କାଶ୍ମୀରରେ ଆତଙ୍କବାଦୀ ହମଲା ଡାକ୍ତରଙ୍କ ସମେତ ୭ ମୃତ ; ନିଜକୁ ଦାୟୀ କଲା ଲସ୍କର


ଜମ୍ମୁ-କାଶ୍ମୀରରେ ପୁଣି ଆତଙ୍କବାଦୀଙ୍କ ହମଲା । ଏଥର ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ଆଖିବୁଜା ଗୁଳିମାଡ଼ କରିଛନ୍ତି । ଏଥିରେ ୬ ଜଣ ଶ୍ରମିକଙ୍କ ସମେତ ଜଣେ ଡାକ୍ତରଙ୍କ ମୃତୁ୍ୟ ଘଟିଛି । ଗନେ୍ଦରବାଲ ଜିଲ୍ଲାରେ ଏହି ହମଲା ହୋଇଛି ।  ଗନେ୍ଦରବାଲ ସ୍ଥିତ ସୋନମାର୍ଗ ଅଞ୍ଚଳରେ ଏକ ଟନେଲ କାର୍ଯ୍ୟ ଚାଲିଥିଲା । ଗତକାଲି ସନ୍ଧ୍ୟାରେ ଶ୍ରମିକମାନେ କାର୍ଯ୍ୟରେ ନିୟୋଜିତ ଥିବାବେଳେ ଆଖିବୁଜା ଗୁଳିମାଡ଼ କରିଛନ୍ତି ଆତଙ୍କବାଦୀ । ଏଥିରେ ସାତ ଜଣଙ୍କର ମୃତୁ୍ୟ ହୋଇଛି । ଶ୍ରମିକମାନେ ପ୍ରବାସୀ ହୋଇ ଥିବାବେଳେ ଡାକ୍ତର ଜଣକ ଜମ୍ମୁ-କାଶ୍ମୀରର । ଏହି ଆକ୍ରମଣରେ କମ୍ପାନୀର ଦୁଇଟି ଗାଡି ଜଳି ପାଉଁଶ ହୋଇଯାଇଛି । ହମଲା ପରେ ସୁରକ୍ଷା ବାହିନୀ ଏହି ଅଞ୍ଚଳକୁ ଘେରାବନ୍ଦୀ କରି ଦେଇଛନ୍ତି । ଏଥିସହ ସର୍ଚ୍ଚ ଅପରେସନକୁ କଡ଼ାକଡ଼ି କରିଛନ୍ତି । ଏହି ହମଲାରେ ଦୁଇ ଜଣ ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । କାଶ୍ମୀର ଆଇଜି ପୁଲିସ ଭି.କେ ବିର୍ଦିଙ୍କ ସମେତ ବରିଷ୍ଠ ସୁରକ୍ଷା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି । ସେପଟେ ସଦ୍ୟତମ ଶପଥ ନେଇଥିବା ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଘଟଣାର କଡ଼ା ନିନ୍ଦା କରିଛନ୍ତି । ନିରୀହ ଲୋକଙ୍କ ଉପରେ ହୋଇଥିବା ଏପରି କାପୁରୁଷ ଆକ୍ରମଣକୁ ସେ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି । ଏହି ଆକ୍ରମଣକୁ ଜମ୍ମୁ-କାଶ୍ମୀର ଲିଓନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା, ଫାରୁକ ଅବଦୁଲ୍ଲା, କେନ୍ଦ୍ରମନ୍ତ୍ରୀ ନୀତୀନ ଗଡକରୀ ଓ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ମଧ୍ୟ ନିନ୍ଦା କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । 
ଅନ୍ୟପକ୍ଷରେ ଏହି ଆକ୍ରମଣ ଘଟଣାରେ ନିଜକୁ ଦାୟୀ କରିଛି ପାକିସ୍ତାନସ୍ଥିତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା । ପାକିସ୍ତାନ ଲସ୍କର-ଇ-ତୋଏବାର ଏକ ଶାଖା ଦି ରେଜିଷ୍ଟାନ୍ସ ଫ୍ରଣ୍ଟ (ଟିଆରଏଫ)ର ମୁଖ୍ୟ ଶେଖ୍ ସାଜ୍ଜାଦ ଗୁଲ୍ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ । ଗୁଲ୍ ତତ୍ତ୍ୱାବଧାନରେ କାଶ୍ମୀରରେ ଥିବା ଆତଙ୍କବାଦୀ ପ୍ରଥମ ଥର ପାଇଁ କାଶ୍ମୀର ବାସିନ୍ଦା ଏବଂ ଅଣକାଶ୍ମୀର ବାସିନ୍ଦାଙ୍କ ଉପରେ ଆକ୍ରମଣ କରିଛନ୍ତି । ଟିଆରଏଫ ପୂର୍ବରୁ କାଶ୍ମୀର ପଣ୍ଡିତଙ୍କୁ ଟାର୍ଗେଟ କରି ଆସିଛି । ଏଥିରେ ଅନେକ କାଶ୍ମୀର ପଣ୍ଡିତଙ୍କର ମଧ୍ୟ ମୃତୁ୍ୟ ହୋଇଛି । କିନ୍ତୁ ଏହି ଆତଙ୍କୀ ସଂଗଠନ ପ୍ରଥମ କରି କାଶ୍ମୀର ଏବଂ ଅଣକାଶ୍ମୀର ବାସିନ୍ଦାଙ୍କୁ ଟାର୍ଗେଟ କରିଛି ।