କିଏ ଗଢ଼ିଥିଲେ ଶ୍ରୀମନ୍ଦିର

ବିଶ୍ୱ ପ୍ରସିଦ୍ଧ ପୁରୀ ଜଗନ୍ନାଥ ମନ୍ଦିର ବଡ଼ଦେଉଳ ବା ଶ୍ରୀମନ୍ଦିର ନାମରେ ବେଶ ଜଣାଶୁଣା । ଏହି ପ୍ରସିଦ୍ଧ ମନ୍ଦିର ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ । ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏହା ହେଉଛି ଏକ ପୁରାତନ ପୀଠ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀରେ ଆଧାରିତ ଏହି ମନ୍ଦିର କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ହୋଇଛି । ଦ୍ୱାଦଶ ଶତାବ୍ଦୀରେ ଗଙ୍ଗ ବଂଶର ରାଜା ଅନଙ୍ଗବର୍ମ ଚୋଡ଼ଗଙ୍ଗ ଦେବ ବର୍ତ୍ତମାନ ବଡ଼ଦାଣ୍ଡ ପତନଠାରୁ ୨୧୪ ଫୁଟ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ଶ୍ରୀମନ୍ଦିର କାର୍ଯ୍ୟ ଆରମ୍ଭ କରିଥିଲେ । ଅନଙ୍ଗ ଭୀମଦେବ ମନ୍ଦିର ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରି ଶ୍ରୀବିଗ୍ରହମାନଙ୍କୁ ଅଧିଷ୍ଠିତ କରାଇଥିଲେ । ଏହା ଦଶ ଏକର ଆୟତନ ବିଶିଷ୍ଟ ଜମି ଉପରେ ଅବସ୍ଥିତ । ଶ୍ରୀମନ୍ଦିରର ମୁଖ୍ୟ ଦେଉଳଟି ପଞ୍ଚରଥ ଶୈଳୀରେ ନିର୍ମିତ ହୋଇଛି । ୧୪୫୨ ଖ୍ରୀଷ୍ଟାବ୍ଦରେ ଗଜପତି କପିଳେନ୍ଦ୍ର ଦେବ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ମେଘନାଦ ପାଚେରୀର ନିର୍ମାଣ କରାଇଥିଲେ । ଯାହାର ଦୈର୍ଘ୍ୟ ୬୬୫ ଫୁଟ, ପ୍ରସ୍ଥ ୬୪୦ ଫୁଟ ଓ ଉଚ୍ଚତା ୨୨ ଫୁଟ । ମେଘନାଦ ପାଚେରୀ ଭିତର ପଟେ "କୂର୍ମ ପାଚେରୀ’ ନାମକ ଆଉ ଏକ ପାଚେରୀ ରହିଛି । ଯାହାର ଦୈର୍ଘ୍ୟ ୪୨୦ଫୁଟ ଓ ୩୧୫ ପ୍ରସ୍ଥ ଫୁଟ । ଏହି କୂର୍ମପାଚେରୀ ମଝିରେ ଥିବା "କୂର୍ମବେଢ଼ା" ମଝି ଭାଗରେ ବଡ଼ଦେଉଳ । ଏହି ବଡ ଦେଉଳଟି ଚାରି ଭାଗରେ ବିଭକ୍ତ ହୋଇଛି, ଯଥା; ବିମାନ (ମୁଖ୍ୟ ମନ୍ଦିର ବା ଗର୍ଭଗୃହ), ଜଗମୋହନ ବା ମୁଖଶାଳା, ନାଟମଣ୍ଡପ ଓ ଭୋଗମଣ୍ଡପ । ଭୋଇବଂଶ ପ୍ରଥମ ରାଜା ରାମଚନ୍ଦ୍ର ଦେବଙ୍କ ସମୟରେ ମାନସିଂହଙ୍କ ପନôୀ ଗୌରୀ ମହାଦେବୀ ମୁକ୍ତିମଣ୍ଡପର ନିର୍ମାଣ କରାଇଥିଲେ । ୩୮ ଫୁଟ ଦୈର୍ଘ୍ୟ ଓ ୩୮ ଓସାରର ଓ ୧୬ଟି ସ୍ତମ୍ଭ ବିଶିଷ୍ଟ ମୁକ୍ତିମଣ୍ଡପ ନିର୍ମାଣ କରାଯାଇଥିଲା ।