କେନ୍ଦ୍ର କର୍ମଚାରୀଙ୍କ ଡିଏ ବଢ଼ିଲା
ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି ଡିଏ (ଡିଅର୍ନେସ୍ ଭତା)ରେ ୨% ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏହି ବର୍ଦ୍ଧିତହାର ଅନୁଯାୟୀ ପୂର୍ବରୁ ଡିଏ ୫୩% ପ୍ରତିଶତ ଥିବା ବେଳେ ଏବେ ଏହା ୫୫% ପ୍ରତିଶତ ହୋଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟତାରେ ଅନୁଷ୍ଠିତ ହୋଇଥିବା କ୍ୟାବିନେଟ୍ ବୈଠକରୁ ଏହା ସ୍ପଷ୍ଟ ହୋଇଛି । ତେବେ ଗତ ୨୦୨୪ ଜୁଲାଇ ୨୦୨୪ରେ ଡିଏ ଭତା ୫୦%ରୁ ୫୩% ଅର୍ଥାତ୍ ୩ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ଏବେ ଚଳିତ ମାର୍ଚ୍ଚରେ ପୁଣି ୨% ଡିଏ ବୃଦ୍ଧି ପାଇଥିବାରୁ ଖୁସିବ୍ୟକ୍ତ କରିଛନ୍ତି କେନ୍ଦ୍ର ସରକାରୀ କର୍ମଚାରୀ । ମୁଦ୍ରାସ୍ଫୀତି ବୃଦ୍ଧି ଚାପରୁ ମୁକ୍ତ ଏବଂ ଜୀବନଧାରଣ ମାନରେ ବୃଦ୍ଧି ଉଦେ୍ଦଶ୍ୟରେ କେନ୍ଦ୍ର ସରକାର ଭତା ବୃଦ୍ଧି କରିଥିବା କୁହାଯାଇଛି ।
ତେବେ ମୂଳ ଦରମା (ବେସିକ୍ ସାଲାରୀ) ପ୍ରତି ୧୦ବର୍ଷରେ ଥରେ ବୃଦ୍ଧି କରାଯାଉଥିବା ବେଳେ ଏହାକୁ ଅପରିବର୍ତ୍ତିତ ରଖାଯାଇଛି । ମାସିକ ଦରମାରେ ବୃଦ୍ଧି ଏବଂ ମୁଦ୍ରାସ୍ଫୀତି ଚାପକୁ କମ୍ କରିବା ପାଇଁ କେନ୍ଦ୍ର ସରକାର ଡିଏ ଭତା ବୃଦ୍ଧି କରିଛନ୍ତି ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ ଶିଳ୍ପ କର୍ମଚାରୀଙ୍କ ପାଇଁ ଉପଲବ୍ଧ ଥିବା ସର୍ବଭାରତୀୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ଏଆଇସିପିଆ-ଆଇଡବ୍ଲୁ୍ୟ) ତଥ୍ୟ ଆଧାରରେ କେନ୍ଦ୍ର ସରକାର ଡିଏ ନିଶ୍ଚିତ କରିଥା’ନ୍ତି । ଏହାସହ ବିଗତ ୬ମାସର ତଥ୍ୟକୁ ଅନୁଶୀଳନ କରାଯିବା ପରେ କ୍ୟାବିନେଟ୍ ନିଷ୍ପତ୍ତି ଆଧାରରେ ସରକାର ଡିଏ ବୃଦ୍ଧି କରିଥା’ନ୍ତି ।