ଗୃହ ଏବଂ ନଗର ଉନ୍ନୟନ ବିଭାଗର ବୈଠକ: ସହରୀକରଣ ପାଇଁ ମୌଳିକ ସେବାକୁ ବୃଦ୍ଧି କରାଯାଉ 

 ଭୁବନେଶ୍ୱର: ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ମାସିକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ବିଭାଗୀୟ ସଚିବ ଉଷା ପାଢ଼ୀ ଅଧ୍ୟକ୍ଷତା କରି ଓଡ଼ିଶାରେ ସହରାଞ୍ଚଳ ଶାସନକୁ ଅଧିକ କ୍ରିୟାଶିଳ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ସମସ୍ତ ସହରାଞ୍ଚଳ ସ୍ଥାନୀୟ ସଂସ୍ଥା (ୟୁଏଲ୍ବି)କୁ ସହରୀକରଣ ଏବଂ ସଂସ୍କାର ପାଇଁ ଏକ ବ୍ୟାପକ ଆଭିମୁଖ୍ୟ ମାଧ୍ୟମରେ ଓଡ଼ିଶାର ଭବିଷ୍ୟତ ଗଠନରେ ସେମାନଙ୍କର ପ୍ରୟାସକୁ ତୀବ୍ର କରିବାକୁ ପରାମର୍ଶ ଦେଇଛନ୍ତି । ସହରୀ ଭିତ୍ତିଭୂମି ଏବଂ ମୌଳିକ ସେବାକୁ ବୃଦ୍ଧି କରିବା, ରାସ୍ତା, ଜଳ ଯୋଗାଣ, ପରିମଳ ଏବଂ ସାଧାରଣ ସୁବିଧାରେ ଉନ୍ନତି ଆଣିବା ଦିଗରେ ବିଶେଷ ଦୃଷ୍ଟି ଦେବାକୁ ଶ୍ରୀମତି ପାଢ଼ି କହିଛନ୍ତି । ପୌର ନିଦେ୍ର୍ଦଶକ ଅରିନ୍ଦମ ଡାକୁଆ, ସ୍ୱତନ୍ତ୍ର ସଚିବ, ଅତିରିକ୍ତ ସଚିବ ଏବଂ ଯୁଗ୍ମ ସଚିବଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସମସ୍ତ ୧୧୫ ଟି ୟୁଏଲ୍ବି, ଜିଲ୍ଲା ସହରାଞ୍ଚଳ ବିକାଶ ସଂସ୍ଥା (ଡିୟୁଡିଏ) ଏବଂ ବିକାଶ କର୍ତ୍ତୃପକ୍ଷଙ୍କ ମଧ୍ୟରେ ପ୍ରଗତି ସୁନିଶ୍ଚିତ କରିବା ପାଇଁ ସ୍ପଷ୍ଟ ସମୟସୀମା ସହିତ କାର୍ଯ୍ୟକ୍ଷମ ରୋଡମ୍ୟାପ୍ ଉପସ୍ଥାପନ କରିଥିଲେ ।
ବୈଠକରେ ଓଡ଼ିଶା ସହରାଞ୍ଚଳ ବିକାଶରେ ନୂତନ ମାନଦଣ୍ଡ ସ୍ଥାପନ କରିବାକୁ ଲକ୍ଷ୍ୟ ରଖି, ୟୁଏଲ୍ବିଗୁଡ଼ିକୁ ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ପୌର ସେବାରେ ଉନ୍ନତି ପାଇଁ ତଥ୍ୟ-ଚାଳିତ ରଣନୀତି କାର୍ଯ୍ୟକାରୀ କରିବାକୁ ନିଦେ୍ର୍ଦଶ ଦିଆଯାଇଥିଲା । ସହରୀକରଣ କେବଳ ସହର ବିସ୍ତାର କରିବା ନୁହେଁ ବରଂ ସମସ୍ତଙ୍କ ପାଇଁ ଗୁଣାତ୍ମକ ଜୀବନଧାରଣ ମାନ ନିଶ୍ଚିତ କରିବା । ସଂସ୍କାର, ପ୍ରଯୁକ୍ତିବିଦ୍ୟା ଉନ୍ନତି ଏବଂ ଗୋଷ୍ଠୀସହଭାଗୀତା ଶାସନ ମାଧ୍ୟମରେ ଆମେ ଏକ ସ୍ଥିର ଏବଂ ସମୃଦ୍ଧ ସହରାଞ୍ଚଳ ଓଡ଼ିଶା ଗଠନ କରିବାକୁ ପ୍ରତିବଦ୍ଧ ବୋଲି ବିଭାଗୀୟ ସଚିବ ମତବ୍ୟକ୍ତ କରିଥିଲେ ।