତ୍ରୀ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।