କୃଷିମନ୍ତ୍ରୀଙ୍କ ଜିଲ୍ଲା ସେଚ ପ୍ରକଳ୍ପ ସମୀକ୍ଷା: ଧାର୍ଯ୍ୟ ସମୟରେ ପ୍ରକଳ୍ପ ଶେଷ କର

 ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲାର ଜଳସେଚନ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ । ବିଶେଷ କରି ବଲାଙ୍ଗୀରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିଳାନ୍ୟାସ କରିଥିବା ଅପର ଲେନ୍ଥ ଇରିଗେସନ୍ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏହି ପ୍ରକଳ୍ପ ହେଲେ ସମ୍ପୃକ୍ତ ଅଞ୍ଚଳରେ ଜଳସେଚନର ଅସୁବିଧା ରହିବ ନାହିଁ ଏବଂ ଏହାର ସର୍ବୋଚ୍ଚ ସୁଫଳ ଚାଷୀ ଭାଇ ଭଉଣୀ ପାଇବେ ବୋଲି ଶ୍ରୀ ସିଂଦେଓ ମତବ୍ୟକ୍ତ କରିଥିଲେ । ବୈଠକରେ ଉନ୍ନୟନ କମିଶନର ଅନୁ ଗର୍ଗ ମଧ୍ୟ ଯୋଗ ଦେଇଥିଲେ । ଜମି ଅଧିଗ୍ରହଣ, ଡ୍ୟାମ ତିଆରି, ଅଫିସ କାର୍ଯ୍ୟାଳୟ ଆଦିର ମଧ୍ୟ ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ । ଏହି ପ୍ରକଳ୍ପର ଭୌଗଳିକ ରୂପରେଖ ନେଇ ବହୁ ଉପାଦେୟ ପରାମର୍ଶ ପ୍ରଦାନ କରିବା ସହ ଉନ୍ନୟନମୂଳକ କାର୍ଯ୍ୟର ସଫଳ ରୂପାୟନରେ ବାଧକ ସାଜୁଥିବା ଯେକୌଣସି ସମସ୍ୟା ଆପଣ ମାନେ ସିଧାସଳଖ ମୋ ସହ ଆଲୋଚନା କରିପାରିବେ ବୋଲି ସେ କହିଛନ୍ତି । ୨୦୨୭ ନଭେମ୍ବର ମାସ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବ ବୋଲି ଆକଳନ କରାଯାଇଥିବା ବେଳେ ସମୟ ଅବଧି ମଧ୍ୟରେ ପ୍ରକଳ୍ପ ଶେଷ କରିବାକୁ ଶ୍ରୀ ସିଂଦେଓ ନିଦେ୍ର୍ଦଶ ଦେଇଛନ୍ତି । ବୈଠକରେ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢ଼ୀ, ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜି ଇଶଲୱରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।