କିଡ୍ନୀ ରୋଗରେ ୧୪ ମଲେଣି: ମରଣ ସହ ସଂଗ୍ରାମ କରୁଛନ୍ତି ୧୯
ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତର ଧରାଖମନ ଗାଁ । ବ୍ଲକ ସଦର ଠାରୁ ପ୍ରାୟ ୧୫ କିମି ଦୂରରେ ଏହି ଗାଁର ପରିବାର ସଂଖ୍ୟା ପ୍ରାୟ ୯୦ । କୁଲି ମଜୁରି କାମ କରି ପ୍ରତିପୋଷଣ କରୁଥିବା ଏହି ଗାଁଲୋକଙ୍କ ମଧ୍ୟରେ ଏବେ ବ୍ୟାପକ ହେଉଛି କିଡ୍ନୀ ରୋଗ । ଏଥିଯୋଗୁ ଗାଁର ମାଡ୍ରାସ ଭୋଇ, ଚନ୍ଦ୍ର ଶେଖର ଭୋଇ, ମୁନିବର ଭୋଇ, ସାଦିନି ଭୋଇ, ଈଶ୍ୱର ଭୋଇ, ବିମନୀ ଭୋଇ, ମହାଦେବ ଭୋଇ, ପିତାମ୍ବର ପୁଟେଲ, ବିଶ୍ୱାମିତ୍ର ପୁଟେଲ, ରୂପ ମାଝୀ, ଜିତେନ୍ଦ୍ର ଭୋଇ, ଦମନ ଭୋଇ, ଉପେଶ୍ୱର ଭୋଇ, ସରସ୍ୱତୀ ପୁଟେଲ ପ୍ରମୁଖ ୧୪ ଜଣରୁ ଊର୍ଦ୍ଧ୍ୱ ମହିଳା-ପୁରୁଷ ପ୍ରାଣ ହରାଇ ସାରିଲେଣି ।
ସେହିପରି ଗାଁର ମୋତିଲାଲ ପୁଟେଲ, ଚୂଡାମଣି ପୁଟେଲ, ଜଗବନ୍ଧୁ ପୁଟେଲ, ଚନ୍ଦ୍ର ମଣୀ ଭୋଇ, ଯମୁନା ଜାନୀ, ମହାଦେବ ପୁଟେଲ, ମଚିନ୍ଦ୍ର ଭୋଇ, କିଆ ଭୋଇ, ନାଥ ଭୋଇ, ମିଥିଲା ଭୋଇ, ଧବଳେଶ୍ୱର ଭୋଇ, ବିଦ୍ୟାଧର ପୁଟେଲଙ୍କ ଭଳି ୨୦ରୁ ଉର୍ଦ୍ଧ୍ୱ ବ୍ୟକ୍ତି କିଡନୀ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସେମାନେ ମରଣ ସହ ସଂଗ୍ରାମ କରୁଥିବା ଗାଁର ସ୍ୱଚ୍ଛାସେବୀ ବଳଦେବ ଭୋଇ, ବିଶ୍ୱମ୍ବର ଭୋଇ କହିଛନ୍ତି । ତେବେ କର୍ଲାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ତଦନ୍ତ କରାଯାଇଥିଲେ ମଧ୍ୟ କେଉଁ କାରଣରୁ ଗ୍ରାମବାସୀ କିଡ୍ନୀ ସମସ୍ୟା ଭୋଗୁଛନ୍ତି ତାହା ସ୍ପଷ୍ଟ ହୋଇପାରୁନି ବୋଲି କୁହାଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି, ଏହାର ସର୍ଭେ କରାଯିବ ।