ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ
କେନ୍ଦୁଝର : ଆଜି କେନ୍ଦୁଝର କୋର୍ଟର ଏଡିଜେ ମମିତା ଦାସ ଏକ ହତ୍ୟା ମାମଲାର ବିଚାର କରି ପଣ୍ଡାପଡା ଥାନା ଅନ୍ତର୍ଗତ ହୁଣ୍ଡ ବାଂଶପାଳ ଗ୍ରାମର ବିକ୍ରମ ବେହେରାଙ୍କ ପୁଅ ଅଭିଯୁକ୍ତ ଶଙ୍କର ବେହେରାକୁ ଆଜୀବନ କାରା ଦଣ୍ଡାଦେଶ ସହ ୧୦ ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୬ ମାସ ସଶ୍ରମ କାରା ଦଣ୍ଡାଦେଶ ଶୁଣାଇଛନ୍ତି । ଘଟଣାରୁ ପ୍ରକାଶ ଯେ, ତା ୨୬ା୫ା୨୦୧୯ ରିଖ ରବିବାର ସନ୍ଧ୍ୟା ୭ ଘଟିକା ସମୟରେ ଆସାମୀ ଶଙ୍କର ବେହେରା ମୃତକ ବୈଲୋଚନ ଓରଫ୍ କାଳୁ ବେହେରାକୁ ତା’ର ପରିବାର ଲୋକଙ୍କ ଉପସ୍ଥିତିରେ ଡାକି ନେଇ ବାହାରକୁ ଯାଇଥିଲା ଏବଂ ମୃତକ ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକ ତାକୁ ବହୁ ଆଡେ ଖୋଜାଖୋଜି କରି ନିରାଶ ହୋଇଥିଲେ । ତା’ ପରଦିନ ତା ୨୭ା୫ା୨୦୧୯ ରିଖ ସୋମବାର ସକାଳୁ ପରିବାର ଲୋକ ଖବର ପାଇଲେ ଯେ ମୃତକ ଜଙ୍ଘିରା ବାହୁଟିଆ ପୋଲ ପାଖରେ କ୍ଷତବିକ୍ଷତ ହୋଇ ମରି ପଡିଛି । ଉକ୍ତ ଖବର ପାଇ ତାଙ୍କ ଘର ଲୋକ ମାନେ ଘଟଣାସ୍ଥଳରେ ପହଞ୍ଚô ମୃତକଙ୍କୁ ଚିହ୍ନଟ କରିବା ପରେ ଉକ୍ତ ଘଟଣାରେ ଆସାମୀ ଶଙ୍କର ଓ ଆଉ କେତେ ଜଣ ସଂପୃକ୍ତି ରହିଥିବା ନେଇ ମୃତକଙ୍କ ବଡ ଭାଇ ଦର୍ଶନୀ ବେହେରା ପଣ୍ଡାପଡା ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏହାପରେ ପଣ୍ଡାପଡା ଥାନା ପୋଲିସ ମାମଲାର ତଦନ୍ତ କରି ଅଭିଯୁକ୍ତ ଶଙ୍କର ବେହେରାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି କେନ୍ଦୁଝର ଏଡିଜେ ମମିତା ଦାସ ୨୪ ଜଣ ସାକ୍ଷ୍ୟଙ୍କ ବୟାନକୁ ଭିତ୍ତି କରି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି । ସରକାରଙ୍କ ତରଫରୁ ଅତିରିକ୍ତ ପିପି ପ୍ରଫୁଲ୍ଲ କୁମାର ପାତ୍ର କେଶ ପରିଚାଳନା କରୁଥିଲେ ।