କାହା ସ୍ୱାର୍ଥରେ ମୋବାଇଲ ଟଏଲେଟ୍ ଅଫ୍ ଲାଇନ୍ ଟେଣ୍ଡର
ନିମାପଡ଼ା : ନିମାପଡା ବିଜ୍ଞାପିତ ଅଞ୍ଚଳ ପରିଷଦ କେମିତି ଚାଲିଛି ? ଉତ୍ତର ଯାହା ଆସୁନା କାହିଁକି, ନିରପେକ୍ଷ ଭାବେ କହିବାକୁ ଗଲେ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଦୁର୍ନୀତିରେ ଉବୁଟୁବୁ ହେଉଥିବାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି । ପରିଷଦ ଅଞ୍ଚଳରେ ଭ୍ରାମ୍ୟମାଣ ପାଇଖାନା (ମୋବାଇଲ ଟଏଲେଟ୍) ପାଇଁ ଅଫ୍ ଲାଇନରେ ଟେଣ୍ଡର ଆହ୍ୱାନ କରାଯାଇଛି ଏବଂ ସେଥିପାଇଁ ପେପର କଷ୍ଟ୍ ୬ହଜାର ଟଙ୍କା ଓ ଅମାନତ ରାଶି (ଇଏମଡି) ୩୦ହଜାର ଟଙ୍କା ରଖାଯାଇଛି । ଏଠାରେ ସୂଚନାଯୋଗ୍ୟ ପ୍ରକଳ୍ପର ମୂଲ୍ୟ ଧାର୍ଯ୍ୟ କରାଯାଇନାହିଁ । ପରବର୍ତ୍ତୀ ସମୟରେ ଏହା ୩୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିଲ୍ କରାଯାଇ ପାରିବ । କିନ୍ତୁ ୪ଥାକିଆ ଭ୍ରାମ୍ୟମାଣ ପାଇଖାନା ସର୍ବୋତ୍ତମ ଭାବେ ନିର୍ମାଣ ପାଇଁ ୧୦ଲକ୍ଷ ଟଙ୍କା ବ୍ୟୟ ହେବ ବୋଲି ଜଣାପଡିଛି । ଏଣୁ ଏଥିରୁ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ବାରି ହୋଇ ପଡୁଛି । ଘଟଣାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ଏହା ପରିଷଦର ସାଧାରଣ ବୈଠକରେ ଆଲୋଚନା କରାଯାଇ ନାହିଁ କି ପ୍ରସ୍ତାବ ମଧ୍ୟ ଗୃହୀତ ହୋଇନାହିଁ । ତେବେ ଏତେ ଟଙ୍କାର ପ୍ରକଳ୍ପ କିପରି ପରିଷଦର ଅନୁମୋଦନ ଲାଭ ନକରି ଟେଣ୍ଡର କରାଗଲା? ତାହା ପୁଣି ଅଫ୍ ଲାଇନରେ । ଏଥିରୁ ଯାହା ଜଣାପଡୁଛି ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବୋଧ୍ହୁଏ ଖୁବ୍ ପାରିବାର, ଯେମିତି ଇଛା ସେମିତି କରି ବିଲ୍ କରି ମୋଟା ଅଙ୍କର ପିସି ନେଇ ପଳାଇବେ । ପରିଷଦ ପକ୍ଷରୁ ପୁରୁଣା ବସଷ୍ଟାଣ୍ଡ ନିକଟରେ ଯେଉଁ ସୁଲଭ ଶୌଚାଳୟ ଅଛି ତାହା ମରାମତି ଅଭାବରୁ ବନ୍ଦ ହୋଇ ପଡିଛି । ତାହାକୁ ମରାମତି ନକରି ଏତେ ଟଙ୍କା ବ୍ୟୟରେ ଭ୍ରାମ୍ୟମାଣ ପାଇଖାନା ପାଇଁ ଅଫ୍ ଲାଇନ୍ ଟେଣ୍ଡର କରାଯାଉଛି କାହା ସ୍ୱାର୍ଥରେ? ରାଜ୍ୟ ସରକାରଙ୍କ ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଗଲେ ଅନେକ ଲୁକ୍କାୟିତ ତଥ୍ୟ ଲୋକଲୋଚନକୁ ଆସି ପାରନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି ।