ଦୁର୍ନୀତିର ଗନ୍ତାଘର ଉପନିବନ୍ଧକ କାର୍ଯ୍ୟାଳୟ
ଜଟଣୀ : ଖୋର୍ଦ୍ଧା ଜିଲ୍ଲା ଜଟଣୀରେ ଅବସ୍ଥିତ ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ ଜନସାଧାରଣଙ୍କ ସୁବିଧା ପାଇଁ ଘରଡିହ ଓ ଜମିବାଡ଼ି ସଂକ୍ରାନ୍ତୀୟ ସମ୍ପତ୍ତି କ୍ରୟ ବିକ୍ରୟ କାର୍ଯ୍ୟ ପାଇଁ ସ୍ଥାପନ କରାଯାଇଥିଲା । କିନ୍ତୁ ସ୍ଥାପନ ହେବା ଦିନ ଠାରୁ ଅଦ୍ୟାବଧି ଜନସାଧାରଣଙ୍କ ସୁବିଧା ପରିବର୍ତ୍ତେ ଅନେକ ଅସାଧୁ କର୍ମଚାରୀ ଏବଂ ଜମି ଦଲାଲ୍, ଅସାଧୁ ବିଲଡର ସରକାରଙ୍କର ଆଇନ୍କୁ ଅବମାନନା କରି ଓ ଜମି କିଣା ବିକାରେ ଜାଲିଆତି କରି ଅନେକ ବ୍ୟକ୍ତିଙ୍କ ଜମି ବାଡ଼ି ହଡପ୍ କରି ଏହି କାର୍ଯ୍ୟାଳୟରେ ରେଜିଷ୍ଟ୍ରୀ କରାଇ ବିଗତ ଦିନରେ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଧରାପଡିବାର ନଜିର ଅଛି । ଏପରିକି କିଛି ଅସାଧୁ ଷ୍ଟାମ୍ପ ଭେଣ୍ଡର, ମୋହରିର ଏବଂ ନିର୍ଦ୍ଧିଷ୍ଟ ଠିକା ସଂସ୍ଥା କମ୍ପୁଟର ସେକ୍ସନ୍ରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କ ଦ୍ୱାରା ବିଭିନ୍ନ ଜମିର କିସମ ପରିବର୍ତ୍ତନ କରାଯାଉଥିବା ନଜିର ରହିଛି । ଷ୍ଟାମ୍ପ ଭେଣ୍ଡରମାନେ ଷ୍ଟାମ୍ପ ପେପର୍ କି ଷ୍ଟାମ୍ପ ଟିକଟକୁ ଉଲ୍ଲେଖ ମୂଲ୍ୟ ଠାରୁ ଅହେତୁକ ବୃଦ୍ଧି କରି ବିକ୍ରି କରୁଛନ୍ତି । ପଚାରିଲେ କୌଣସି ସନ୍ତୁଷ୍ଟ ଜନକ ଉତ୍ତର ଦେଉନାହାନ୍ତି । ଏ ସମ୍ପର୍କରେ ସ୍ଥାନୀୟ ଟ୍ରେଜେରୀ ଅଫିସ୍ର ଦୃଷ୍ଟି ଆକର୍ଷଣ କରାଯିବା ପରେ ସେଠାରେ ଏଭଳି କାର୍ଯ୍ୟ ବେଆଇନ୍ ବୋଲି ଦର୍ଶାଯାଇଛି । ଏପରିକି ଏହି କାର୍ଯ୍ୟାଳୟର କିଛି କର୍ମଚାରୀଙ୍କ ସହଯୋଗରେ ଜେରକ୍ସ ଦୋକାନ ସ୍ଥାପନ କରାଯାଇ ତନ୍ମଧ୍ୟରେ ଦଲାଲି କାରବାର ଓ ଅସାମାଜିକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଏପରିକି ରାମଚନ୍ଦ୍ରପୁର, ବଡନୂଆଗାଁ, ଗୋବିନ୍ଦପୁର, କୁମାରଖାତିଆ, ଖୁଦୁପୁର, ବେଲପଡା, ବଡତୋଟା, ଭୀମପୁର, ଷଣ୍ଢପୁର ମୌଜାର ଶହଶହ ଏକର ଜମି ପାର୍ଟ ଚକକୁ ଭାଙ୍ଗି ପାର୍ଟ ପ୍ଲଟ ରେଜିଷ୍ଟ୍ରି କରିବା ଏବଂ ଚାଷ ଜମିକୁ ସରକାରୀ ରାସ୍ତା ନ ଥାଇ ପାର୍ଟ ରେଜିଷ୍ଟ୍ରି କରାଇବା ଓ ଉକ୍ତ ପ୍ଲଟକୁ ଘରବାରି କରିବା ପାଇଁ ସୁବିଧା କରାଇଦେବାରେ ସିଦ୍ଧହସ୍ତ ଥିଲେ ଜଟଣୀ ପୂର୍ବତନ ଦୁଇ ଉପନିବନ୍ଧକ ସବରେଜିଷ୍ଟର ହୃଷିକେଶ ତ୍ରିପାଠୀ ଏବଂ ବିଞ୍ଜେଷ କୁମାର ନାୟକ । ଉପରୋକ୍ତ ମୌଜା ଗୁଡିକରେ ପାର୍ଟ ପ୍ଲଟ ରେଜିଷ୍ଟ୍ରେସନ ହେବା ଫଳରେ ଅନେକ ଚାଷୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେଉଁ ଜମିରେ ବିଲଡର ମାନେ ପ୍ଲଟିଙ୍ଗ କରି ଘର ଏବଂ ପାଚେରୀ ନିର୍ମାଣ ଦ୍ୱାରା ଜମିକୁ ପାଣି ମାଡି ପାରୁନାହିଁ ତ, କେଉଁ ଜମିରେ ଜଳ ନିଷ୍କାସନ ନ ହୋଇ ଚାଷ ଜମି ଉଜୁଡି ଯାଉଛି । ପାର୍ଟ ବା ଆଂଶିକ ପ୍ଲଟ ବିକ୍ରି ନେଇ ଖୋର୍ଦ୍ଧା ଏବଂ ଜଟଣୀ ଉପନିବନ୍ଧକ କାର୍ଯ୍ୟାଳୟର ଦୁର୍ନୀତି ବିରୁଦ୍ଧରେ ଅଭିଯୋଗ ଆସିବାପରେ ଜିଲ୍ଲାପାଳ ଚଞ୍ଚଳ ରାଣା ପ୍ରାଥମିକ ପର୍ଯାୟରେ ଖୋର୍ଦ୍ଧା ଏବଂ ଜଟଣୀ ସବରେଜିଷ୍ଟରଙ୍କୁ ଯଥାକ୍ରମେ ଖୋର୍ଦ୍ଧା ଜିଲ୍ଲାପାଳ ଏବଂ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସହକାରୀ କଲେକ୍ଟର ଭାବେ ଡେପୁଟେସନରେ ବଦଳି କରିଥିଲେ । ଦୁଃଖର ବିଷୟ ଅଭିଯୋଗ ପରେ ସରକାର ଅଭିଯୁକ୍ତଙ୍କୁ ନେଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟେସନରେ ନେଇ କନିଷ୍ଠ ପଦବୀରେ କାମ କରାଇଦେଇ ନିଜ ଉପରୁ ଦାୟିତ୍ୱ ହଟାଇଦେଇଛନ୍ତି । ଏଥିପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଦୋଷୀ ବିରୋଧରେ କଠୋର ଦଣ୍ଡ ବିଧାନ କଲେ ଚାଷୀକୂଳ ଉପକୃତ ହେବେ ବୋଲି ବୁଦ୍ଧିଜୀବୀ ଦାବି କରିଛନ୍ତି ।